SC Clarifies Quota Rules: ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି କେବଳ ଧର୍ମ ପରିବର୍ତ୍ତନ ଆଧାରରେ ପଛୁଆ ବର୍ଗ (ମୁସଲିମ୍) ବର୍ଗରେ ସଂରକ୍ଷଣ ଦାବି କରିପାରିବେ ନାହିଁ। ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଧର୍ମ ପରିବର୍ତ୍ତନ କରିବା ମାତ୍ରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ପଛୁଆ ମୁସଲିମ୍ ସମ୍ପ୍ରଦାୟର ସଦସ୍ୟ ହୋଇଯାଆନ୍ତି ନାହିଁ ବୋଲି ଜଷ୍ଟିସ୍ ପିକେ ମିଶ୍ରା ଓ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟ ଶୁଣାଇଛନ୍ତି।
ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶକୁ ନେଇ ଏହି ମାମଲା ଉଠିଥିଲା। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ, ହିନ୍ଦୁ ଧର୍ମରୁ ଇସଲାମ ଧର୍ମକୁ ପରିବର୍ତ୍ତିତ ହୋଇଥିବା କେତେକ ପଛୁଆ ବର୍ଗ, ଅତି ପଛୁଆ ବର୍ଗ ଏବଂ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କୁ ମୁସଲିମ୍ ବର୍ଗରେ ସଂରକ୍ଷଣ ସୁବିଧା ଦେବାର ବ୍ୟବସ୍ଥା ରହିଥିଲା। ମାଡ୍ରାସ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଆଇନ ବିରୋଧୀ ଦର୍ଶାଇ ରଦ୍ଦ କରିଥିଲେ। ପରେ ତାମିଲନାଡୁ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବା ମାତ୍ରେ ପୂର୍ବରୁ ଥିବା ଜାତିକୁ ନୂଆ ଧର୍ମର କୌଣସି ନିର୍ଦ୍ଦିଷ୍ଟ ପଛୁଆ ବର୍ଗ ସହ ଯୋଡ଼ା ଯାଇପାରିବ ନାହିଁ। ସଂରକ୍ଷଣ ପାଇବା ପାଇଁ ସମ୍ପୃକ୍ତ ବର୍ଗର ଆଇନଗତ ଯୋଗ୍ୟତା ରହିବା ଆବଶ୍ୟକ। ତେଣୁ କେବଳ ଧର୍ମ ପରିବର୍ତ୍ତନକୁ ଆଧାର କରି ମୁସଲିମ୍ ବର୍ଗରେ ସଂରକ୍ଷଣ ଦାବି କରାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ସମ୍ବିଧାନର ଅନୁସୂଚିତ ଜାତି ଆଦେଶର ତୃତୀୟ ଅନୁଚ୍ଛେଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ଅନୁଯାୟୀ, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗଣନା କରାଯାଇପାରିବ ନାହିଁ। ତେଣୁ ଇସଲାମ କିମ୍ବା ଅନ୍ୟ ନିର୍ଦ୍ଦିଷ୍ଟ ଧର୍ମକୁ ପରିବର୍ତ୍ତିତ ହେବା ପରେ ପୂର୍ବ ଅନୁସୂଚିତ ଜାତି ପରିଚୟ ଆଧାରରେ ସେହି ସଂରକ୍ଷଣ ସୁବିଧା ଦାବି କରିବାର ଆଇନଗତ ଆଧାର ରହେନାହିଁ ବୋଲି କୋର୍ଟ କହିଛନ୍ତି।
କ’ଣ ଥିଲା ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶ?
୨୦୨୪ ମାର୍ଚ୍ଚ ୯ ତାରିଖରେ ଜାରି ସରକାରୀ ଆଦେଶ ଅନୁଯାୟୀ, ହିନ୍ଦୁ ଧର୍ମରୁ ଇସଲାମ ଧର୍ମକୁ ପରିବର୍ତ୍ତିତ ହୋଇଥିବା ପଛୁଆ ବର୍ଗ (BC), ଅତି ପଛୁଆ ବର୍ଗ (MBC), ବିଜ୍ଞପିତ ଜାତି ସମୁଦାୟ (Denotified Communities) ଏବଂ ଅନୁସୂଚିତ ଜାତି (SC)ର କେତେକ ବ୍ୟକ୍ତିଙ୍କୁ ପଛୁଆ ମୁସଲିମ୍ ବର୍ଗରେ ସାମିଲ କରି ପ୍ରମାଣପତ୍ର ଦେବାର ବ୍ୟବସ୍ଥା ହୋଇଥିଲା। ରାଜ୍ୟରେ ଅଧିସୂଚିତ ସାତଟି ପଛୁଆ ମୁସଲିମ୍ ସମୁଦାୟ ମଧ୍ୟରୁ ଗୋଟିଏର ସଦସ୍ୟ ଭାବେ ସେମାନଙ୍କୁ ପ୍ରମାଣପତ୍ର ଦେବାକୁ ଏଥିରେ କୁହାଯାଇଥିଲା।
ତାମିଲନାଡୁ ସରକାରଙ୍କ କହିବା କଥା ଥିଲା ଯେ, ଧର୍ମ ପାଳନ କରିବାର ସାମ୍ବିଧାନିକ ଅଧିକାର ବ୍ୟବହାର କରିବା ଯୋଗୁଁ ଜଣେ ବ୍ୟକ୍ତି ତାଙ୍କର ସଂରକ୍ଷଣ ସୁବିଧାରୁ ବଞ୍ଚିତ ହେବା ଉଚିତ୍ ନୁହେଁ। କିନ୍ତୁ ମାଡ୍ରାସ ହାଇକୋର୍ଟ ଏହି ଆଦେଶକୁ ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ ବୋଲି କହି ରଦ୍ଦ କରିଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।
ଏହି ମାମଲାର ମୂଳ ଆବେଦନକାରୀ ପରମଶିବମ୍ ନାମକ ଜଣେ ବ୍ୟକ୍ତି। ସେ ଜନ୍ମରୁ ହିନ୍ଦୁ ଥିବା ବେଳେ ୨୦୧୫ରେ ଇସଲାମ ଧର୍ମ ଗ୍ରହଣ କରି ନିଜ ନାମ ସମୀର ଅହମ୍ମଦ ରଖିଥିଲେ। ସଂରକ୍ଷଣ ସୁବିଧା ପାଇବା ଉଦ୍ଦେଶ୍ୟରେ ସେ ମୁସଲିମ୍ ଲେବ୍ବାଇ ସମୁଦାୟର ପ୍ରମାଣପତ୍ର ଆବେଦନ କରିଥିଲେ। ତହସିଲଦାର ତାଙ୍କ ଆବେଦନକୁ ଖାରଜ କରିବା ପରେ ସେ ତାମିଲନାଡୁ ସରକାରଙ୍କ ୨୦୨୪ ନିର୍ଦ୍ଦେଶକୁ ଆଧାର କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।