Salman Karisma Friendship: ଚକୋଲେଟ୍ରୁ ଆରମ୍ଭ ହୋଇଥିଲା ବନ୍ଧୁତା, କରିସ୍ମାଙ୍କ ସହ ପୁରୁଣା ସ୍ମୃତି ବଖାଣିଲେ ସଲମାନ
ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ବନ୍ଧୁତା ଏବେ ଚର୍ଚ୍ଚାରେ। ଉଭୟଙ୍କ ମଧ୍ୟରେ ଥିବା ମଜାଦାର କେମିଷ୍ଟ୍ରି ଏବଂ ପୁରୁଣା ସ୍ମୃତିକୁ ନେଇ ଆଲୋଚନା ଜୋର୍ ଧରିଛି। ଏକ ଟକ୍ ଶୋ’ରେ କରିସ୍ମାଙ୍କ ସହ ସମ୍ପର୍କକୁ ନେଇ ସଲମାନ ଏମିତି ଏକ ମଜାଦାର କଥା କହିଥିଲେ, ଯାହା ଶୁଣି ହସି ହସି ଗଡ଼ିଥିଲେ ଉପସ୍ଥିତ ଲୋକେ।
‘ଆମର ଆଫେୟାର ଥିଲା’, ମଜାରେ କହିଲେ ସଲମାନ
କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ଶୋ’ ‘କଫି ୱିଥ୍ କରଣ’ରେ ସଲମାନ ଖାନ୍ ଏବଂ କରିସ୍ମା କପୁରଙ୍କ ବନ୍ଧୁତାକୁ ନେଇ ରୋଚକ ଆଲୋଚନା ହୋଇଥିଲା। କରିସ୍ମା ସଲମାନ ମିଶି ୧୧ଟି ଫିଲ୍ମରେ କାମ କରିଛନ୍ତି। ଉଭୟ ଏକାଧିକ ଫିଲ୍ମର ସୁଟିଂ ସହିତ ଷ୍ଟେଜ୍ ଶୋ’ ମଧ୍ୟ କରିଛନ୍ତି।
କରଣ ଜୋହର କହିଛନ୍ତି ଦୁଇ ଜଣ କଳାକାର ଏକାଠି ଅଧିକ ସମୟ କାମ କଲେ ଲୋକେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନୁମାନ କରନ୍ତି। ହେଲେ କରିସ୍ମା କହିଥିଲେ ଯେ ସଲମାନଙ୍କ ସହ ତାଙ୍କର ବନ୍ଧୁତା ଗଭୀର ଥିଲା, କିନ୍ତୁ ତାହା ପ୍ରେମ ସମ୍ପର୍କ ନଥିଲା।
ଏହା ଶୁଣି ସଲମାନ ମଜାରେ କହିଥିଲେ, “ଏ ମିଛ କହୁଛନ୍ତି। ଆମର ଆଫେୟାର ଥିଲା।” ଏହାପରେ ସେ ଆହୁରି ମଜା କରି କହିଥିଲେ, “ତା’ପରେ ମୋତେ ଛାଡ଼ିଦେଇ ବିବାହ କରିନେଲେ। ମୋ ହୃଦୟ ଭାଙ୍ଗିଗଲା।” ସଲମାନଙ୍କ ଏହି ମଜାଳିଆ କଥାରେ କରିସ୍ମା ତାଙ୍କୁ ଚୁପ୍ ରହିବାକୁ କହିଥିଲେ। ତେବେ ଏହା ଉଭୟଙ୍କ ମଧ୍ୟରେ ଥିବା ମଜାମସ୍ତିର ଏକ ଅଂଶ ଥିଲା।
ଚକୋଲେଟ୍ରୁ ଆରମ୍ଭ ହୋଇଥିଲା ବନ୍ଧୁତା
କରିସ୍ମା ସଲମାନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ମଧ୍ୟ ମନେ ପକାଇଥିଲେ। ‘ମୈନେ ପ୍ୟାର କିୟା’ ଫିଲ୍ମ ପରେ ସଲମାନଙ୍କ ଲୋକପ୍ରିୟତା ବଢ଼ିଥିବା ସମୟରେ କରିସ୍ମାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ସେ ସେତେବେଳେ ନୃତ୍ୟ ଗୁରୁ ସରୋଜ ଖାନ୍ଙ୍କ ପାଖରେ ନୃତ୍ୟ ଶିଖୁଥିଲେ। ସେହି ସ୍ଥାନରେ ସଲମାନ ‘ବାଗୀ’ ଫିଲ୍ମ ପାଇଁ ରିହର୍ସାଲ୍ କରୁଥିଲେ।
ଦିନେ କରିସ୍ମାଙ୍କୁ ଦେଖି ସଲମାନ ପଚାରିଥିଲେ ଯେ ସେ କ’ଣ ଡବୁ ଅଙ୍କଲଙ୍କ ଝିଅ। ଏହା ସହ ସେ କରିସ୍ମାଙ୍କ ପରିଶ୍ରମର ପ୍ରଶଂସା କରି ତାଙ୍କୁ ଏକ ଚକୋଲେଟ୍ ଦେଇଥିଲେ। କରିସ୍ମାଙ୍କ କହିବା ଅନୁସାରେ, ସେହି ଘଟଣା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ସଲମାନଙ୍କୁ ଚକୋଲେଟ୍ ବହୁତ ପସନ୍ଦ ବୋଲି ମଧ୍ୟ ସେ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।