Road Blockade: ଅଧପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ: ବର୍ଷାରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ସୁନ୍ଦରଗଡ଼ /ବିଶ୍ରା (ଦେବ କୁମାର ଦେ): ମାସ ମାସ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଜାତୀୟ ରାଜପଥ NH-320Dର ନିର୍ମାଣ କାର୍ଯ୍ୟ।
ରାସ୍ତା ସାରା କାଦୁଅ, ଧୂଳି ଓ ବର୍ଷାଜଳ ଜମି ରହିବା ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।
ଶେଷରେ ଗୁରୁବାର ସକାଳେ ପ୍ରବଳ ବର୍ଷାକୁ ଖାତିର ନକରି ଶତାଧିକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଚକାଜାମ କରିଛନ୍ତି।
ଏହି ରାସ୍ତାରୋକ ଯୋଗୁଁ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
Advertisment ଜରାଇକେଲାରୁ ରାଉରକେଲା ପର୍ଯ୍ୟନ୍ତ ନିର୍ମାଣାଧୀନ NH-320Dର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଏବଂ ଏଥିରେ ଅବ୍ୟବସ୍ଥା ଲାଗିରହିଥିବା ଅଭିଯୋଗ କରି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଗୁରୁବାର ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସ୍ଥାନୀୟ ଲୋକ, ଯୁବକ ଓ ବଜାରର ବ୍ୟବସାୟୀମାନେ ସାମିଲ ହୋଇଥିଲେ।
ବିଜେଡିର ସ୍ଥାନୀୟ ନେତା ସୋମନାଥ ରାହାଙ୍କ ନେତୃତ୍ୱରେ ପ୍ରଦର୍ଶନକାରୀମାନେ ଜରାଇକେଲା ମୁଖ୍ୟ ବଜାରରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ତେବେ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀକାଳୀନ ସେବା ସହ ଜଡ଼ିତ ଯାନବାହନକୁ ଯାତାୟାତ ପାଇଁ ଅନୁମତି ଦିଆଯାଇଥିଲା।
ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି।
ରାସ୍ତାର ଅନେକ ସ୍ଥାନ ଭାଙ୍ଗିରୁଜି ଯାଇଥିବାବେଳେ ବର୍ଷା ହେଲେ କାଦୁଅ ଓ ଜଳ ଜମି ରହୁଛି।
ଫଳରେ ଯାନବାହନ ଚଳାଚଳ ତ ଦୂରର କଥା, ଲୋକଙ୍କ ପାଇଁ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ କହିଛନ୍ତି।
ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ସମାଧାନ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ବିଜେଡି ନେତା ସୋମନାଥ ରାହା କହିଛନ୍ତି ଯେ, ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ।
ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଶ୍ରାରୁ ଜରାଇକେଲା ପର୍ଯ୍ୟନ୍ତ ସମଗ୍ର ରାସ୍ତାରେ ଯାତାୟାତ ବନ୍ଦ କରାଯିବ।
ରାସ୍ତା ନିର୍ମାଣ ସମ୍ବନ୍ଧୀୟ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଯାନବାହନର ଲମ୍ବା ଧାଡ଼ି, ଯାତ୍ରୀ ହନ୍ତସନ୍ତ ପ୍ରବଳ ବର୍ଷା ମଧ୍ୟରେ ରାସ୍ତାରୋକ ଜାରି ରହିବାରୁ ଜାତୀୟ ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲାଗିଥିଲା।
ଏଥିଯୋଗୁଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ବିଶେଷକରି ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା।
ଖବର ଲେଖା ହେବା ସୁଦ୍ଧା ରାସ୍ତାରୋକ ଜାରି ରହିଥିବାବେଳେ ଦୀର୍ଘଦିନର ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଦାବି କରିଛନ୍ତି।
Cyclone Arnab: ବାତ୍ୟା 'ଅର୍ଣ୍ଣବ'ରେ ବେହାଲ ଗଜପତି : ତଳମୁଣ୍ଡକୁ ସତର୍କ ସୂଚନା ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।