Sai Pallavi Sita Role: ‘ରାମାୟଣ’ରେ ସାଇ ପଲ୍ଲବୀଙ୍କୁ କାହିଁକି ବାଛିଲେ ନିର୍ମାତା? ୟଶ କହିଲେ ମନର କଥା
ବହୁ ପ୍ରତୀକ୍ଷିତ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ୟଶ ନଜର ଆସିବେ। ଏବେ ସାଇ ପଲ୍ଲବୀଙ୍କୁ ନେଇ ୟଶଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ସାଇ କାହିଁକି ମାତା ସୀତାଙ୍କ ଭୂମିକା ପାଇଁ ଉପଯୁକ୍ତ, ସେ ବିଷୟରେ ନିଜର ମତ ରଖିଛନ୍ତି ଅଭିନେତା।
ସାଇ ପଲ୍ଲବୀଙ୍କୁ ନେଇ କ’ଣ କହିଲେ ୟଶ?
ଏକ ତେଲୁଗୁ ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ୟଶ ସାଇ ପଲ୍ଲବୀଙ୍କ ଭକ୍ତିଭାବ, ଈଶ୍ୱରଙ୍କ ପ୍ରତି ତାଙ୍କର ବିଶ୍ୱାସ ଓ ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ଯଶଙ୍କ କହିବା ଅନୁସାରେ, ସାଇ ଜଣେ ଭକ୍ତିପରାୟଣା ଅଭିନେତ୍ରୀ ଏବଂ ସେ ପ୍ରାୟତଃ ଈଶ୍ୱରଙ୍କ ବିଷୟରେ କଥା ହୁଅନ୍ତି।
ସେ ଆହୁରି କହିଥିଲେ ଯେ ସାଇଙ୍କ ହୃଦୟ ବହୁତ ଭଲ ଏବଂ ତାଙ୍କ ମଧ୍ୟରେ ସୀତାଙ୍କ ଚରିତ୍ରକୁ ଜୀବନ୍ତ କରିବାର ଦକ୍ଷତା ରହିଛି। ସାଇ ଏହି ଭୂମିକା ନିଭାଉଥିବାରୁ ସେ ଖୁସି ବୋଲି କହିବା ସହ ଦର୍ଶକଙ୍କୁ ତାଙ୍କୁ ଭଲ ପାଇବା ଓ ଆଶୀର୍ବାଦ ଦେବାକୁ ଅନୁରୋଧ କରିଥିଲେ।
କେବେ ରିଲିଜ୍ ହେବ ‘ରାମାୟଣ: ପାର୍ଟ ୧’?
ଫିଲ୍ମର ନିର୍ମାତାଙ୍କ ଘୋଷଣା ଅନୁସାରେ, ‘ରାମାୟଣ: ପାର୍ଟ ୧’ ୫ ନଭେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ସିନେମା ହଲ୍ରେ ମୁକ୍ତିଲାଭ କରିବ। ନବରାତ୍ରୀର ପ୍ରଥମ ଦିନ ଫିଲ୍ମର ନୂଆ ପୋଷ୍ଟର ଜାରି ହେବା ସହ ଏହାର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା।
ପୋଷ୍ଟରରେ ରଣବୀର କପୁରଙ୍କୁ ଶ୍ରୀରାମ, ସାଇ ପଲ୍ଲବୀଙ୍କୁ ସୀତା, ରବି ଦୁବେଙ୍କୁ ଲକ୍ଷ୍ମଣ ଏବଂ ୟଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିଛି। ଘୋଷଣା ଅନୁସାରେ, ଫିଲ୍ମର ଆଡଭାନ୍ସ ବୁକିଂ ଦଶହରା ଦିନ ଆରମ୍ଭ ହେବ।
ଦମ୍ଦାର ଷ୍ଟାରକାଷ୍ଟରେ ସଜେଇ ହୋଇଛି ଫିଲ୍ମ
ଏହି ଫିଲ୍ମରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ ଓ ରବି ଦୁବେଙ୍କ ବ୍ୟତୀତ ସନ୍ନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ। ସେହିପରି ଅରୁଣ ଗୋଭିଲ ରାଜା ଦଶରଥ, ଇନ୍ଦିରା କୃଷ୍ଣ ରାଣୀ କୌଶଲ୍ୟା, ଲାରା ଦତ୍ତା ରାଣୀ କୈକେୟୀ, ସୋନଲ ଝା ରାଣୀ ସୁମିତ୍ରା ଏବଂ ଶିବା ଚଢ଼ା ମନ୍ଥରାଙ୍କ ଭୂମିକାରେ ଅଭିନୟ କରିବେ।
ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ ମସିହାର ଦୀପାବଳି ଅବସରରେ ରିଲିଜ୍ ହେବାର ଯୋଜନା ରହିଛି। ଏବେ ଦର୍ଶକଙ୍କ ଅପେକ୍ଷା ରହିଛି ଏହି ମହାକାବ୍ୟକୁ ବଡ଼ ପରଦାରେ ଦେଖିବାକୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।