Satwik-Chirag Win Maiden China Masters Title: ଚୀନ୍‌ରେ ଇତିହାସ ରଚିଲେ ସାତ୍ୱିକ-ଚିରାଗ, ହାରୁ ହାରୁ ହେଲେ ଚାମ୍ପିଅନ୍!

Sep 06, 2026 - 17:29
Satwik-Chirag Win Maiden China Masters Title: ଚୀନ୍‌ରେ ଇତିହାସ ରଚିଲେ ସାତ୍ୱିକ-ଚିରାଗ, ହାରୁ ହାରୁ ହେଲେ ଚାମ୍ପିଅନ୍!

ଚୀନ୍‌ରେ ଇତିହାସ ରଚିଲେ ସାତ୍ୱିକ-ଚିରାଗ। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ପ୍ରଥମଥର ପାଇଁ ଜିତିଲେ ଚାଇନା ମାଷ୍ଟର୍ସ ସୁପର୍ ୭୫୦ ଟାଇଟଲ୍। ଫାଇନାଲରେ ଘରୋଇ ଯୋଡ଼ି ହି ଜି ଟିଙ୍ଗ ଓ ରେନ୍ ସିଆଙ୍ଗ ୟୁଙ୍କୁ ୧୧-୨୧, ୨୧-୧୩, ୨୧-୧୭ରେ ହରାଇ ଚାମ୍ପିଅନ୍ ହୋଇଛନ୍ତି ଭାରତର ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। 

ପ୍ରାୟ ୧ ଘଣ୍ଟା ୧୦ ମିନିଟ୍‌ର ରୋମାଞ୍ଚକର ଲଢ଼େଇରେ ପ୍ରଥମ ଗେମ୍ ହାରିଥିଲେ ମଧ୍ୟ ଦମଦାର କମ୍‌ବ୍ୟାକ୍ କରି ବିଜୟ ହାସଲ କରିଛନ୍ତି ଭାରତୀୟ ଯୋଡ଼ି। ଏହା ସାତ୍ୱିକ-ଚିରାଗଙ୍କ ୧୦ମ BWF ୱାର୍ଲ୍ଡ ଟୁର୍ ଟାଇଟଲ୍। ଚଳିତ ସିଜନ୍‌ରେ ଏହା ସେମାନଙ୍କ ଦ୍ୱିତୀୟ ଟାଇଟଲ୍। ଏହା ପୂର୍ବରୁ ସିଙ୍ଗାପୁର ଓପନ୍ ସୁପର୍ ୭୫୦ ଜିତିଥିବା ବେଳେ ଥାଇଲାଣ୍ଡ ଓପନ୍‌ରେ ରନର୍ସଅପ୍ ହୋଇଥିଲେ।

ଫାଇନାଲର ଆରମ୍ଭ କିନ୍ତୁ ଭାରତ ପାଇଁ ଭଲ ନଥିଲା। ପ୍ରଥମ ଗେମ୍‌ରେ ଘରୋଇ ଯୋଡ଼ି ୫-୦ରେ ଆଗୁଆ ହୋଇ ଚାପ ସୃଷ୍ଟି କରିଥିଲେ। ଶେଷରେ ୨୧-୧୧ରେ ଗେମ୍ ଜିତି ସାତ୍ୱିକ-ଚିରାଗଙ୍କୁ ବଡ଼ ଝଟ୍‌କା ଦେଇଥିଲେ।

ହେଲେ ଦ୍ୱିତୀୟ ଗେମ୍‌ରେ ବଦଳିଗଲା ପୂରା ଚିତ୍ର। ଚିରାଗଙ୍କ ରଣନୀତିକ ପରିବର୍ତ୍ତନ ଏବଂ ସାତ୍ୱିକଙ୍କ ଦମଦାର ଆକ୍ରମଣ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲା। ଭାରତୀୟ ଯୋଡ଼ି ୨୧-୧୩ରେ ଦ୍ୱିତୀୟ ଗେମ୍ ଜିତି ମ୍ୟାଚ୍‌କୁ ନିର୍ଣ୍ଣାୟକ ଗେମ୍‌କୁ ନେଇଥିଲେ।

ତୃତୀୟ ଗେମ୍‌ରେ ପ୍ରତିଟି ପଏଣ୍ଟ ପାଇଁ ଚାଲିଥିଲା କଡ଼ା ଲଢ଼େଇ। ଚୀନ୍ ଯୋଡ଼ି ୧୧-୧୦ରେ ଆଗୁଆ ଥିଲେ ମଧ୍ୟ ସାତ୍ୱିକ-ଚିରାଗ ଶେଷ ମୁହୂର୍ତ୍ତରେ ଚାପ ବଢ଼ାଇଥିଲେ। ୧୮-୧୭ରେ ଆଗୁଆ ହେବା ପରେ ଭାରତୀୟ ଯୋଡ଼ି ଆଉ ପଛକୁ ଫେରିନଥିଲେ।

ନିର୍ଣ୍ଣାୟକ ମୁହୂର୍ତ୍ତରେ ସାତ୍ୱିକଙ୍କ ଚତୁର ଫ୍ଲିକ୍ ସର୍ଭ ଚୀନ୍ ଯୋଡ଼ିକୁ ଚକିତ କରିଥିଲା। ଏହା ପରେ ଭାରତ ମ୍ୟାଚ୍ ପଏଣ୍ଟ ହାସଲ କରି ଶେଷରେ ୨୧-୧୭ରେ ତୃତୀୟ ଗେମ୍ ଜିତି ଚାଇନା ମାଷ୍ଟର୍ସ ଟାଇଟଲ୍ ନିଜ ନାଁରେ କରିଥିଲା।

୨୦୨୩ ଓ ୨୦୨୫ରେ ଚୀନ୍‌ରେ ନିରାଶା ପରେ ଏଥର ସାତ୍ୱିକ-ଚିରାଗଙ୍କ ହାତରେ ଆସିଛି ସଫଳତା। ପ୍ରଥମ ଗେମ୍‌ର ଝଟ୍‌କାରୁ ଫେରି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଓ ସାହସ ଦେଖାଇ ଭାରତୀୟ ଯୋଡ଼ି ଶେଷରେ ଚୀନ୍‌ରେ ଲେଖିଛନ୍ତି ବିଜୟର ନୂଆ ଅଧ୍ୟାୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।