Refrigerator Explodes: କ୍ଷଣିକରେ ଛାରଖାର ଗଣେଶ ପୂଜା ଖୁସି; ଫ୍ରିଜ ବିସ୍ଫୋରଣରେ ପରିବାରର ୪ ମୃତ, ୨ ଜଣ ଆହତ

Sep 15, 2026 - 13:25
Refrigerator Explodes: କ୍ଷଣିକରେ ଛାରଖାର ଗଣେଶ ପୂଜା ଖୁସି; ଫ୍ରିଜ ବିସ୍ଫୋରଣରେ ପରିବାରର ୪ ମୃତ, ୨ ଜଣ ଆହତ

କର୍ଣ୍ଣାଟକର ବେଲାଗାଭିରେ ଘଟିଛି ବଡ଼ ଅଘଟଣ। ଏକ ଘରେ ଫ୍ରିଜ ବିସ୍ଫୋରଣ ହେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ଘଟିଛି ଏହି ଅଘଟଣ। 

ଏହି ଘଟଣାରେ ଗଜାନନ ଦାମୋନ (୬୫) ଓ ପୁଅ ରୋଶନ ଦାମୋନ (୨୧) ଗୁରୁତର ଆହତ ହୋଇଥିବା ବେଳେ ଗଜାନନଙ୍କ ପତ୍ନୀ ଶାରଦା ଦାମୋନ (୪୫) ଓ ସେମାନଙ୍କର ଦୁଇ ଝିଅ ଗଙ୍ଗା ଦାମୋନ (୨୫) ଏବଂ ପ୍ରିୟା ଦାମୋନ (୨୪)ଙ୍କ ସହ ଶାରଦାଙ୍କ ଭଉଣୀ ଭାରତୀ ଦାମୋନ(୫୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗଜାନନ ଓ ରୋଶନ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ବେଲାଗାଭି ପୋଲିସର ସୂଚନା ଅନୁସାରେ, ବେଲଗାଭି ସେଣ୍ଟ୍ରାଲ ବସ୍‌ ଷ୍ଟାଣ୍ଡ ନିକଟ ଚାଭାଟ ଗଳିରେ ରହୁଥିବା ଦାମୋନ ପରିବାର ଘଟଣା ଦିନ ରାତିରେ ରାତ୍ରୀଭୋଜନ ପରେ ଶୋଇବାକୁ ପଳାଇଥିଲେ। କିନ୍ତୁ ରାତି ପ୍ରାୟ ୨ଟା ୧୫ରେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ରେଫ୍ରିଜିରେଟର ଫାଟିଯିବାରୁ ଚାରିଆଡେ ନିଆଁ ବ୍ୟାପିଯାଇଥିଲା। ଯାହାଫଳରେ ନିଆଁ କବଳିତ ଘର ଭିତରେ ଫସି ଯାଇଥିଲା ପୂରା ପରିବାର। ନିଆଁରେ ପୋଡି ହୋଇ ୪ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ମୃତ୍ୟୁଠୁ ବଞ୍ଚିଯାଇଥିବା ଗଜାନନ ଓ ରୋଶନଙ୍କର ୬୦ ପ୍ରତିଶତ ଶରୀର ପୋଡିଯାଇଛି। ଘରଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି।

ତେବେ ମିଳିଥିବା ସୂଚନା ମୁତାବକ, ପୂରା ପରିବାର ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚଳାଇଥିଲେ। ତେଣୁ ସେମାନେ ଘରେ ଆଣି ମୂର୍ତ୍ତି ରଖିଥିଲେ। ଘର ସାଜସଜ୍ଜା ପାଇଁ ଲାଇଟ୍ ଲଗାଇଥିଲେ। ସେହି ଲାଇଟ୍‌ରୁ ସର୍ଟସର୍କିଟ ହୋଇ ଫ୍ରିଜରେ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଘଟଣାର ତଦନ୍ତ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।