Raghav Chadha Demands Action Against Alleged Doctor-Diagnostic Lab Nexus: ଅନାବଶ୍ୟକ ମେଡିକାଲ ଟେଷ୍ଟ ପଛରେ କମିଶନ ଖେଳ? ରାଜ୍ୟସଭାରେ ରାଘବଙ୍କ ଅଭିଯୋଗ
ରାଜ୍ୟସଭାରେ ଗୁରୁବାର ସାଂସଦ ରାଘବ ଚଢ଼ା ଡାକ୍ତର ଓ ପାଥୋଲୋଜି ଲ୍ୟାବ ମଧ୍ୟରେ ଥିବା ‘ରେଫରାଲ କମିଶନ’ ପ୍ରଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ବ୍ୟବସ୍ଥା ଏକ ସମାନ୍ତରାଳ ଅନୌପଚାରିକ ଅର୍ଥନୀତିର ରୂପ ନେଇଛି । ଏହାର ଭାର ଶେଷରେ ରୋଗୀଙ୍କୁ ବହନ କରିବାକୁ ପଡ଼ୁଛି।
ରାଘବ ଚଢ଼ା କହିଛନ୍ତି, କେତେକ ଡାକ୍ତର ଓ କେତେକ ଡାୟାଗ୍ନୋଷ୍ଟିକ୍ ଲ୍ୟାବ ମଧ୍ୟରେ ‘ରେଫରାଲ ଇନସେଣ୍ଟିଭ୍’ ଓ ‘କଟ୍ ମନି’ ବ୍ୟବସ୍ଥା ଚାଲିଛି। ରୋଗୀଙ୍କୁ ଭଲ ଚିକିତ୍ସା ଦେବା ପାଇଁ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଲ୍ୟାବକୁ ପଠାଇବା ବଦଳରେ ଡାକ୍ତରଙ୍କୁ ଟଙ୍କା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଏହି ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ କମିଶନ ହାର, ସ୍ୱତନ୍ତ୍ର ଏଜେଣ୍ଟ ଓ ଏକ ସମାନ୍ତରାଳ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ଡାଏଗ୍ନୋଷ୍ଟିକ୍ ସେଣ୍ଟର ଏହାକୁ ‘ମାର୍କେଟିଂ ଖର୍ଚ୍ଚ’ ବୋଲି କହୁଥିବା ବେଳେ ଡାକ୍ତରମାନେ ଏହାକୁ ‘ରେଫରାଲ କମିଶନ’ ବୋଲି କହୁଛନ୍ତି। କେତେକ କ୍ଷେତ୍ରରେ ଡାଏଗ୍ନୋଷ୍ଟିକ୍ ସେଣ୍ଟର ପକ୍ଷରୁ ଡାକ୍ତରଙ୍କୁ ବିଦେଶ ଭ୍ରମଣର ସୁବିଧା ମଧ୍ୟ ଦିଆଯାଉଛି ବୋଲି ସେ ଦାବି କରିଛନ୍ତି।
ରାଘବ ଚଢ଼ା କହିଛନ୍ତି, ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ (MCI) ୨୦୦୨ ମସିହାରେ ‘ଫି-ସ୍ପ୍ଲିଟିଂ’ ନାମରେ ଏହି ପ୍ରଥାକୁ ନିଷିଦ୍ଧ କରିଥିଲା। ପରେ ଜାତୀୟ ମେଡିକାଲ କମିଶନ (NMC) ୨୦୨୩ ମସିହାରେ ‘ରେଫରାଲ କମିଶନ’ ନାମରେ ଏହାକୁ ବେଆଇନ ଘୋଷଣା କରିଥିଲା ଏବଂ ଦୋଷୀ ସାବ୍ୟସ୍ତ ହେଲେ ୧ରୁ ୩ ମାସ ପର୍ଯ୍ୟନ୍ତ ନିଲମ୍ବନ ବ୍ୟବସ୍ଥା ରଖିଥିଲା।
ତାଙ୍କ କହିବା ଅନୁଯାୟୀ, ଏହି କମିଶନର ଭାର ଡାୟାଗ୍ନୋଷ୍ଟିକ୍ ସେଣ୍ଟର ନୁହେଁ, ବରଂ ରୋଗୀଙ୍କ ଉପରେ ପଡ଼ୁଛି। ଫଳରେ ଅନେକ କ୍ଷେତ୍ରରେ ମେଡିକାଲ ବିଲ୍ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଉଛି।
ରାଘବ ଚଢ଼ା କହିଛନ୍ତି, ସମସ୍ୟା କେବଳ ବଢ଼ୁଥିବା ବିଲ୍ ନୁହେଁ। ଏହା ଯୋଗୁଁ ଅନାବଶ୍ୟକ ମେଡିକାଲ ଟେଷ୍ଟ ଓ ଅତ୍ୟଧିକ ରେଫରାଲର ପ୍ରବୃତ୍ତି ମଧ୍ୟ ବଢ଼ୁଛି। ଏହା ଡାକ୍ତରମାନଙ୍କ ବିରୋଧରେ ନୁହେଁ, ବରଂ ‘କଟ୍ ମନି ରେଫରାଲ ସିଷ୍ଟମ’ ବିରୋଧରେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରୋଗୀଙ୍କ ପାଇଁ ସତର୍କ ସଙ୍କେତ
ରାଘବ ଚଢ଼ା ରୋଗୀଙ୍କ ପାଇଁ କିଛି ‘ରେଡ୍ ଫ୍ଲାଗ୍’ ବା ସତର୍କ ସଙ୍କେତ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି ଡାକ୍ତର ବାରମ୍ବାର ଏକ ନିର୍ଦ୍ଦିଷ୍ଟ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ଯିବାକୁ କହୁଛନ୍ତି କିମ୍ବା ରୋଗୀ ଅନ୍ୟ କୌଣସି ସମାନ ମାନ୍ୟତାପ୍ରାପ୍ତ ଲ୍ୟାବରେ ପରୀକ୍ଷା କରାଇଲେ ଅସନ୍ତୋଷ ପ୍ରକାଶ କରୁଛନ୍ତି, ତେବେ ସତର୍କ ରହିବା ଉଚିତ।
In Parliament today, I spoke on the “cut money” arrangement between some doctors and diagnostic centres/ pathology labs.
— Raghav Chadha (@raghav_chadha) August 6, 2026
Diagnostic centres call it "marketing expense." Doctors call it "referral commission." All gets added to Patient's hospital bill.
A silent transaction that… pic.twitter.com/Fi2CCfyGfc
ସେ ଆହୁରି କହିଛନ୍ତି, ଯଦି କୌଣସି ଡାକ୍ତରଙ୍କ କ୍ଲିନିକରେ କୌଣସି ଡାଏଗ୍ନୋଷ୍ଟିକ୍ ସେଣ୍ଟରର ମାର୍କେଟିଂ ପ୍ରତିନିଧି କିମ୍ବା ପ୍ରଚାର ସାମଗ୍ରୀ ଦେଖିବାକୁ ମିଳେ, ତାହା ମଧ୍ୟ ସତର୍କ ହେବାର ସଙ୍କେତ।
ରାଘବ ଚଢ଼ାଙ୍କ ମତରେ, ଏହି ସମସ୍ୟା ବିଶେଷକରି ଟିୟର-୨ ଓ ଟିୟର-୩ ସହରଗୁଡ଼ିକରେ ଅଧିକ ଦେଖାଯାଉଛି । ସେଠାରେ ଡାକ୍ତର ଓ ଡାଏଗ୍ନୋଷ୍ଟିକ୍ ସେଣ୍ଟର ମଧ୍ୟରେ ରେଫରାଲ କମିଶନ ଏକ ଅନୌପଚାରିକ ଅର୍ଥନୀତିର ରୂପ ନେଇଛି। ଏହି ପ୍ରଥାକୁ ରୋକିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।