Putin Takes Aim at G7: ‘କାହିଁକି ଏମାନଙ୍କୁ ଏମିତି କୁହାଯାଏ ଜାଣିନି’: BRICS ବୈଠକରେ G7କୁ ନେଇ ପୁଟିନଙ୍କ କଟାକ୍ଷ
BRICS ବିଜନେସ୍ ସମିଟ୍ ୨୦୨୬ରେ ଉଦ୍ବୋଧନ ଦେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ G7 ଦେଶଗୁଡ଼ିକୁ ନେଇ କଟାକ୍ଷ କରିଛନ୍ତି। ବିଶ୍ୱ ଅର୍ଥନୀତିରେ G7ର ଅଂଶ କମୁଥିବା ବେଳେ BRICS ଦେଶଗୁଡ଼ିକର ଆର୍ଥିକ ପ୍ରଭାବ ବଢ଼ୁଥିବା ନେଇ ସେ ତୁଳନା କରିଥିଲେ।
ପୁଟିନ କହିଥିଲେ ଯେ, ବିଶ୍ୱର ମୋଟ ଆର୍ଥିକ ଉତ୍ପାଦନରେ G7 ଦେଶଗୁଡ଼ିକର ଅଂଶ ପ୍ରାୟ ୧୮ ପ୍ରତିଶତ ଥିବା ବେଳେ BRICS ସଦସ୍ୟ ଦେଶଗୁଡ଼ିକର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଛି।
ଏହି ପରିପ୍ରେକ୍ଷୀରେ ପୁଟିନ କଟାକ୍ଷ କରି କହିଥିଲେ, ‘ସେମାନଙ୍କୁ କାହିଁକି ଏମିତି କୁହାଯାଏ, ମୁଁ ଜାଣିନି।’ ଏହା ମାଧ୍ୟମରେ ସେ G7 ଗୋଷ୍ଠୀର ବର୍ତ୍ତମାନର ପ୍ରାସଙ୍ଗିକତା ନେଇ ପ୍ରଶ୍ନ ଉଠାଇଥିଲେ।
୨୦୧୪ରେ କ୍ରିମିଆକୁ ରୁଷିଆ ସହ ମିଶାଇବା ପରେ ରୁଷିଆକୁ ସେତେବେଳେ G8 ଭାବେ ପରିଚିତ ଥିବା ଗୋଷ୍ଠୀରୁ ବହିଷ୍କାର କରାଯାଇଥିଲା। ଏହାପରେ ଏହି ଗୋଷ୍ଠୀ ପୁଣି G7ରେ ପରିଣତ ହୋଇଥିଲା।
ପୁଟିନ BRICSକୁ ବିଶ୍ୱର ସବୁଠାରୁ ବଡ଼ ଆର୍ଥିକ ଗୋଷ୍ଠୀ ବୋଲି ବର୍ଣ୍ଣନା କରିବା ସହ ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଆସୁଥିବା ବେଳେ BRICSର ସଦସ୍ୟ ଦେଶଗୁଡ଼ିକର ଶକ୍ତି ଓ ପ୍ରଭାବ ବଢ଼ୁଛି ବୋଲି କହିଥିଲେ।
ଭାରତର ବଢ଼ୁଥିବା ବିଶ୍ୱ ଆର୍ଥିକ ଅବଦାନକୁ ଉଲ୍ଲେଖ କରି ପୁଟିନ କହିଥିଲେ ଯେ, ବିଶ୍ୱ ଏକ ବଡ଼ ଆର୍ଥିକ ପରିବର୍ତ୍ତନ ଦେଇ ଗତି କରୁଛି। ଏହାସହ BRICS ଗୋଷ୍ଠୀ ବାହାରେ ଥିବା ଦେଶଗୁଡ଼ିକ ସହ ମଧ୍ୟ ସହଯୋଗ ପାଇଁ BRICS ଖୋଲା ରହିଛି ବୋଲି ସେ କହିଥିଲେ।
ରୁଷିଆ ରାଷ୍ଟ୍ରପତି ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ BRICS ଦେଶଗୁଡ଼ିକୁ ଦୁର୍ବଳ କରିବାକୁ ବାରମ୍ବାର ପ୍ରୟାସ କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ।
ପୁଟିନ କହିଥିଲେ, ‘BRICSର ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ସେମାନଙ୍କ ପୂର୍ବ ନେତୃତ୍ୱକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ସଂଘର୍ଷ ସରକାରୀ ସ୍ତରରେ ଏକ ଅଶୋଭନୀୟ ମୋଡ଼ ନେଉଛି।’
ଏହାସହ ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆ ଉପରେ ଅନ୍ୟାୟ ଭାବେ କଟକଣା ଲଗାଇଥିବା ଅଭିଯୋଗ କରିଥିଲେ। ଏହି କଟକଣା ସତ୍ତ୍ୱେ ମସ୍କୋ ନିଜର ଆର୍ଥିକ ପ୍ରଦର୍ଶନକୁ ବଜାୟ ରଖିଛି ବୋଲି ସେ ଦାବି କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।