RBI Hikes Repo Rate: ବଢିଲା ରେପୋ ରେଟ୍, ମହଙ୍ଗା ହେବ ଘର ଓ କାର ଲୋନ୍

Oct 07, 2026 - 11:32
RBI Hikes Repo Rate: ବଢିଲା ରେପୋ ରେଟ୍, ମହଙ୍ଗା ହେବ ଘର ଓ କାର ଲୋନ୍

ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ରେପୋ ରେଟ୍‌ ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ବୁଧବାର ଆର୍‌ବିଆଇ ୨୫ ବେସିସ୍‌ ପଏଣ୍ଟ ବା ୦.୨୫ ପ୍ରତିଶତ ରେପୋ ରେଟ୍‌ ବୃଦ୍ଧି କରିଛି। ଫଳରେ ରେପୋ ରେଟ୍‌ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତରେ ପହଞ୍ଚିଛି। ୨୦୨୩ ଫେବ୍ରୁଆରୀ ପରେ ପ୍ରଥମ ଥର ପାଇଁ ଆର୍‌ବିଆଇ ରେପୋ ରେଟ୍‌ ବଢ଼ାଇଛି।

ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି (MPC) ବୈଠକରେ ରେପୋ ରେଟ୍‌ ବୃଦ୍ଧି ନେଇ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି। ବଢ଼ୁଥିବା ମୁଦ୍ରାସ୍ଫୀତି, ତେଲ ଦର ବୃଦ୍ଧି ଏବଂ ଟଙ୍କାର ଦୁର୍ବଳ ସ୍ଥିତିକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଏହି ପଦକ୍ଷେପ ନେଇଛି।

ମୁଦ୍ରାନୀତି କମିଟି ବୈଠକ ପରେ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି। ବାଣିଜ୍ୟ କ୍ଷେତ୍ରରେ ଅନିଶ୍ଚିତତା ଜାରି ରହିଥିବା ବେଳେ ବିଶ୍ୱ ବଜାରର ମନୋଭାବ ମଧ୍ୟ ଦୁର୍ବଳ ରହିଛି। ଇରାନ ଯୁଦ୍ଧର ପ୍ରଭାବ ବିଶ୍ୱ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

ତେବେ ଏହି ସବୁ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥନୀତି ମଜଭୁତ ରହିଛି ଏବଂ ଆଗକୁ ମଧ୍ୟ ଏହାର ସ୍ଥିରତା ବଜାୟ ରହିବ ବୋଲି ଆର୍‌ବିଆଇ ଆଶା ପ୍ରକାଶ କରିଛି। ନିକଟ ଭବିଷ୍ୟତରେ ସୁଧହାର କମିବାର ସମ୍ଭାବନା ନାହିଁ।

ଏଥର ଆର୍‌ବିଆଇ ତା’ର ମୁଦ୍ରାନୀତି ଆଭିମୁଖ୍ୟକୁ ‘ନ୍ୟୁଟ୍ରାଲ’ରୁ ‘କ୍ୟାଲିବ୍ରେଟେଡ୍ ଟାଇଟେନିଂ’କୁ ପରିବର୍ତ୍ତନ କରିଛି। ୨୦୧୮ ପରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ହୋଇଛି। ‘ନ୍ୟୁଟ୍ରାଲ’ ଆଭିମୁଖ୍ୟର ଅର୍ଥ ହେଉଛି ମୁଦ୍ରାସ୍ଫୀତି ଓ ଅର୍ଥନୈତିକ ବିକାଶର ସ୍ଥିତି ଅନୁସାରେ ଆର୍‌ବିଆଇ ସୁଧହାର ବଢ଼ାଇବା କିମ୍ବା କମାଇବା ପାଇଁ ନିଜ ବିକଳ୍ପ ଖୋଲା ରଖିଥାଏ। କିନ୍ତୁ ‘କ୍ୟାଲିବ୍ରେଟେଡ୍ ଟାଇଟେନିଂ’ର ଅର୍ଥ ହେଉଛି ମୁଦ୍ରାସ୍ଫୀତି ଉପରେ ଚାପ କମାଇବା ପାଇଁ ଆର୍‌ବିଆଇ ଅଧିକ କଠୋର ମୁଦ୍ରାନୀତି ଆପଣାଇବା ଦିଗରେ ଆଗକୁ ବଢ଼ୁଛି।

ଆର୍‌ବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ କୋର୍‌ ମୁଦ୍ରାସ୍ଫୀତିର ଆକଳନକୁ ମଧ୍ୟ ୪.୩ ପ୍ରତିଶତରୁ ବଢ଼ାଇ ୪.୪ ପ୍ରତିଶତ କରିଛି।

ଅନ୍ୟପକ୍ଷରେ ରେପୋ ରେଟ୍‌ ବଢ଼ାଇଥିଲେ ମଧ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଆର୍‌ବିଆଇ ଆଶାବାଦୀ ରହିଛି। ଚଳିତ ବର୍ଷ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି ଆକଳନକୁ ୬.୭ ପ୍ରତିଶତରୁ ବଢ଼ାଇ ୭.୧ ପ୍ରତିଶତ କରାଯାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପର ଗତି ବଜାୟ ରହିଥିବା ଆର୍‌ବିଆଇ କହିଛି।

ମାନୁଫାକ୍ଚରିଂ କ୍ଷେତ୍ରରେ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ କାର୍ଯ୍ୟକଳାପ ମଜଭୁତ ରହିଛି। ସେବା କ୍ଷେତ୍ର ମଧ୍ୟ ସ୍ଥିର ରହିଥିବା ବେଳେ ନିବେଶ କାର୍ଯ୍ୟକଳାପ ଜାରି ରହିଛି। ଘରୋଇ ଉପଭୋଗ ଓ ନିବେଶ ଆଗାମୀ ଦିନରେ ଅଭିବୃଦ୍ଧିର ପ୍ରମୁଖ ଚାଳକ ହେବ ବୋଲି ଆର୍‌ବିଆଇ ଆକଳନ କରିଛି।

ଯୋଗାଣ ଶୃଙ୍ଖଳାରେ ବାଧା ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ। ଦୁର୍ବଳ ମୌସୁମୀ ବର୍ଷା ଏବଂ ଏଲ୍‌ ନିନୋର ସମ୍ଭାବନା ରବି ଫସଲ ଉପରେ ପ୍ରଭାବ ପକାଇପାରେ। ତଥାପି ଗ୍ରାମୀଣ ଓ ସହରାଞ୍ଚଳର ଚାହିଦା ଜାରି ରହିବ ବୋଲି ଆର୍‌ବିଆଇ ଆଶା କରିଛି।

ତେବେ ରେପୋ ରେଟ୍‌ ବୃଦ୍ଧି ଯୋଗୁଁ ବ୍ୟାଙ୍କଗୁଡ଼ିକ ପାଇଁ ଆର୍‌ବିଆଇଠାରୁ ଋଣ ନେବାର ଖର୍ଚ୍ଚ ବଢ଼ିବ। ଏହାର ପ୍ରଭାବରେ ବ୍ୟାଙ୍କ ଋଣର ସୁଧହାର ମଧ୍ୟ ବଢ଼ିପାରେ। ଫଳରେ ଗୃହ ଋଣ, ଗାଡ଼ି ଋଣ ଓ ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ସୁଧର ଭାର ପଡ଼ିବାର ସମ୍ଭାବନା ରହିଛି।

ରେପୋ ରେଟ୍ କ’ଣ?

ରେଟ୍‌ ହେଉଛି ସେହି ସୁଧହାର, ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଅଳ୍ପ ସମୟ ପାଇଁ ଟଙ୍କା ଧାର ନିଅନ୍ତି। ଆର୍‌ବିଆଇ ରେପୋ ରେଟ୍‌ ବଢ଼ାଇଲେ ବ୍ୟାଙ୍କଗୁଡ଼ିକ ପାଇଁ ଟଙ୍କା ଧାର କରିବାର ଖର୍ଚ୍ଚ ବଢ଼ିଯାଏ। ଏହାକୁ ସମନ୍ୱୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ନୂଆ ଋଣର ସୁଧହାର ବଢ଼ାଇପାରନ୍ତି କିମ୍ବା କିଛି ଫ୍ଲୋଟିଂ ରେଟ୍‌ ଋଣର ସୁଧହାର ବଢ଼ିପାରେ।

ଏହାର ଅର୍ଥ ହେଉଛି, ଗୃହ ଋଣ, ଗାଡ଼ି ଋଣ, ବ୍ୟକ୍ତିଗତ ଋଣ ଭଳି ଋଣ ନେଇଥିବା ଲୋକଙ୍କ ମାସିକ EMI ବଢ଼ିପାରେ କିମ୍ବା ଋଣ ପରିଶୋଧ କରିବାର ଅବଧି ବଢ଼ିପାରେ। ଉଦାହରଣ ସ୍ୱରୂପ, ଫ୍ଲୋଟିଂ ସୁଧହାରରେ ଗୃହ ଋଣ ନେଇଥିବା ଗ୍ରାହକଙ୍କ ସୁଧହାର ବଢ଼ିଲେ, ସେହି ଋଣର ମାସିକ କିସ୍ତି ଅଧିକ ହୋଇପାରେ। ତେବେ ପ୍ରତ୍ୟେକ ବ୍ୟାଙ୍କ ଓ ପ୍ରତ୍ୟେକ ଋଣରେ ଏହାର ପ୍ରଭାବ ସମାନ ହେବ ନାହିଁ; ଋଣର ପ୍ରକାର, ସୁଧହାର ଏବଂ ବ୍ୟାଙ୍କର ନିୟମ ଉପରେ ଏହା ନିର୍ଭର କରିବ।

ସେହିପରି, ରେପୋ ରେଟ୍‌ ବଢ଼ିବାର ଲକ୍ଷ୍ୟ ହେଉଛି ବଜାରରେ ଟଙ୍କାର ପ୍ରବାହକୁ କିଛିଟା ନିୟନ୍ତ୍ରଣ କରି ମୁଦ୍ରାସ୍ଫୀତି ଉପରେ ଚାପ କମାଇବା। କିନ୍ତୁ ଏହାର ପ୍ରଭାବରେ ଋଣ ନେଇଥିବା ଲୋକଙ୍କ ପାଇଁ ଧାର କରିବା ଅଧିକ ମହଙ୍ଗା ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।