Ravenshaw University: ରେଭେନ୍ସା ବିଶ୍ବବିଦ୍ୟାଳୟ ଗବେଷଣା: ରାତିରେ ବଢ଼ୁଛି ତାତି
"କଟକ (ଦୀପ୍ତିରଂଜନ ସାମଲ): ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାତିରେ ତାତି ବଢ଼ିବାରେ ଲାଗିଛି।
ସହରୀକରଣ, ରାତିରେ ଗାଡ଼ିମୋଟର ଅଧିକ ବ୍ୟବହାର, ସବୁଜିମା ହ୍ରାସ ଏହାର ବଡ଼ କାରଣ ବୋଲି କୁହାଯାଉଛି।
୨୦୦୧ରେ ଓଡ଼ିଶାରେ ରାତିର ତାପମାତ୍ରା ହାରାହାରି ୨୦.୫୭ ଡିଗ୍ରି ଥିବା ବେଳେ ୨୦୨୪ ବେଳକୁ ତାହା ୨୨.୨୫ ଡିଗ୍ରିକୁ ବୃଦ୍ଧି ପାଇଛି।
ବର୍ଷକୁ ହାରାହାରି ୦.୦୨୨୭ ଡିଗ୍ରି ସେଲ୍ସିୟସ୍ ତାପମାତ୍ରା ବୃଦ୍ଧି ପାଉଛି।
ଅନ୍ୟପଟେ ଦିନର ତାପମାତ୍ରା ବର୍ଷକୁ ହାରାହାରି -୦.୦୬୬ ଡିଗ୍ରି ସେଲସିୟସ୍ ହ୍ରାସ ପାଇବାରେ ଲାଗିଛି।
୨୦୦୧ରେ ଦିନରେ ହାରାହାରି ତାପମାତ୍ରା ୩୧.୫୪ ଡିଗ୍ରି ରହୁଥିବା ବେଳେ ୨୦୨୪ରେ ଏହା ୨୯.୦୮ ଡିଗ୍ରିକୁ ହ୍ରାସ ପାଇଛି।
ରେଭେନ୍ସା ବିଶ୍ବବିଦ୍ୟାଳୟ ଜିଓଲୋଜି ବିଭାଗରେ ଏ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି।Advertisment RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରାରେ ଦେଖାଦେଉଥିବା ପରିବର୍ତ୍ତନ ଉପରେ ୨୦୦୧ରୁ ୨୦୨୪ ମସିହାର ତଥ୍ୟକୁ ନେଇ ଏହି ଗବେଷଣା କରାଯାଉଛି।
ଏ ପ୍ରସଙ୍ଗରେ ଟଙ୍କଧର ବେହେରା ଗବେଷଣା କରୁଥିବା ବେଳେ ଜିଓଲୋଜି ପ୍ରଫେସର ଡକ୍ଟର ସନ୍ଦୀପ ନାରାୟଣ କୁଣ୍ଡୁ ଓ ନିରସିନ୍ଧୁ ଦେଶୀନାୟକ ମାର୍ଗଦର୍ଶନ କରୁଛନ୍ତି।
ସହରୀକରଣ, ଶିଳ୍ପାୟନ, ଖଣି କାର୍ଯ୍ୟକଳାପ ଓ ପ୍ରାକୃତିକ ସବୁଜ ଆବରଣର ପରିବର୍ତ୍ତନ ଭୂପୃଷ୍ଠର ତାପୀୟ ପରିବେଶକୁ ପ୍ରଭାବିତ କରୁଛି।
ନାସାର ଟେରା ସାଟେଲାଇଟ୍ର ମୋଦିସ୍ ପଦ୍ଧତିରୁ ବିଭିନ୍ନ ସମୟର ଚିତ୍ରକୁ ବିଚାରକୁ ନିଆଯାଇ ଏହି ଗବେଷଣା କରାଯାଉଛି।
ଦିନରେ ପଶ୍ଚିମ ଓଡ଼ିଶା, ରାତିରେ ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକଭୁବନେଶ୍ବର, କଟକ ଅଞ୍ଚଳରେ ଭୂପୃଷ୍ଠର ପ୍ରାକୃତିକ ଚରିତ୍ର ବଦଳୁଛି ଶ୍ରୀ ବେହେରା କହିଛନ୍ତି, ଦିନବେଳେ ସୂର୍ଯ୍ୟକିରଣର ପ୍ରଭାବରେ ଖୋଲା ମାଟି, କଂକ୍ରିଟ, ରାସ୍ତା ଓ ଶିଳ୍ପାଞ୍ଚଳ ଦ୍ରୁତ ଗରମ ହୋଇଥାଏ।
ରାତିରେ ଭୂପୃଷ୍ଠ କେତେ ଶୀଘ୍ର ଥଣ୍ଡା ହେଉଛି, ତାହା ଭୂମି ବ୍ୟବହାର, ନିର୍ମାଣ ଘନତା, ଆର୍ଦ୍ରତା ଓ ଭୂପୃଷ୍ଠର ଗଠନ ସହିତ ଜଡ଼ିତ।
ଦିନବେଳେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଭୂପୃଷ୍ଠ ତାପମାତ୍ରା ସର୍ବାଧିକ ରହୁଛି।
ରାତିବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତୁଳନାତ୍ମକ ଭାବେ ଅଧିକ ରହୁଛି।
ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଦ୍ରୁତ ବିକାଶଶୀଳ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ବଢ଼ିବା ସହିତ ଭୂପୃଷ୍ଠର ପ୍ରାକୃତିକ ଚରିତ୍ର ବଦଳୁଛି।
ରାସ୍ତା, କଂକ୍ରିଟ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମିତ ପୃଷ୍ଠ ଉତ୍ତାପ ସଂଗ୍ରହ କରୁଥିବାରୁ ସହରାଞ୍ଚଳରେ ତାପୀୟ ଚାପ ବୃଦ୍ଧି ପାଉଛି।
ସବୁଜ ଆବରଣ ଅଧିକ ଥିବା ଅଞ୍ଚଳ ସାଧାରଣତଃ ଥଣ୍ଡା ରହିଥାଏ।
ଓଡ଼ିଶାରେ ସହରୀକରଣ ଓ ବିକାଶ ସହିତ ସବୁଜ ଆବରଣ ସୁରକ୍ଷା ଏକ ବଡ଼ ଆହ୍ୱାନ ହୋଇଛି।
Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...
ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ଭୂପୃଷ୍ଠ ତାପମାତ୍ରାର ପରିବର୍ତ୍ତନକୁ କେବଳ ସହରୀକରଣର ପରିଣାମ ବୋଲି କହିବା ଠିକ୍ ହେବ ନାହିଁ।
ବର୍ଷାର ପରିମାଣ, ମାଟିର ଆର୍ଦ୍ରତା, ବାଷ୍ପୀକରଣ, କୃଷି ପ୍ରଣାଳୀ, ଭୂମି ବ୍ୟବହାର ଓ ଉଚ୍ଚତା ଭଳି ପ୍ରାକୃତିକ କାରକ ମଧ୍ୟ ଏଥିରେ ପ୍ରଭାବ ପକାନ୍ତି।
ଗ୍ରୀଷ୍ମ ଋତୁରେ ମାଟିର ଆର୍ଦ୍ରତା କମିଲେ ଏବଂ ବନାଞ୍ଚଳ ଆବରଣ ହ୍ରାସ ପାଇଲେ ଭୂପୃଷ୍ଠ ଅଧିକ ଗରମ ହୋଇପାରେ।
ଋତୁ ଅନୁସାରେ ମଧ୍ୟ ଭୂପୃଷ୍ଠ ତାପମାତ୍ରାରେ ବଡ଼ ପରିବର୍ତ୍ତନ ଦେଖାଯାଏ।
ଓଡ଼ିଶାର ବିକାଶ ଯୋଜନାରେ ତାପୀୟ ପରିବେଶକୁ ମଧ୍ୟ ଗୁରୁତ୍ୱ ଦେବାର ସମୟ ଆସିଛି।
ସହରରେ ଅଧିକ ଗଛ ଲଗାଇବା, ସବୁଜ ଅଞ୍ଚଳକୁ ସୁରକ୍ଷା ଦେବା, ଜଳାଶୟ ଓ ଆର୍ଦ୍ରଭୂମି ସୁରକ୍ଷା, ଅନାବଶ୍ୟକ କଂକ୍ରିଟକରଣକୁ ରୋକିବା ଏବଂ ଖଣି ଓ ଶିଳ୍ପାଞ୍ଚଳରେ ପୁନଃସବୁଜୀକରଣ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।