Salman Khan's Unreleased Ramayana: ରାମ ଭୂମିକାରେ ସଲମାନ, ସୀତା ଭୂମିକାରେ ସୋନାଲି; ଅଧୁରା ରହିଗଲା ସ୍ୱପ୍ନ

Aug 06, 2026 - 18:01
Salman Khan's Unreleased Ramayana: ରାମ ଭୂମିକାରେ ସଲମାନ, ସୀତା ଭୂମିକାରେ ସୋନାଲି; ଅଧୁରା ରହିଗଲା ସ୍ୱପ୍ନ

ବଲିଉଡ୍‌ର ଏକ ଅଜଣା ଅଧ୍ୟାୟ ପୁଣି ଚର୍ଚ୍ଚାରେ। ଆଜି ଯେତେବେଳେ ରଣବୀର କପୁରଙ୍କ ଅଭିନୀତ ନୂଆ ରାମାୟଣକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ୁଛି, ସେତେବେଳେ ସାମ୍ନାକୁ ଆସିଛି ସଲମାନ ଖାନଙ୍କ ଅଧୁରା ରାମାୟଣ ପ୍ରୋଜେକ୍ଟର କାହାଣୀ।

୧୯୯୦ ଦଶକରେ ନିର୍ଦ୍ଦେଶକ ସୋହେଲ ଖାନ ଏକ ବଡ଼ ବଜେଟ୍‌ର ରାମାୟଣ ଫିଲ୍ମ ତିଆରି କରିବାକୁ ଯୋଜନା କରିଥିଲେ। ଏହି ଫିଲ୍ମରେ ସଲମାନ ଖାନଙ୍କୁ ଭଗବାନ ରାମ ଓ ସୋନାଲି ବେନ୍ଦ୍ରେଙ୍କୁ ସୀତା ଭୂମିକାରେ ନେବାର ଯୋଜନା ଥିଲା। ପୂଜା ଭଟ୍ଟଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଥିଲା।

ଏହା କେବଳ ଯୋଜନାରେ ରହି ଯାଇନଥିଲା, ଫିଲ୍ମର ପ୍ରାୟ ୪୦ ପ୍ରତିଶତ ସୁଟିଂ ମଧ୍ୟ ଶେଷ ହୋଇଥିଲା। ସଲମାନ ରାମଙ୍କ ପୋଷାକରେ ଧନୁ-ବାଣ ସହ ପ୍ରମୋସନାଲ ଫଟୋସୁଟ୍ ମଧ୍ୟ କରିଥିଲେ।

ତେବେ ଫିଲ୍ମଟି କୌଣସି ଆର୍ଥିକ ସମସ୍ୟା କିମ୍ବା କ୍ରିଏଟିଭ୍ ବିବାଦ ଯୋଗୁଁ ବନ୍ଦ ହୋଇନଥିଲା। ରିପୋର୍ଟ ଅନୁସାରେ, ସୋହେଲ ଖାନ ଓ ପୂଜା ଭଟ୍ଟଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ପ୍ରକଳ୍ପକୁ ପ୍ରଭାବିତ କରିଥିଲା।

ପରିବାରର ଆପତ୍ତି ପରେ ସମ୍ପର୍କରେ ଦୂରତା ଆସିଥିବା ଏବଂ ପରେ ପୂଜା ଭଟ୍ଟ ପ୍ରୋଜେକ୍ଟରୁ ଓହରିଯିବା ପରେ ଫିଲ୍ମର କାମ ଅଟକି ଯାଇଥିବା କୁହାଯାଉଛି। ସଲମାନ ଖାନ ଫିଲ୍ମକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ପ୍ରୋଜେକ୍ଟ ଅଧୁରା ରହିଯାଇଥିଲା।

ପ୍ରାୟ ତିନି ଦଶନ୍ଧି ପରେ ରାମାୟଣ ପୁଣି ଭାରତୀୟ ସିନେମାରେ ବଡ଼ ଆକାରରେ ଫେରୁଛି। ରଣବୀର କପୁରଙ୍କ ରାମାୟଣ ସହ ଅନ୍ୟାନ୍ୟ ପୌରାଣିକ କାହାଣୀ ଉପରେ ମଧ୍ୟ ବଡ଼ ଫିଲ୍ମ ତିଆରି ହେଉଛି। କିନ୍ତୁ ସଲମାନ ଖାନଙ୍କ ଏହି ଅଧୁରା ରାମାୟଣ ଆଜି ମଧ୍ୟ ବଲିଉଡ୍‌ର ସବୁଠୁ ରହସ୍ୟମୟ ଅପ୍ରକାଶିତ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇ ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।