Samajwadi Party Faces Embarrassment: ଖାଲି ଚେୟାର ଦେଖି ଅଖିଳେଶଙ୍କ ଆକ୍ସନ, ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ

Oct 20, 2026 - 14:24
Samajwadi Party Faces Embarrassment: ଖାଲି ଚେୟାର ଦେଖି ଅଖିଳେଶଙ୍କ ଆକ୍ସନ, ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ

ବିଜେପି ସଭାରେ ଖାଲି ଚେୟାରକୁ ନେଇ ଅନେକ ଥର କଟାକ୍ଷ କରିଛି ସମାଜବାଦୀ ପାର୍ଟି (SP)। ହେଲେ ଏବେ ନିଜ ଦଳର ସଭାରେ ଖାଲି ଚେୟାର ଦେଖି ଅଡ଼ୁଆରେ ପଡ଼ିଛି ଅଖିଳେଶ ଯାଦବଙ୍କ ପାର୍ଟି। ଉତ୍ତରପ୍ରଦେଶର କନ୍ନୌଜରେ କର୍ମୀ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ହେବା ପରେ ପୂରା ଜିଲ୍ଲା ସଙ୍ଗଠନକୁ ଭାଙ୍ଗି ଦେଇଛି ସମାଜବାଦୀ ପାର୍ଟି। ଏଥିସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି।

କନ୍ନୌଜରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଏହି ସମ୍ମିଳନୀର ଆୟୋଜନ କରିଥିଲେ ଦଳର ରାଜ୍ୟ ସଭାପତି ଶ୍ୟାମଲାଲ ପାଲ। କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଥିଲା, ଶହ ଶହ ଚେୟାର ପଡ଼ିଥିଲା ଏବଂ ନେତା ଓ କର୍ମୀଙ୍କୁ ଡକାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ଆଶାନୁରୂପ ଲୋକ ଯୋଗ ଦେଇନଥିଲେ।

ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ମଞ୍ଚ ଉପରେ ନେତା ଓ ପଦାଧିକାରୀ ବସିଥିବା ବେଳେ ସାମ୍ନାରେ ଅନେକ ଚେୟାର ଖାଲି ପଡ଼ିଥିବା ଦେଖାଯାଇଛି। ଏହି ଦୃଶ୍ୟ ଦଳ ପାଇଁ ରାଜନୈତିକ ଅପମାନର କାରଣ ପାଲଟିଛି।

ଅଖିଳେଶଙ୍କ ଗଡ଼ରେ ସଙ୍ଗଠନକୁ ନେଇ ପ୍ରଶ୍ନ

କନ୍ନୌଜ ଅଖିଳେଶ ଯାଦବଙ୍କ ରାଜନୈତିକ ଗଡ଼ ଭାବେ ପରିଚିତ। ଅଖିଳେଶ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଏକାଧିକ ଥର ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ଅଖିଳେଶ ଏହି ଆସନର ସାଂସଦ ଅଛନ୍ତି। ଏଭଳି ସ୍ଥାନରେ ଦଳର ରାଜ୍ୟ ସଭାପତିଙ୍କ କାର୍ଯ୍ୟକ୍ରମରେ କମ୍ ଉପସ୍ଥାନ ସ୍ଥାନୀୟ ସଙ୍ଗଠନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ଖାଲି ଚେୟାରକୁ ନେଇ ବିଜେପିର କଟାକ୍ଷ

ଏହି ଘଟଣାକୁ ନେଇ ବିଜେପି ମଧ୍ୟ ସମାଜବାଦୀ ପାର୍ଟିକୁ ଘେରିଛି। PDAର ଅର୍ଥ ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁଙ୍କୁ ନେଇ ଦଳର ରାଜନୈତିକ ମେଣ୍ଟ। ଏହି ବର୍ଗଙ୍କ ପ୍ରତିନିଧିତ୍ୱ କରୁଥିବା ଦଳର କାର୍ଯ୍ୟକ୍ରମରେ ଲୋକଙ୍କ ଅନୁପସ୍ଥିତିକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ତେବେ ଏହି ଘଟଣା ପରେ ଜିଲ୍ଲା ସଙ୍ଗଠନକୁ ଭାଙ୍ଗିବା ନିଷ୍ପତ୍ତି ସମାଜବାଦୀ ପାର୍ଟି ପାଇଁ ସ୍ଥାନୀୟ ସଙ୍ଗଠନକୁ ପୁନର୍ଗଠନ କରିବାର ସଙ୍କେତ ଦେଉଛି। ଏବେ ପ୍ରଶ୍ନ, ନୂଆ ସଙ୍ଗଠନ କନ୍ନୌଜରେ ଦଳର ଜନସମର୍ଥନ ବଢ଼ାଇ ପାରିବ କି?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।