Ravi Kishan Fear of Playing Lord Ram: ଏଥିରେ ଅଭିନୟ କରିବାକୁ ଡରୁଛନ୍ତି ରବି କିଶନ! କହିଲେ, 'ଭୁଲ୍ କରିବାର ସୁଯୋଗ ନାହିଁ'

Oct 13, 2026 - 18:11
Ravi Kishan Fear of Playing Lord Ram: ଏଥିରେ ଅଭିନୟ କରିବାକୁ ଡରୁଛନ୍ତି ରବି କିଶନ! କହିଲେ, 'ଭୁଲ୍ କରିବାର ସୁଯୋଗ ନାହିଁ'

ଭୋଜପୁରୀଠାରୁ ବଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା ରବି କିଶନ ଏବେ ଏକ ନୂଆ ଭୂମିକାକୁ ନେଇ ଚର୍ଚ୍ଚାରେ। ଅନେକ ଚରିତ୍ରରେ ଅଭିନୟ କରିଥିଲେ ମଧ୍ୟ ଏଥର ଭଗବାନ ଶ୍ରୀରାମଙ୍କ ଭୂମିକା ତୁଲାଇବା ପୂର୍ବରୁ ସେ ଭୟଭୀତ ଥିବା କହିଛନ୍ତି। ଏପରିକି ଏହି ଚରିତ୍ରରେ ସାମାନ୍ୟ ଭୁଲ୍ କରିବାକୁ ମଧ୍ୟ ସେ ଚାହୁଁନଥିବା ପ୍ରକାଶ କରିଛନ୍ତି।

ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ବଲିଉଡ୍ ଅଭିନେତା ରବି କିଶନଙ୍କ ଅଭିନୟ ଦକ୍ଷତା କାହାକୁ ବା ଅଜଣା। କେତେବେଳେ ଖଳନାୟକ ତ ଆଉ କେତେବେଳେ ହାସ୍ୟ ଅଭିନେତା, ବିଭିନ୍ନ ଚରିତ୍ରରେ ନିଜର ନିଆରା ଅଭିନୟ ପାଇଁ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ହେଲେ ଏତେ ବର୍ଷର ଅଭିନୟ ଅଭିଜ୍ଞତା ପରେ ମଧ୍ୟ ଏବେ ଏକ ଚରିତ୍ରକୁ ନେଇ ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଆଉ ସେହି ଚରିତ୍ର ହେଉଛି ଭଗବାନ ଶ୍ରୀରାମଙ୍କ ଭୂମିକା।

ଆସନ୍ତା ଅକ୍ଟୋବର ୧୯ ଓ ୨୦ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ‘ଅଯୋଧ୍ୟା କି ରାମଲୀଳା’ରେ ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିବେ ରବି କିଶନ। ପ୍ରଥମ ଥର ପାଇଁ ଏହି ଭୂମିକା ତୁଲାଇବାକୁ ଯାଉଥିବାରୁ ସେ ଯେତିକି ଉତ୍ସାହିତ, ସେତିକି ଚିନ୍ତିତ ମଧ୍ୟ ଅଛନ୍ତି। 

'ଶ୍ରୀରାମଙ୍କ ଭୂମିକା ପାଇବା ମୋର ସୌଭାଗ୍ୟ'

ନିକଟରେ ଏଚ୍‌ଟି ସିଟିକୁ ଦେଇଥିବା ଏକ ସାକ୍ଷାତକାରରେ ରବି କିଶନ ନିଜ ମନର କଥା ଖୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ କୌଣସି ସୌଭାଗ୍ୟଠାରୁ କମ୍ ନୁହେଁ। ସେ କହିଛନ୍ତି, 'ପ୍ରଥମ ଥର ପାଇଁ ମୋତେ ଭଗବାନ ଶ୍ରୀରାମଙ୍କ ରୂପ ଧାରଣ କରିବାର ସୌଭାଗ୍ୟ ମିଳିଛି। ମୁଁ ପ୍ରାର୍ଥନା କରୁଛି ଯେ, ପ୍ରଭୁ ଶ୍ରୀରାମ ମୋ ଶରୀରରେ ପ୍ରବେଶ କରି ଏହି ଚରିତ୍ରକୁ ସୁନ୍ଦର ଭାବେ ନିଭାଇବା ପାଇଁ ମୋତେ ଶକ୍ତି ଦିଅନ୍ତୁ।'

ପୂର୍ବରୁ ସୀତା, ପର୍ଶୁରାମ ଓ କୃଷ୍ଣ ସାଜିଛନ୍ତି ରବି କିଶନ

ରବି କିଶନଙ୍କ ପାଇଁ ପୌରାଣିକ ଚରିତ୍ରରେ ଅଭିନୟ କରିବା ନୂଆ କଥା ନୁହେଁ। ପୂର୍ବରୁ ସେ ପର୍ଶୁରାମ ଓ କେବଟଙ୍କ ଭୂମିକା ତୁଲାଇଛନ୍ତି। ଏପରିକି ପିଲାଦିନେ ମାତା ସୀତାଙ୍କ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଟେଲିଭିଜନ ଧାରାବାହିକରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ହେଲେ ଭଗବାନ ଶ୍ରୀରାମଙ୍କ ଚରିତ୍ର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘଦିନ ଧରି ଏହି ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ରଖିଥିବା ରବି କିଶନ ଏବେ ସେହି ସୁଯୋଗ ପାଇ ବେଶ୍ ଖୁସି ଅଛନ୍ତି।

'ଭିତରୁ ଡରିଯାଇଛି, କୌଣସି ଭୁଲ୍ କରିବାକୁ ଚାହୁଁନି'

ଅଭିନୟ କରିବା ସମୟରେ ସାଧାରଣତଃ ଆତ୍ମବିଶ୍ୱାସରେ ଭରପୂର ରହୁଥିବା ରବି କିଶନ ଏଥର କିନ୍ତୁ ନର୍ଭସ୍ ଅଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ଅନ୍ୟ ଚରିତ୍ର ତୁଳନାରେ ଶ୍ରୀରାମଙ୍କ ଭୂମିକା ତୁଲାଇବା ବେଳେ ତାଙ୍କୁ ଅଧିକ ଭୟ ଲାଗୁଛି। ରବି କିଶନଙ୍କ କହିବା କଥା, ଜଣେ ଅଭିନେତା ପାଇଁ ମଞ୍ଚ ଉପରକୁ ଯିବା ପୂର୍ବରୁ କିଛିଟା ଭୟ ରହିବା ଆବଶ୍ୟକ। କାରଣ ସେହି ଭୟ ଅଭିନୟକୁ ଆହୁରି ନିଖୁଣ କରିବା ପାଇଁ ପ୍ରେରଣା ଦେଇଥାଏ।

ତେବେ ଶ୍ରୀରାମଙ୍କ ଭୂମିକାରେ କୌଣସି ଭୁଲ୍ ଯେପରି ନହୁଏ, ସେଥିପାଇଁ ସେ ବିଶେଷ ଯତ୍ନବାନ ଅଛନ୍ତି। ଏହି ଚରିତ୍ରରେ ନିଜ ଇଚ୍ଛା ଅନୁସାରେ ସଂଳାପ କିମ୍ବା ଅଭିନୟ ବଦଳାଇବାର ସୁଯୋଗ ନାହିଁ। ସ୍କ୍ରିପ୍ଟ ଓ ଚରିତ୍ରର ମର୍ଯ୍ୟାଦା ମଧ୍ୟରେ ରହି ଅଭିନୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଶ୍ରୀରାମ ସାଜିବା ପୂର୍ବରୁ ରଖୁଛନ୍ତି ବ୍ରତ

ଭଗବାନ ଶ୍ରୀରାମଙ୍କ ଭୂମିକା ପାଇଁ ରବି କିଶନ କେବଳ ଅଭିନୟ ଅଭ୍ୟାସ କରୁନାହାନ୍ତି, ବରଂ ନିଜକୁ ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ସେ କହିଛନ୍ତି ଯେ, ନବରାତ୍ରି ଅବସରରେ ସେ ବ୍ରତ ପାଳନ କରୁଛନ୍ତି। ଏହାଦ୍ୱାରା ନିଜ ଶରୀର ଓ ମନକୁ ପବିତ୍ର ରଖି ଏହି ଭୂମିକା ତୁଲାଇବାକୁ ଚାହୁଁଛନ୍ତି। ଏଥିସହିତ ସେ ଶାକାହାରୀ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଶରୀରକୁ ଚରିତ୍ର ଅନୁଯାୟୀ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ଡାଏଟ୍ ମଧ୍ୟ ଅନୁସରଣ କରୁଛନ୍ତି।

ରାମଲୀଳା ପୂର୍ବରୁ ସେ ନିଜ ନିଶ ମଧ୍ୟ କାଟିବେ। କାରଣ ଶ୍ରୀରାମଙ୍କ ଚରିତ୍ରରେ ସୌମ୍ୟତା, ଶାଳୀନତା, ସଂଯମ ଓ ଏକାଗ୍ରତା ଫୁଟାଇବା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ସାରା ବିଶ୍ୱ ଦେଖିବ ରବି କିଶନଙ୍କ ରାମ ଅବତାର

ରବି କିଶନଙ୍କ ଅନୁଯାୟୀ, ଏହି ରାମଲୀଳାର ସିଧାପ୍ରସାରଣ ଦୂରଦର୍ଶନ, ଓଟିଟି ପ୍ଲାଟଫର୍ମ ଏବଂ ୟୁଟ୍ୟୁବ୍‌ରେ କରାଯିବ। ତେଣୁ ଦେଶବିଦେଶର ଦର୍ଶକ ତାଙ୍କୁ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଦେଖିପାରିବେ।

ଜଣେ ପୂଜକଙ୍କ ପୁଅ ହୋଇଥିବାରୁ ପିଲାଦିନରୁ ସେ ଭଗବାନ ଶ୍ରୀରାମ ଓ ମହାଦେବଙ୍କ କାହାଣୀ ଶୁଣି ବଡ଼ ହୋଇଛନ୍ତି। ଏବେ ସେହି ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି।

ଏବେ ଦେଖିବାକୁ ବାକି ରହିଲା, ପରଦାରେ ବିଭିନ୍ନ ଚରିତ୍ରରେ ଦର୍ଶକଙ୍କ ମନ ଜିଣିଥିବା ରବି କିଶନ ରାମଲୀଳା ମଞ୍ଚରେ କିପରି ନିଜ ଅଭିନୟର ଛାପ ଛାଡ଼ୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।