Rice Meant for Children Allegedly Stolen: ସାମନାକୁ ଆସିଲା ଚାଉଳ ହରିଲୁଟର ସାଂଘାତିକ ଚିତ୍ର; ୫୦ କେଜି ବସ୍ତା, ୫ କିଲୋ ଗାଏବ

Sep 04, 2026 - 20:17
Rice Meant for Children Allegedly Stolen: ସାମନାକୁ ଆସିଲା ଚାଉଳ ହରିଲୁଟର ସାଂଘାତିକ ଚିତ୍ର; ୫୦ କେଜି ବସ୍ତା, ୫ କିଲୋ ଗାଏବ

ଏଫସିଆଇ ଗୋଦାମରୁ ୫୦ କିଲୋ ଓଜନର ବସ୍ତା ଆସୁଛି। କିନ୍ତୁ ସ୍କୁଲ ଓ ଅଙ୍ଗନବାଡ଼ିରେ ପହଞ୍ଚିବା ବେଳକୁ ବସ୍ତାରୁ ପ୍ରାୟ ୫ କିଲୋ ଚାଉଳ ଗାଏବ। ମଝିରେ ଟ୍ରାନ୍ସପୋର୍ଟ ଠିକାଦାର ଦେଇ ଚାଉଳ ଠିକଣା ସ୍ଥାନରେ ପହଞ୍ଚିବା ବେଳକୁ କମିଯାଉଛି ବସ୍ତାର ଓଜନ। ଆଉ ପିଲାଙ୍କ ମଧ୍ୟାନ୍ନ ଭୋଜନ ଯୋଜନାରେ ଆସୁଥିବା ଚାଉଳକୁ ହରିଲୁଟ୍ କରିବାକୁ ପଛାଉ ନାହାନ୍ତି କିଛି ଅସାଧୁ ବ୍ୟକ୍ତି। 

ନିକଟରେ ଗଜପତି ଓ କୋରାପୁଟ ଜିଲ୍ଲାରୁ ଏମିତି କିଛି ଚାଉଳ ଚୋରିର ଭିଜୁଆଲ ସାମ୍ନାକୁ ଆସିଥିବା ବେଳେ ଉଭୟ ଜିଲ୍ଲାରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। 

ସରକାରୀ ବ୍ୟବସ୍ଥାରେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗୋଦାମରେ ଚାଲିଛି ଚାଉଳର ବାଟରମାରଣା। ଚୋରି ପୁଣି ଦିନ ଦିପହରେ, ଆଉ ବ୍ୟବସ୍ଥିତ ଢଙ୍ଗରେ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏ ଚିତ୍ର ଗଜପତି ଜିଲ୍ଲାର। ଏଫସିଆଇ ଗୋଦାମରୁ ଚାଉଳ ଟ୍ରାନସ୍ପୋର୍ଟ ଠିକାଦାରଙ୍କ ପାଖରେ ପହଞ୍ଚିବା ପରେ ବସ୍ତା ଖୋଲାନଯାଇ ଏଇଭଳି ତରିକାରେ କଢାଯାଉଛି। ଆଉ ୫୦ କିଲୋ ବସ୍ତାରୁ ପ୍ରାୟ ୫ କେଜି ଚାଉଳ ଲୁଟ୍ ପରେ ପୁଣି ସହି ସଲାମତ ଯାଉଛି ଗନ୍ତବ୍ୟ ସ୍ଥଳକୁ। 
ଏହି ଭିଡିଓ ଭାଇରାଲ ପରେ ଯୋଜନାବଦ୍ଧ ଦୁର୍ନୀତି ବିରୋଧରେ ମୁହଁ ଖୋଲିଛନ୍ତି ସ୍ଥାନୀୟ ବାସିନ୍ଦା। କଥା ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ଘଟଣାର ତଦନ୍ତ କରି ଦୁର୍ନୀତିଖୋରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ। 

ଏପଟେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ବି ଆସିଛି ଯୋଜନାବଦ୍ଧ ଚାଉଳ ଚୋରିର ଚିତ୍ର। ଜିଲ୍ଲାର କୋଟପାଡ଼ ଓ ବୋରିଗୁମ୍ମା ଅଞ୍ଚଳର ୨୩୦ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଣ ହେଉଥିବା ଚାଉଳକୁ, ଗୋଦାମରେ ଖୁଲମଖୁଲା ଲୁଟ ହେଉଛି। କୁନି କୁନି ଶିଶୁଙ୍କ ଆହାର ଉପରେ ପାହାର ଦେଉଥିବା କିଛି ଅସାଧୁ ଲୋକଙ୍କ ଏ କଳା କାରନାମା ଧରାପଡ଼ିବା ପରେ କୁସୁମୀ ଅଞ୍ଚଳରେ ତୀବ୍ର ଅସନ୍ତୋଷ। 

ସ୍ଥାନୀୟ ହଲଦୀଗୁଡ଼ା ଗାଁ ଲୋକେ ଏକାଠି ହୋଇ ଜୟପୁର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ପରେ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାଉଣ୍ଡକୁ ଯାଇ ତଦନ୍ତ କରିଛି। ସେପଟେ ବସ୍ତାରେ ଚାଉଳର ପରିମାଣ ନିର୍ଦ୍ଦିଷ୍ଟ ଭାବେ କାହିଁକି ୫୦ କିଲୋ ରହୁନି, ସେନେଇ ଅଜବ ଯୁକ୍ତି ରଖିଛନ୍ତି ଚାଉଳ ଯୋଗାଣକାରୀ ଠିକା ସଂସ୍ଥା। ପିଲାଙ୍କ ଭୋଜନରେ ହାତ ମାରିବା କେବଳ ଚାଉଳ ଚୋରି ନୁହେଁ, ଏହା ପିଲାଙ୍କ ଅଧିକାର ଉପରେ ଡକାୟତି।

  • ବାଟ ମଝିରୁ ପିଲାଙ୍କ ଚାଉଳ ହରିଲୁଟ୍
  • ଆସୁଛି ୫୦ କିଲୋ, ବାଟରେ ୫ କିଲୋ ଗାଏବ
  • ସିଲ୍ ବସ୍ତାରୁ ଚାଲିଛି ଚାଉଳ ଲୁଟପାଟ୍
  • କୋରାପୁଟ ଓ ଗଜପତିରେ କେଳେଙ୍କାରୀ ସଂଘାତିକ ଚିତ୍ର
  • ଖୋଲିଲା ସ୍କୁଲ ଓ ଅଙ୍ଗନବାଡ଼ି ଚାଉଳ ହେରଫେର ଗୁମର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।