Salman Khan Official YouTube Channel: ୟୁଟ୍ୟୁବ୍ରେ ଏଣ୍ଟ୍ରି କଲେ ଭାଇଜାନ୍! ପ୍ରଥମ ଭିଡିଓରେ ଟିଚର୍ ସାଜିଲେ ସଲମାନ ଖାନ୍
ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ଙ୍କ ଫ୍ୟାନ୍ଙ୍କ ପାଇଁ ବଡ଼ ଖୁସି ଖବର। ଏବେ ଫିଲ୍ମ ଓ ଟିଭି ପରେ ଡିଜିଟାଲ୍ ଦୁନିଆରେ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି ସଲମାନ। ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିବା ସହ ପ୍ରଥମ ଭିଡିଓ ସେୟାର କରିଛନ୍ତି ଦବଙ୍ଗ ଖାନ୍। ତେବେ ତାଙ୍କର ଏହି ଏଣ୍ଟ୍ରି ଯେତିକି ନିଆରା, ସେତିକି ମଜାଦାର ମଧ୍ୟ। କମଳା ରଙ୍ଗର ହାଫ୍ ପ୍ୟାଣ୍ଟ୍ ପିନ୍ଧି ନଜର ଆସିଥିବା ସଲମାନ କହିଛନ୍ତି, ‘ଶୁରୁ ସେ ଶୁରୁ କରତେ ହୈଁ’। ତାଙ୍କର ଏହି ଅନ୍ଦାଜ୍ ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି।
‘A ରୁ Z ପର୍ଯ୍ୟନ୍ତ ସବୁ ମିଳିବ’
ସଲମାନ ଖାନ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଟିଜର୍ ସେୟାର କରି ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ ନେଇ ସୂଚନା ଦେଇଛନ୍ତି। ଭିଡିଓ ସହ ସେ ଲେଖିଛନ୍ତି, “ଶୁରୁ ସେ ଶୁରୁ କରତେ ହୈଁ... ମୋର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍। A ରୁ Z ପର୍ଯ୍ୟନ୍ତ ସବୁକିଛି ଏଠାରେ ମିଳିବ।”
ଏହି ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ୍। କେହି ତାଙ୍କ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରୁଥିବା ବେଳେ ଆଉ କେହି କମେଣ୍ଟ୍ ଜରିଆରେ ନିଜ ଉତ୍ସାହ ପ୍ରକାଶ କରୁଛନ୍ତି।
ଚ୍ୟାନେଲ୍ରେ ଦେଖିବାକୁ ମିଳିବ ଅନେକ ଅଦେଖା ଝଲକ
ସଲମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ର ନାଁ ‘Being Salman Khan’। ଚ୍ୟାନେଲ୍ର ବାୟୋରେ ସେ ନିଜକୁ ଫିଲ୍ମ ଅଭିନେତା, କଳାକାର, ଚିତ୍ରକର ଓ ସମାଜସେବୀ ଭାବେ ପରିଚୟ ଦେଇଛନ୍ତି। ଏହା ତାଙ୍କର ଅଫିସିଆଲ୍ ଚ୍ୟାନେଲ୍ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
ଏହି ପ୍ଲାଟଫର୍ମରେ ସଲମାନଙ୍କ ବ୍ୟକ୍ତିଗତ ଜୀବନ, ଫିଲ୍ମ ସୁଟିଂର ଅଦେଖା ଦୃଶ୍ୟ ଓ ବୃତ୍ତିଗତ ଜୀବନର ବିଭିନ୍ନ ମୁହୂର୍ତ୍ତ ଦେଖିବାକୁ ମିଳିପାରେ। ଚ୍ୟାନେଲ୍ରେ ପୂର୍ବରୁ ମଧ୍ୟ ୮ଟି ସର୍ଟସ୍ ରହିଥିବା ସୂଚନା ମିଳିଛି।
ସଲମାନଙ୍କ ନୂଆ ଅନ୍ଦାଜ୍କୁ ନେଇ ଫ୍ୟାନ୍ଙ୍କ ଉତ୍ସାହ
ୟୁଟ୍ୟୁବ୍ରେ ସଲମାନଙ୍କ ଏହି ନୂଆ ଯାତ୍ରାକୁ ନେଇ ପ୍ରଶଂସକ ଉତ୍ସାହିତ। ଏବେ ସମସ୍ତଙ୍କ ଅପେକ୍ଷା, ଭାଇଜାନ୍ ଆଗକୁ କେଉଁ ନୂଆ ଭିଡିଓ ଓ ସରପ୍ରାଇଜ୍ ନେଇ ଆସୁଛନ୍ତି। ଆଗାମୀ ଦିନରେ ତାଙ୍କ ଚ୍ୟାନେଲ୍ରେ ଭ୍ଲଗ୍, ମଜାଳିଆ ଭିଡିଓ ଓ ବ୍ୟକ୍ତିଗତ ମୁହୂର୍ତ୍ତର ଝଲକ ମିଳିବ କି ନାହିଁ, ତାହା ଦେଖିବାକୁ ଫ୍ୟାନ୍ମାନେ ଅପେକ୍ଷା କରିଛନ୍ତି।
୩୧ ହଜାର ପାର୍ କଲା ସବ୍ସ୍କ୍ରାଇବର୍ ସଂଖ୍ୟା
ସଲମାନଙ୍କ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଖବର ଲେଖାଯିବା ସମୟରେ ତାଙ୍କ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ସଂଖ୍ୟା ୩୧.୪ ହଜାର ଟପିଥିଲା।
ଭିଡିଓରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି। କେହି ତାଙ୍କୁ ‘ଦି ଓଜି ସଲମାନ ଖାନ୍’ ବୋଲି କହିଥିବା ବେଳେ ଆଉ କେହି ଲେଖିଛନ୍ତି ଯେ ସଲମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଆସିବ ବୋଲି ସେମାନେ ଆଶା କରିନଥିଲେ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ୟୁଟ୍ୟୁବ୍କୁ ସ୍ୱାଗତ, ସଲ୍ଲୁ ଭାଇ।”
ଇଦ୍ ୨୦୨୭ରେ ଆସିପାରେ ‘ମନଷ୍ଟର୍’
ଅନ୍ୟପଟେ, ସଲମାନ ଖାନ୍ ନିଜ କାମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସେ ‘ବିଗ୍ ବସ୍ ୨୦’ର ହୋଷ୍ଟ ଭାବେ ନଜର ଆସୁଥିବା ବେଳେ ଆଗାମୀ ଫିଲ୍ମ ‘ମାତୃଭୂମି’କୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। ଏହା ସହ ନିର୍ଦ୍ଦେଶକ ବଂଶୀ ପୈଡିପଲ୍ଲୀଙ୍କ ଫିଲ୍ମ ‘SVC63’ରେ ମଧ୍ୟ ସେ କାମ କରୁଛନ୍ତି। ରିପୋର୍ଟ ଅନୁସାରେ, ଏହି ଫିଲ୍ମର ନାଁ ‘ମନଷ୍ଟର୍’ ହୋଇପାରେ ଏବଂ ଏହା ଇଦ୍ ୨୦୨୭ରେ ରିଲିଜ୍ ହେବାର ସମ୍ଭାବନା ରହିଛି।
ଫିଲ୍ମ ପରଦାରେ ଦମଦାର ଅଭିନୟ ହେଉ କି ୟୁଟ୍ୟୁବ୍ରେ ମଜାଳିଆ ଏଣ୍ଟ୍ରି—ସଲମାନଙ୍କ ପ୍ରତିଟି ଅନ୍ଦାଜ୍ ଫ୍ୟାନ୍ଙ୍କ ପାଇଁ ଖାସ୍। ଏବେ ଦେଖିବାକୁ ବାକି, ୟୁଟ୍ୟୁବ୍ରେ ଭାଇଜାନ୍ କେତେ ଧମାଲ୍ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।