Python Enters Mutton Shop: ମଟନ ଦୋକାନରେ ୧୫ ଫୁଟର ଅଜଗର! ମାଂସ ପାଇଁ ଘଣ୍ଟାଏ ଆତଙ୍କ, ଦୋକାନୀଙ୍କୁ ୨ ଥର କାମୁଡ଼ିଲା!

Aug 17, 2026 - 11:58
Python Enters Mutton Shop: ମଟନ ଦୋକାନରେ ୧୫ ଫୁଟର ଅଜଗର! ମାଂସ ପାଇଁ ଘଣ୍ଟାଏ ଆତଙ୍କ, ଦୋକାନୀଙ୍କୁ ୨ ଥର କାମୁଡ଼ିଲା!

ମଟନ ଦୋକନରେ ପଶିଗଲା ଅଜଗର। ମାଂସ ପାଇଁ ଘଣ୍ଟାଏ ରଚିଲା ଆତଙ୍କ। ଅଜଗରକୁ ଧରି ହୀନସ୍ତା ହେଲେ ଦୋକାନୀ। ଅନେକ ସମୟ କଷ୍ଟ କରିବା ପରେ ଶେଷରେ ଅଜଗରଟି କବଳରୁ ମୁକୁଳିଛନ୍ତି ବ୍ୟକ୍ତି। ଉତ୍ତରପ୍ରଦେଶ ବାରବାଙ୍କି ମାର୍କେଟରେ ଘଟିଛି ଏପରି ଘଟଣା। 

ସୂଚନା ଅନୁସାରେ, ସୁରେଶଙ୍କ ମାଂସ ଦୋକାନକୁ ୧୫ ଫୁଟର ଅଜଗର ପଶିଯାଇଥିଲା। ଅଜଗରର ବିଷ ନଥିବା ହେତୁ ସେ ସାହାସ କରି ତା’କୁ ଧରିପକାଇଥିଲେ। ତେଣୁ ସାପଟି ତାଙ୍କ ହାତରୁ ମୁକୁଳିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ଦୁଇଥର କାମୁଡ଼ିଥିଲା। ଏଥିରେ ସୁରେଶ ଭୟଭୀତ ହୋଇନଥିଲେ। ବରଂ ସାପଟିକୁ ସେ କାନ୍ଧରେ ପକାଇ ଦୋକାନ ବାହାରକୁ ଚାଲିଆସିଥିଲେ। 

ପରେ ସେ ସାପଟି ସହ ଖେଳିବା ଆରମ୍ଭ କରିଥିଲେ। ଯାହାକୁ ଦେଖି ମାର୍କେଟରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ଓ ଆଖପାଖର ଦୋକାନୀମାନେ ଏଭଳି ଅସ୍ୱାଭାବିକ ଦୃଶ୍ୟକୁ ଦେଖି ଠିଆ ହୋଇରହିଥିଲେ। କେହି କେହି ଘଟଣାଟିକୁ ଦେଖି ଚିନ୍ତିତ ହୋଇଥିବା ବେଳେ, ଅନେକେ ଏହି ଦୃଶ୍ୟକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଦୀର୍ଘ ସମୟ ଧରି ସୁରେଶ ଅଜଗରଟିକୁ ନେଇ ଖେଳିବା ପରେ ଶେଷରେ ଏହାକୁ ଏକ ବଡ଼ ପାତ୍ର ଭିତରେ ରଖିଥିଲେ। ପରେ ଅଜଗରଟିକୁ ଏକ ନାଳରେ ଛାଡ଼ିଦେଇଥିଲେ। ହେଲେ ଛାଡ଼ିବା ପୂର୍ବରୁ ଅଜଗରଟି ହଠାତ୍‌ ପ୍ରାୟ ତିନି ଫୁଟ ଉଚ୍ଚରେ ମୁଣ୍ଡ ଉଠାଇଥିଲା। 

ଅଜଗରଟିର ରାଗକୁ ଦେଖି ସେଠାରେ ଥିବା ଲୋକମାନେ ଆହୁରି ଭୟଭୀତ ହୋଇପଡ଼ିଥିଲେ। କିଛି ସମୟ ପରେ ଅଜଗରଟି ଧୀରେ ଧୀରେ ସେଠାରୁ ଖସି ଚାଲିଯାଇଥିଲା। ଘଟଣାଟି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ, ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ସେମାନଙ୍କ ସହ ଖେଳିବା କେତେ ବିପଜ୍ଜନକ ହୋଇପାରେ ତା’ ଏହି ଘଟଣା କହିଛି। ସେପଟେ ଅଜଗର ସାପ ବିଷଧର ହୋଇ ନଥିବାରୁ ତା’ କାମୁଡ଼ିବା ସତ୍ତ୍ବେ ସୁରେଶଙ୍କ କୌଣସି କ୍ଷତି ହୋଇନାହିଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।