Rural Development: ୨୦ ବର୍ଷ ଧରି ତାରପୋଲିନ୍ ତଳେ ଜୀବନ: ମୌଳିକ ସୁବିଧାରୁ ବଞ୍ଚିତ ୨୫ ପରିବାର
"ଭବାନୀପାଟଣା(ସୁଶାନ୍ତ ମହାପାତ୍ର): ନାଁ କଲେକ୍ଟର ପଡ଼ା।
କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ବସ୍ତିରେ ଆଜି ବି ପାନୀୟ ଜଳ, ବାସଗୃହ, ଶିକ୍ଷା ଓ ରାସ୍ତା ଭଳି ମୌଳିକ ସୁବିଧା ଅପହଞ୍ଚ।
ପ୍ରାୟ ଦୁଇ ଦଶନ୍ଧି ଧରି ଏଠାରେ ବସବାସ କରୁଥିବା ୨୫ ପରିବାର ମଧ୍ୟରୁ ୧୦ ପରିବାର ଆଜି ବି ତାରପୋଲିନ୍ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।
ସରକାର ବିକଶିତ ଭାରତ ଓ ବିଭିନ୍ନ ଆବାସ ଯୋଜନାର ସଫଳତା ପ୍ରଚାର କରୁଥିବା ବେଳେ ଏହି ପଡ଼ାର ଚିତ୍ର ସରକାରୀ ଦାବି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।Advertisment ଜମି ପଟ୍ଟା ମିଳିନାହିଁ ପ୍ରାୟ ୨୦ ବର୍ଷ ପୂର୍ବେ କେସିଙ୍ଗା ରେଳ ଷ୍ଟେସନ୍ ନିକଟରେ ଭୂମିହୀନ ଭାବେ ତାରପୋଲିନ୍ ତଳେ ରହୁଥିବା ୨୦ରୁ ୨୫ ପରିବାରଙ୍କୁ ସେତେବେଳର ଜିଲ୍ଲାପାଳ ଥଇଥାନ କରିବା ଉଦ୍ଦେଶ୍ୟରେ କୁରଲୁପଡ଼ା ନିକଟସ୍ଥ ଏମଏସଏମଇ ପାର୍କ ପଛପଟ ଜଙ୍ଗଲ ସଂଲଗ୍ନ ସରକାରୀ ଜମିରେ ବସବାସ ପାଇଁ ସ୍ଥାନାନ୍ତର କରିଥିଲେ।
ଉନ୍ନତ ଜୀବନର ଆଶା ନେଇ ପରିବାରଗୁଡ଼ିକ ସେଠାକୁ ଆସିଥିଲେ।
ହେଲେ ସ୍ଥାନାନ୍ତର ପରେ ସେମାନଙ୍କ ପ୍ରତି ପ୍ରଶାସନର ନଜର ପଡ଼ିନଥିବାରୁ ଆଜି ବି ସେମାନେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି।
ଜିଲ୍ଲାପାଳଙ୍କ ଦ୍ୱାରା ଏଠାରେ ଥଇଥାନ କରାଯାଇଥିବାରୁ ସ୍ଥାନୀୟ ଲୋକେ ବସ୍ତିର ନାଁ ରଖିଛନ୍ତି "କଲେକ୍ଟର ପଡ଼ା"।
କିନ୍ତୁ ଏତେ ବର୍ଷ ପରେ ମଧ୍ୟ କୌଣସି ପରିବାରକୁ ଜମି ପଟ୍ଟା ମିଳିନାହିଁ।
ବରଂ ବାରମ୍ବାର ଜବରଦଖଲ ନୋଟିସ ଆସୁଥିବା ଅଭିଯୋଗ ହୋଇଛି।
ପଟ୍ଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ ହୋଇଛନ୍ତି।
ବର୍ତ୍ତମାନ ୧୦ଟି ପରିବାର ତାରପୋଲିନ୍ ଘରେ ରହୁଛନ୍ତି।
ଖରା, ବର୍ଷା କିମ୍ବା ଶୀତ—ସବୁ ଋତୁରେ ସେହି ତାରପୋଲିନ୍ ହିଁ ସେମାନଙ୍କ ଏକମାତ୍ର ଆଶ୍ରୟ।
ସେଠାରେ ରୋଷେଇ, ଶୋଇବା ଓ ଖାଇବା ସବୁକିଛି ହେଉଛି।
ଶୌଚାଳୟ ନଥିବାରୁ ମହିଳା ଓ ପୁରୁଷ ସମସ୍ତଙ୍କୁ ଖୋଲା ଆକାଶ ତଳେ ନିତ୍ୟକର୍ମ ସାରିବାକୁ ପଡ଼ୁଛି।
ଗ୍ରୀଷ୍ମର ୪୪ ଡିଗ୍ରୀ ତାପମାତ୍ରା ହେଉ କି ବର୍ଷାର ଝଡ଼, ସେହି ତାରପୋଲିନ୍ ହିଁ ସେମାନଙ୍କ ଭରସା।
ଶିଶୁ ପୁଷ୍ଟିହୀନତାର ଶିକାର ଏହି ବସ୍ତିରେ ଭିନ୍ନକ୍ଷମ ପରିବାର ମଧ୍ୟ ରହିଛନ୍ତି।
କେହି ଭିକ୍ଷାବୃତ୍ତି କରି ତ ପୁଣି କେହି ପ୍ଲାଷ୍ଟିକ, କାଗଜ ଓ ଆବର୍ଜନା ସଂଗ୍ରହ କରି କବାଡ଼ିବାଲାଙ୍କୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି।
ଅନେକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବା ବେଳେ ସଚେତନତା ଅଭାବରୁ ଅନେକ ପିଲା ସ୍କୁଲକୁ ମଧ୍ୟ ଯାଉନାହାନ୍ତି।ପାନୀୟ ଜଳ ପାଇଁ କେବଳ ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭରଶୀଳ।
ପାଇପ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ବହୁଦିନ ହେଲା ପାଇପରେ ପାଣି ଆସୁନାହିଁ।
ନଳକୂଅରୁ ଲୁହାଯୁକ୍ତ ପାଣି ବାହାରୁଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଥିବା ବାସିନ୍ଦାମାନେ କହିଛନ୍ତି।
ନଳକୂଅ ଖରାପ ହେଲେ ବହୁ ଦୂରରୁ ପାଣି ଆଣିବାକୁ ପଡ଼େ।ସମ୍ପ୍ରତି ବିଦ୍ୟୁତ ସଂଯୋଗ ମିଳିଥିଲେ ମଧ୍ୟ ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଅଚଳ ଥିବାରୁ ରାତିରେ ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡ଼ି ରହୁଛି।
ଫଳରେ ସାପ ଓ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁ ବସ୍ତିକୁ ପଶି ଆସୁଥିବାରୁ ଲୋକେ ସର୍ବଦା ଭୟଭୀତ ଅବସ୍ଥାରେ ରହୁଛନ୍ତି।
Richest Temples: ୫ ମାସ ପରେ ଖୋଲିଲା ରାୟଗଡ଼ା ମା' ମଝିଘରିଆଣୀଙ୍କ ହୁଣ୍ଡି, କୋଟି କୋଟି ଟଙ୍କାର ଦାନ ଗଣତି ଆରମ୍ଭ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ।
କେହି ଗୁରୁତର ଅସୁସ୍ଥ ହେଲେ ଆମ୍ବୁଲାନ୍ସ ବସ୍ତି ପର୍ଯ୍ୟନ୍ତ ଆସିପାରୁ ନଥିବାରୁ ରୋଗୀଙ୍କୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ପଡ଼ୁଛି।
ଏହାର ବିଳମ୍ବ ଯୋଗୁଁ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ବାସିନ୍ଦାମାନେ କହିଛନ୍ତି।
ବସ୍ତିବାସୀଙ୍କ ଅଭିଯୋଗ ଅନୁସାରେ, ନିର୍ବାଚନ ସମୟ ବ୍ୟତୀତ କୌଣସି ଜନପ୍ରତିନିଧି କିମ୍ବା ଅଧିକାରୀ ସେଠାକୁ ଆସନ୍ତି ନାହିଁ।
କେବଳ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି।
ଏପରିକି ନଳକୂଅ ମରାମତି ପାଇଁ ମଧ୍ୟ ଅର୍ଥ ଦାବି କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।