SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

Sep 29, 2026 - 16:35
SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଆସନ୍ତା ଅକ୍ଟୋବର ୧ ତାରିଖରୁ ଏଟିଏମ କାରବାର ଓ ଟଙ୍କା ଉଠାଣ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି ଏସବିଆଇ। ବିଶେଷ କରି ସାଲାରୀ ଆକାଉଣ୍ଟ ଏବଂ ବିଏସବିଡି ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ମାଗଣା କାରବାର ସୀମା କମିବା ସହ ବଢ଼ିବ ଅତିରିକ୍ତ ଶୁଳ୍କ। କ’ଣ ରହିଛି ସମ୍ପୂର୍ଣ୍ଣ ନିୟମ…

SBI Rule Changes From 1st October: ଅକ୍ଟୋବର ୧ ତାରିଖରୁ ବଦଳିବାକୁ ଯାଉଛି ଏସବିଆଇର କାରବାର ନିୟମ। ସାଲାରୀ ପ୍ୟାକେଜ ଆକାଉଣ୍ଟଧାରୀଙ୍କ ଲାଗି ଏବେ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ସାବ୍ୟସ୍ତ ହେବ। ପୂର୍ୱରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ ମାସକୁ ୧୦ଟି ମାଗଣା ଟ୍ରାଞ୍ଜାକସନ ମିଳୁଥିବା ବେଳେ, ଏବେ ଏହି ସୀମାକୁ ୫କୁ ହ୍ରାସ କରାଯାଇଛି। ଏହି ୫ଟି ମାଗଣା କାରବାର ମଧ୍ୟରେ ଟଙ୍କା ଉଠାଣ ସହିତ ବାଲାନ୍ସ ଚେକ ଏବଂ ମିନି ଷ୍ଟେଟମେଣ୍ଟ ଭଳି ନନ-ଫାଇନାନସିଆଲ କାରବାର ମଧ୍ୟ ଅନ୍ତର୍ଭୁକ୍ତ।

ଟଙ୍କା ଉଠାଣ: ୨୩ ଟଙ୍କା + ଜିଏସଟି (GST) ପ୍ରତି କାରବାର
ବାଲାନ୍ସ ଚେକ / ମିନି ଷ୍ଟେଟମେଣ୍ଟ: ୧୧ ଟଙ୍କା + ଜିଏସଟି (GST)
ଏସବିଆଇ ଏଟିଏମ ବ୍ୟବହାର: ପୂର୍ୱ ନିୟମ ଅପରିବର୍ତ୍ତିତ

ତେବେ ଏସବିଆଇ ନିଜ ଏଟିଏମ ବ୍ୟବହାର କ୍ଷେତ୍ରରେ ପୂର୍ୱ ନିୟମ ବଳବତ୍ତର ରଖିଛି। ସେହିପରି ଜିରୋ ବାଲାନ୍ସ ବା ବିଏସବିଡି ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ପ୍ରତି ମାସରେ ପ୍ରଥମ ୪ଟି କ୍ୟାଶ ଉଠାଣ ସମ୍ପୂର୍ଣ୍ଣ ମାଗଣା ରହିବ। ମାତ୍ର ୫ମ କାରବାରରୁ ପ୍ରତି ଉଠାଣ ଉପରେ ୧୫ ଟଙ୍କା ସହ ଜିଏସଟି ଶୁଳ୍କ ଲାଗୁ କରାଯିବ। ଏହାସହ ବିଏସବିଡି ଆକାଉଣ୍ଟଧାରୀ ଅନ୍ୟ କୌଣସି ସାଧାରଣ ସେଭିଂସ ଖାତା ରଖିପାରିବେ ନାହିଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି।

ଅନ୍ୟପଟେ ଡିଜିଟାଲ କାରବାର କରୁଥିବା ଗ୍ରାହକଙ୍କ ଲାଗି ଆଶ୍ୱସ୍ତିକର ଖବର ରହିଛି। YONO ଆପ ଜରିଆରେ କାର୍ଡଲେସ କ୍ୟାଶ ଉଠାଣ ସମ୍ପୂର୍ଣ୍ଣ ମାଗଣା ଏବଂ ଅସୀମିତ ରହିବ। ତେଣୁ ଏଟିଏମ୍ରେ ବାରମ୍ୱାର କାର୍ଡ ସୱାଇପ କରିବା ବଦଳରେ ଡିଜିଟାଲ ସେବାର ବ୍ୟବହାର କରି ଅତିରିକ୍ତ ଶୁଳ୍କରୁ ବର୍ତ୍ତିବାକୁ ପରାମର୍ଶ ଦିଆଯାଇଛି।

ଅକ୍ଟୋବର ୧ରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ପୂର୍ୱରୁ ଗ୍ରାହକମାନେ ନିଜ କାରବାର ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ଅଯଥା ଖର୍ଚ୍ଚରୁ ନିଜକୁ ରକ୍ଷା କରିପାରିବେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।