Rayagada Custard Apple: ରାୟଗଡ଼ାରେ ଆତର ରାଜ୍ ! ସୁଆଦରେ ମନ ମୋହୁଛି, ଆନ୍ଧ୍ରଠୁ ଦିଲ୍ଲୀ ଯାଏଁ ଆଦର
ଗଛରେ ଫଳଛି ସୁଆଦିଆ ଆତ।
ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ସେତେ ସ୍ୱାଦିଷ୍ଟ।
ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳରେ ପ୍ରାକୃତିକ ଭାବେ ଫଳୁଥିବା ଆତ ଏବେ ରାୟଗଡ଼ା ବଜାରର ଆକର୍ଷଣ ପାଲଟିଛି।
ସହରର କପିଳାସ ଛକରେ ଫଳ କିଣିବାକୁ ଗ୍ରାହକଙ୍କ ଭିଡ଼ ଜମୁଛି।
ରାୟଗଡ଼ା ସଦର ବ୍ଲକର ପିପଲଗୁଡ଼ା ଓ ଅନ୍ୟ ଅଞ୍ଚଳରୁ ଚାଷୀମାନେ ପ୍ରତିଦିନ ଆତ ଆଣି ବିକ୍ରି କରୁଛନ୍ତି।
ସ୍ଥାନୀୟ ଗ୍ରାହକଙ୍କ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ମଧ୍ୟ ଏହି ଫଳ କିଣିବାକୁ ଆସୁଛନ୍ତି।
ରାୟଗଡ଼ାର ଜଳବାୟୁ ଆତ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହାର ଉତ୍ପାଦନ ହୋଇଥାଏ।
ରାଜ୍ୟ ବାହାରେ ମଧ୍ୟ ରାୟଗଡ଼ାର ସୀତାଫଳର ଚାହିଦା ରହିଛି।
ବିଶାଖାପାଟଣା, ରାୟପୁର ଓ ଦିଲ୍ଲୀ ଭଳି ସହରକୁ ମଧ୍ୟ ଏହି ଫଳ ଯାଉଥିବା କୁହାଯାଉଛି।
ଆଦିବାସୀ ଚାଷୀମାନେ ଜଙ୍ଗଲରୁ ଫଳ ସଂଗ୍ରହ କରି ବଜାରରେ ବିକ୍ରି କରି ପରିବାର ଚଳାଇଥାନ୍ତି।
କିନ୍ତୁ ଉଚିତ ମୂଲ୍ୟ ଓ ବିକ୍ରି ପାଇଁ ସୁବିଧା ମିଳିବା ହିଁ ସେମାନଙ୍କ ପାଇଁ ବଡ଼ ଆବଶ୍ୟକତା।
ସଂଗ୍ରହ, ପରିବହନ ଓ ବିକ୍ରି ପାଇଁ ଅଧିକ ସୁବିଧା ମିଳିଲେ ଚାଷୀଙ୍କ ଲାଭ ବଢ଼ିପାରିବ ବୋଲି କୃଷି ବିଶେଷଜ୍ଞ ମତ ଦେଇଛନ୍ତି।
ଅନ୍ୟପଟେ ଚଳିତବର୍ଷ ଗତବର୍ଷ ତୁଳନାରେ ଉତ୍ପାଦନ ସାମାନ୍ୟ କମ୍ ରହିଥିଲେ ମଧ୍ୟ ଚାଷୀମାନେ ଭଲ ଦର ପାଉଥିବା କହିଛନ୍ତି ରାୟଗଡ଼ା ଓରମାସ ନିର୍ଦ୍ଦେଶକ।
ପ୍ରାରମ୍ଭିକ ପର୍ଯ୍ୟାୟରେ ବଜାର ସୁବିଧା କରାଯାଇଥିବା ବେଳେ ବର୍ତ୍ତମାନ ଦର ଭଲ ଥିବାରୁ ଅଧିକ ହସ୍ତକ୍ଷେପର ଆବଶ୍ୟକତା ପଡ଼ିନାହିଁ ବୋଲି ସେ କହିଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।