Red Warning To Four Districts: ବର୍ଷା-ବନ୍ୟାରେ ଉବୁଟୁବୁ ଓଡ଼ିଶା, ୪୯ ବ୍ଲକରେ ସଂଘର୍ଷ କରୁଛନ୍ତି ଲକ୍ଷାଧିକ ଲୋକ

Aug 16, 2026 - 20:10
Red Warning To Four Districts: ବର୍ଷା-ବନ୍ୟାରେ ଉବୁଟୁବୁ ଓଡ଼ିଶା, ୪୯ ବ୍ଲକରେ ସଂଘର୍ଷ କରୁଛନ୍ତି ଲକ୍ଷାଧିକ ଲୋକ

ପାଣିରେ ବୁଡ଼ିଲା ହାଟ, ମାର୍କେଟ ମଝିରେ ଡଙ୍ଗା, ରାସ୍ତାରେ ସୁଅ କାଟୁଛି ବନ୍ୟା ଜଳ। କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ। ଲଗାତର ବନ୍ୟା ସ୍ଥିତିରେ କାଉଲୁବାଉଲୁ ଲୋକେ। ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ରାତି ସାରା ଲଗାଣ ବର୍ଷା ପରେ ଆଜି ସକାଳୁ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ସ୍ଥାନୀୟ କଂଟିଆପଶି ବଜାର। ପାଣିରେ ବୁଡ଼ିଛି ସ୍କୁଲ, କଲେଜ୍, ଅଫିସ, ଡାକ୍ତରଖାନା। ଏପଟେ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଘୁ ଘୁ ପାଣି ଚାଲୁଥିବାରୁ ରାସ୍ତାରେ ଯାତାୟତ ଠପ୍।

ବାଲେଶ୍ବର ସହର ମୋତିଗଞ୍ଜ ପରିବା ମାର୍କେଟରେ ହାଟ ଚାଲୁଥିବା ବେଳେ ହଠାତ ମାଡ଼ି ବର୍ଷା ଜଳ। ଆଉ ସେଇ ଅବସ୍ଥାରେ ହିଁ ବେପାର କରିବାକୁ ବାଧ୍ୟ ବ୍ୟବସାୟୀ। କାରଣ ପାଣି ଯିବାକୁ ବାଟ ନାହିଁ। ଆଣ୍ଠୁଏ ଆଣ୍ଠୁଏ ପାଣିରେ କିଣାକିଣି କରୁଛନ୍ତି ଗ୍ରାହକ। ଏପଟେ ବ୍ରାହ୍ମଣୀରେ ବନ୍ୟା ତଳମୁଣ୍ଡରେ ବର୍ଷା ପରେ ପଟ୍ଟାମୁଣ୍ଡାଇ ସହରର ଜଳାର୍ଣ୍ଣବ ସ୍ଥିତି। ରେଙ୍ଗାଲୀ ଡ୍ୟାମ ଖୋଲିବା ପରେ ଆଳି ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଦ୍ବିତୀୟ ଥର ପାଇଁ ବନ୍ୟା ଜଳ ପଶିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। 

ଏପଟେ ଭଦ୍ରକ ଜିଲ୍ଲାରେ ତଳିଆ ଓ ନଦୀ କୂଳିଆ ଅଞ୍ଚଳ ଲୋକଙ୍କ ପିଛା ଛାଡୁନି ବନ୍ୟା ବିପତ୍ତି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର ବିଭିନ୍ନ ଗାଁରେ ଦ୍ବିତୀୟ ଥର ପାଇଁ ପଶିଛି ବୈତରଣୀର ଦ୍ବିତୀୟ ବନ୍ୟାଜଳ। ଫଳରେ ପୂର୍ବରୁ ଯାହା କିଛି ବଞ୍ଚିଥିଲା, ଏଥର ସେ ସବୁକୁ ପୋଛି ନେଇଛି ବନ୍ୟାର ଆଁ। ସେପଟେ ୩ ଦିନ ହେବ ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥ ସହ ଆରଡି-ଚାନ୍ଦବାଲି, ଆରଡି-ଧାନଖଣିଆ ମତୋ ଆଦି ରାସ୍ତାରେ ୪-୫ ଫୁଟ ପାଣି ପରେ ଯିବା ଆସିବା ରାସ୍ତା ସଂପୂର୍ଣ୍ଣ ବନ୍ଦ୍। ତେଣେ ଯାଜପୁର ଜିଲ୍ଲାରେ ବୈତରଣୀ ପୁଣି ବିପଦ ସଙ୍କେତ ଟପିବାରୁ ଶାଖା କାଣୀ ନଦୀରେ ଆଜି ଆଉ ଗୋଟିଏ ସ୍ଥାନରେ ନଦୀ ବନ୍ଧ ଧସିଛି। ଏପଟେ ଦଶରଥପୁର ବ୍ଲକ୍ ଅଞ୍ଚଳରେ ସପ୍ତାହ ସପ୍ତାହ ଧରି ବନ୍ୟା କଳବରୁ ମିଳିପାରୁନି ମୁକ୍ତି।

ପ୍ରବଳ ବର୍ଷାରୁ ଏପଟେ ପର୍ଯ୍ୟଟନ ସହର ପୁରୀରେ ବି ଅଚଳାବସ୍ଥା। ସହରର ବିଭିନ୍ନ ସାହି, ବସ୍ତି ଓ ମୁଖ୍ୟ ରାସ୍ତାରେ ଜଳାବନ୍ଦୀ ସ୍ଥିତି। ସହରରେ ଡ୍ରେନେଜ୍ ବ୍ୟବସ୍ଥା ଅକାମୀ ହୋଇଥିବାରୁ ବଡ଼ ବର୍ଷାରେ ଜଳ ପ୍ରଳୟର ସାମ୍ନା କରୁଛନ୍ତି ସହରବାସୀ।

ରାଜ୍ୟରେ ଲଗାଣ ବର୍ଷା ଓ ଲଗାତର ବନ୍ୟା ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏଥର ବନ୍ୟାରେ ରାଜ୍ୟର ୪୯ ବ୍ଲକର ୩୩୧ ପଞ୍ଚାୟତ ଅଧୀନ ୯୪୭ ଗାଁ ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ୫ ଲକ୍ଷ ୧୫ ହଜାର ଲୋକ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ସହ ସବୁ ଜିଲ୍ଲାପାଳଙ୍କୁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ପାଇଁ ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ, ବାଲେଶ୍ବର, ଯାଜପୁରକୁ ୩ ବରିଷ୍ଠ ଅଫିସର ଯାଇ ବନ୍ୟା ସ୍ଥିତି ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଦାୟିତ୍ୱରେ IAS ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ଦାୟିତ୍ୱରେ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପି. ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଦାୟିତ୍ୱ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।