Rourkela: ସ୍ମାର୍ଟସିଟିର ଚେହେରା ଏମିତି! ବେସାହାରାଙ୍କ ପାଇଁ କିଏ?

Oct 17, 2026 - 19:03
Rourkela: ସ୍ମାର୍ଟସିଟିର ଚେହେରା ଏମିତି! ବେସାହାରାଙ୍କ ପାଇଁ କିଏ?

"ରାଉରକେଲା (ଦେବବ୍ରତ ଗଡ଼ତିଆ): ବର୍ଷପରେ ବର୍ଷ ବିତୁଛି, କିନ୍ତୁ ସ୍ମାର୍ଟସିଟିର ବେସାହାରାଙ୍କ ପାଇଁ ସବୁ ଯୋଜନା ପ୍ରହସନ ପାଲଟିଛି।

ବର୍ଷା ହେଉ କି ହାଡ଼ଭଙ୍ଗା ଶୀତ, ଏମାନେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଚଳିତବର୍ଷ ମଧ୍ୟ ଶୀତଦିନରେ ସମାନ ଦୃଶ୍ୟ ପରିଲକ୍ଷିତ ହେବ।

କାରଣ, ଏମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାୟୀ ବ୍ୟବସ୍ଥା କରାଯାଉନି।

ବେସାହାରାକୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରକୁ ନିଆଯାଉନି କିମ୍ବା ବ୍ୟାପକ ସଚେତନ ବି କରାଯାଉନି।

ସହରର ରେଳ ଷ୍ଟେସନ ହେଉ କିମ୍ବା ବସଷ୍ଟାଣ୍ଡ୍‌, ମାର୍କେଟ୍‌ କଂପ୍ଲେକ୍ସ, ଭେଣ୍ଡିଂ ଜୋନ୍‌, ରାସ୍ତାକଡ଼, ପ୍ରାୟ ସବୁସ୍ଥାନରେ ବେସାହାରାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି।

Advertisment ଏତଦ୍‌ ବ୍ୟତୀତ ଅନ୍ୟ ରାଜ୍ୟରୁ ଆସୁଥିବା ଦିନମଜୁରିଆ, ବୁଲା ବିକାଳିଙ୍କ ଯୋଗୁ, ସଂଖ୍ୟା ଦ୍ବିଗୁଣିତ ହୋଇଥାଏ।

ଏମାନଙ୍କ ପାଇଁ ଆର୍‌ଏମ୍‌ସି ପକ୍ଷରୁ ସହରରେ ୪ଟି ସ୍ଥାନ, ଯଥା-ପାୱାର ହାଉସ୍‌ ରୋଡ୍‌, ବସଷ୍ଟାଣ୍ଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।

ଏତଦ୍‌ବ୍ୟତୀତ ସେକ୍ଟର-୮ରେ ଭିକ୍ଷୁକମାନଙ୍କ ପାଇଁ ଆଶ୍ରୟ କେନ୍ଦ୍ର "ଆଶାର ଆଲୋକ" ସ୍ଥାପନ କରାଯାଇଛି।

ତେବେ ଏସବୁ ଆଶ୍ରୟକେନ୍ଦ୍ର ଲକ୍ଷ୍ୟଠାରୁ ଢେର୍‌ ଦୂରେଇ ଗଲେଣି।

ଏହି ୫ଟି କେନ୍ଦ୍ରରେ ପାଖାପାଖି ୩ ଶହ ଜଣ ବେସାହାରା ରହିପାରିବେ।

ତେବେ କେବଳ "ଆଶାର ଆଲୋକ" କେନ୍ଦ୍ର ଓ ବସଷ୍ଟାଣ୍ଡ୍‌ରେ କିଛିମାତ୍ରାରେ ନିରାଶ୍ରୟ ରାତ୍ରୀଯାପନ କରୁଥିବାବେଳେ ଅବଶିଷ୍ଟ ୩ଟି କେନ୍ଦ୍ରରେ ନିରାଶ୍ରୟ ସଂଖ୍ୟା ଅତି ନଗଣ୍ୟ।

ଏହା ପଛରେ ଏକାଧିକ କାରଣ ରହିଛି।

ପ୍ରମୁଖ କାରଣ ହେଉଛି ପରିଚାଳନାଗତ ସମସ୍ୟା ଓ ସଚେତନତାର ଅଭାବ।

ବହୁ ବାସହୀନ, ଯଥା-ରିକ୍ସା ଚାଳକ, ଜରି/ବୋତଲ ଗୋଟାଳି ନିଜ ନିଜ ସାମଗ୍ରୀକୁ ପାଖରେ ରଖି ସହ ରାତ୍ରିଯାପନ କରିଥାନ୍ତି।

ଆଶ୍ରୟସ୍ଥଳୀର କଠୋର ନିୟମ ଯୋଗୁ ସେମାନେ ନିଜ ସାମଗ୍ରୀକୁ ସେଠାକୁ ନେଇପାରିନଥାନ୍ତି।

ଏଥିସହ ଅସୁରକ୍ଷିତ ପରିବେଶ ଯୋଗୁ ଚୋରି ହେବାର ଆଶଙ୍କା ରହିଛି।

ମାତ୍ରାଧିକ କଟକଣା ମଧ୍ୟ ଅନ୍ୟତମ କାରଣ ପାଲଟିଛି।

Rourkela: ଭୁଶୁଡ଼ୁଛି ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା, କାଗଜପତ୍ରରେ ସୀମିତ ଆର୍‌ଏମ୍‌ସି ସ୍ୱଚ୍ଛତା ପ୍ରାୟତଃ ରିକ୍ସାଚାଳକ, ବୋତଲ ଗୋଟାଳି ତଥା ଦିନମଜୁରିଆ ବିଳମ୍ବିତ ରାତି ଯାଏ କାମ କରିଥାନ୍ତି।

କାମ ସାରି ଫେରିବାବେଳକୁ ଆଶ୍ରୟକେନ୍ଦ୍ର ବନ୍ଦ ହୋଇଯାଉଥିବାରୁ ଆଶ୍ରୟନେବାରୁ ବଞ୍ଚିତ ହେଉଥିବା କହିଛନ୍ତି।

ଏହାସହ ଖାଦ୍ୟପେୟ, ପରିମଳ ସମସ୍ୟାକୁ ମଧ୍ୟ ଦାୟୀ କରିଛନ୍ତି।

ଅପରପକ୍ଷରେ ଆଶ୍ରୟସ୍ଥଳରେ ତମାଖୁ, ସିଗାରେଟ୍ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାର ଉପରେ କଟକଣା ଯୋଗୁ କିଛି ନିରାଶ୍ରୟ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏନେଇ ସଚେତନତା ସହ ଉଦ୍ଧାରକାର୍ଯ୍ୟକୁ ବ୍ୟାପକକରି ବେସାହାରାକୁ ଆଶ୍ରୟସ୍ଥଳୀରେ ରଖିବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।