Rising Rivers and Continuous Rain: ଯାଇନି ବନ୍ୟା ଦୁର୍ଦ୍ଦଶା, ପୁଣି ମାଡ଼ି ଆସୁଛି ବଡ଼ ବର୍ଷା; କେଉଁଠି ବୁଡ଼ାଇବ ତ ପୁଣି କେଉଁଠି ଭସାଇବ!
ବନ୍ୟା ଯିବାର ସପ୍ତାହେ ହୋଇନି, ଭୟ ବଢାଇଛି ଆଉ ଏକ ବଡ଼ ବନ୍ୟା ଆଶଙ୍କା। କାରଣ ଆସନ୍ତା ୨ ଦିନ ଯାଏଁ ଓଡ଼ିଶାରେ ଅତି ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ୱାର୍ଣ୍ଣି ବି ଜାରି ହୋଇଛି। ତା ପଛକୁ ସମ୍ଭାବ୍ୟ ଲଘୁଚାପକୁ ନେଇ ଚିନ୍ତା ବଢ଼ିଛି। ତାହାରି ଭିତରେ ଅବିଶ୍ରାନ୍ତ ବର୍ଷା ଯୋଗୁ ନଦୀକୁଳିଆଙ୍କ ଜୀବନଯାତ୍ରା ବିଗିଡ଼ିଯାଇଥିବାବେଳେ ଆସୁଥିବା ବଡ଼ ବର୍ଷା ଆତଙ୍କ ଖେଳାଇଦେଇଛି।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏ ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଜାରି ଏହି ମ୍ୟାପକୁ ନଜର ପକାନ୍ତୁ। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆର୍ଲଟ ଜାରି କରାଯାଇଛି।
ସେହିପରି ୧୯ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଲାଗି ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି।
ତେଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ରାଜଧାନୀ ଭୁବନେଶ୍ବରରେ ବି ତୁହାକୁ ତୁହା ବର୍ଷା ଯୋଗୁଁ ଉପକଣ୍ଠ ଦାରୁଠେଙ୍ଗ, ନୂଆଗାଁ , ଗଙ୍ଗୁଆ ବସ୍ତି ଜଳାର୍ଣ୍ଣବ ହୋଇପଡ଼ିଛି। ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଘରେ ରହିବା ଏବଂ ରୋଷେଇବାସ ପାଇଁ ଲୋକେ ନାକେଦମ୍ ହୋଇଛନ୍ତି।
ଏଣେ ବର୍ଷା ଓ ବନ୍ୟାରେ ଉବୁଟୁବୁ ହୋଇ ଏଯାଏଁ ଅଧିକାଂଶ ବିପନ୍ନ ଘରକୁ ଫେରିନଥିବା ବେଳେ ପୁଣି ଫୁଲିଛି ନଦୀ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ଭଦ୍ରକର ସାଳନ୍ଦୀ ଓ ନାଳିଆ ନଦୀରେ ଆସିଛି ବନ୍ୟା। ହଦଗଡ଼ ଡ୍ୟାମ ପାଣି ଛାଡିବାରୁ ତିହିଡି ବ୍ଲକର ତଳଗୋପବିନ୍ଧା ଓ ବାରୋ ପଞ୍ଚାୟତରେ ଜଳାର୍ଣ୍ଣବ ହୋଇଛି।
ମତଗଜପୁର ପୋଲ ଉପରେ ୩ଫୁଟ ଉଚ୍ଚର ବନ୍ୟାପାଣି ଚାଲୁଛି। ତିଆଡିସାହିରେ ନାଳିଆ ବନ୍ଧରେ ଘାଇହୋଇ ନଦୀବନ୍ଧ ଭାଙ୍ଗିବାରୁ ଏହି ଅଞ୍ଚଳର ଲୋକମାନେ ଭୟବୀତ ହୋଇପଡିଛି। ଏହି ପଞ୍ଚାୟତର ନରସିଂପୁର, ହଟନଗର,ମହାଳିକସାହି, ବ୍ରାହ୍ମଣ ଶାସନ ଏବଂ ତଳପଦା ଆଦି ଗାଁ ଏବେବି ବନ୍ୟା ଘେରରେ । କିଛି କିଛି ଲୋକ ଉଚ୍ଚସ୍ଥାନ ମାନଙ୍କରେ ଆଶ୍ରୟ ନେଇଛନ୍ତି। ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ସ୍ଥିତି ନକହିବା ଭଲ ।
ଦୁଇ ସପ୍ତାହ ପରେବି ବନ୍ୟା ପାଣି ଛାଡିନଥିବାରୁ ଏବେବି ଲୋକଙ୍କ ଦୁର୍ଦ୍ଦଶା ଆଖିରେ ନଦେଖିଲେ ବିଶ୍ବାସ କରିହେବନି । ବନ୍ୟା ଛାଡୁ ଛାଡୁ ପୁଣି ବର୍ଷାର ଭୟ ଚିନ୍ତାର କାରଣ ହୋଇଛି। ସେପଟେ ଯାଜପୁର ଜିଲ୍ଲାର ଦଶରଥପୁର କାଣି ନଦୀରେ ହୋଇଥିବା ସର୍ବାଧିକ ୭ଟି ଘାଇ ଏଯାଏ ମରାମତି ସରିନାହିଁ। ଏହାରି ଭିତରେ ବର୍ଷା ହେଲେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଜିଲ୍ଲାର ଦଶରଥପୁର ଓ ବିଞ୍ଝାରପୁର ବାସୀଙ୍କ ଚିନ୍ତାକୁ ବଢାଇଦେଛି।
ଜୁଲାଇ ମାସରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲା ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ୮ ଲକ୍ଷରୁ ଅଧିକ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଥିଲେ। ଏବେବି ଅଧିକାଂଶ ସ୍ଥାନରେ ସ୍ବାଭାବିକ ଅବସ୍ଥା ଫେରିନଥିବା ବେଳେ ପୁଣି ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପୁଣି ବନ୍ୟାର ଭୟ ଘାରିଛି ନଦୀକୂଳିଆ ଲୋକଙ୍କୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।