Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଭେଟେରାନ୍ସ କ୍ଲବ୍ ଓଡ଼ିଶା ଓ ଷ୍ଟେଟ୍ ବୁକ୍ ଟ୍ରଷ୍ଟ, ଓଡ଼ିଶାର ମିଳିତ ଉଦ୍ୟମରେ ଆୟୋଜିତ ଦୁଇଦିନିଆ ‘ସଂକଳ୍ପ ଭାରତ ୨୦୨୬ ସଫଳତାର ସହ ସମାପିତ ହୋଇଛି। ପ୍ରବଳ ବର୍ଷା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଏନ୍ସିସି କ୍ୟାଡେଟ୍, ସୈନିକ ସ୍କୁଲର ଛାତ୍ରଛାତ୍ରୀ, ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଯୁବପିଢ଼ି, ପୂର୍ବତନ ସୈନିକ ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଦେଶପ୍ରେମ ଓ ରାଷ୍ଟ୍ର ନିର୍ମାଣର ବାର୍ତ୍ତାକୁ ଆଗକୁ ବଢ଼ାଇଥିଲେ।
ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱରର ରାମ ମନ୍ଦିର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଏକ ଦେଶପ୍ରେମମୂଳକ ପଦଯାତ୍ରା ଆୟୋଜନ କରାଯାଇଥିଲା। କାର୍ଗିଲ ଯୁଦ୍ଧର ବୀର ଯୋଦ୍ଧା ନାୟକ ଦୀପ ଚାନ୍ଦଙ୍କୁ ଏକ ସୁସଜ୍ଜିତ ଯାନରେ ନିଆଯାଇ ଏହି ପଦଯାତ୍ରାରେ ସାମିଲ କରାଯାଇଥିଲା। ଦେଶପ୍ରେମ, ଜାତୀୟ ଏକତା, ସଡ଼କ ସୁରକ୍ଷା ଏବଂ ସଶସ୍ତ୍ର ବାହିନୀର ବୀରତ୍ୱ ଓ ବଳିଦାନ ପ୍ରତି ସମ୍ମାନ ପ୍ରଦର୍ଶନ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ଜମ୍ମୁ-କାଶ୍ମୀରର ମହାରାଜା ହରି ସିଂହ ଭାରତ ସହ ମିଶ୍ରଣ ପାଇଁ ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍ରେ ସ୍ୱାକ୍ଷର କରିଥିଲେ। ଏହି ଐତିହାସିକ ଘଟଣାକୁ ସ୍ମରଣ କରି ଜାତୀୟ ଅଖଣ୍ଡତା, ସାର୍ବଭୌମତ୍ୱ ଓ ଦେଶର ସୁରକ୍ଷା ପ୍ରତି ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱବୋଧକୁ ଉଜାଗର କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେଜଗତର ପରିଚିତ ଅଭିନେତା ତଥା ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ଭେଟେରାନ୍ସ କ୍ଲବ୍ ଓଡ଼ିଶାର ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଏନ୍ସିସି କ୍ୟାଡେଟ୍ମାନଙ୍କ ଦାୟିତ୍ୱ ଡଃ ପୁଷ୍ପମିତ୍ରା ଷଡ଼ଙ୍ଗୀ ତୁଲାଇଥିଲେ। ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏହି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିଜ ବକ୍ତବ୍ୟରେ ମହାପାତ୍ର ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଦେଶର ଭବିଷ୍ୟତ ଗଠନରେ ଯୁବପିଢ଼ିର ଭୂମିକା ଓ ଦାୟିତ୍ୱବୋଧ ସମ୍ପର୍କରେ ଉଲ୍ଲେଖ କରିଥିଲେ। ରାଜ୍ୟ ସୈନିକ ବୋର୍ଡର ସଚିବ ବ୍ରିଗେଡିୟର ଧଳ ସିଦ୍ଧେଶ୍ୱର କାଶ୍ୟପ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭେଟେରାନ୍ସ କ୍ଲବ୍ ଓଡ଼ିଶାର ଅଧ୍ୟକ୍ଷ ତଥା ଭାରତୀୟ ନୌସେନାର ପୂର୍ବତନ ସୈନିକ ଭେଟେରାନ୍ ବିଦ୍ୟାଧର ନାୟକ ନିଜର ସେବା ଅନୁଭୂତି ବାଣ୍ଟିଥିଲେ।
କର୍ତ୍ତବ୍ୟନିଷ୍ଠା ଓ ନିଃସ୍ୱାର୍ଥ ସେବାର ମହତ୍ତ୍ୱକୁ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମହିଳା ସଶକ୍ତୀକରଣ, ନିରାପତ୍ତା ଓ ସାମାଜିକ ପରିବର୍ତ୍ତନରେ ମହିଳାଙ୍କ ଭାଗୀଦାରି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, କଟକ-ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଡଃ କମଳିନୀ ପାଣିଗ୍ରାହୀ ଓ କେତକୀ ଜାନୀ ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ମହିଳାମାନଙ୍କ ନେତୃତ୍ୱ, ରାଜନୈତିକ ଅଂଶଗ୍ରହଣ, ସୁରକ୍ଷା ଓ ସମାଜର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣର ସୁଯୋଗକୁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ନେତୃତ୍ୱ ବିକାଶରେ ଉପଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।