SC on Commuting Death Sentences: ଅପରାଧୀଙ୍କ ପ୍ରତି କ୍ଷମାଶୀଳ ମନୋଭାବ ଯୋଗୁଁ ବଢୁଛି ଅପରାଧ: ସୁପ୍ରିମକୋର୍ଟ
ଭାରତରେ ଗୁରୁତର ଅପରାଧ ମାମଲାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ଏବଂ ଦୋଷୀଙ୍କୁ ଆଗୁଆ ମୁକ୍ତି ଦେବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଦଣ୍ଡ କୋହଳ କରିବାରେ ଅତ୍ୟଧିକ କ୍ଷମାଶୀଳ ମନୋଭାବ ଯୋଗୁଁ ଦେଶରେ ଅପରାଧ ବୃଦ୍ଧି ପାଉଥିବା ନେଇ ଅଦାଲତ ଉଦ୍ବେଗ ପ୍ରକାଶ କରିଛନ୍ତି। ଗୁରୁତର ଅପରାଧୀଙ୍କ ପ୍ରତି ବାରମ୍ବାର ଦୟା ପ୍ରଦର୍ଶନ କରିବାର ମଧ୍ୟ ଏକ ସୀମା ରହିବା ଆବଶ୍ୟକ ବୋଲି ବିଚାରପତି ମତ ଦେଇଛନ୍ତି।
ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ଶୀଲ ନାଗୁଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି କରୁଥିଲେ। ଏହି ଶୁଣାଣି ସମୟରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାରେ ନ୍ୟାୟପାଳିକାର ଆଭିମୁଖ୍ୟକୁ ନେଇ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଥିଲେ।
ଏହି ମାମଲା ହରିୟାଣାର ସଞ୍ଜୀବ କୁମାର ନାମକ ଜଣେ ହତ୍ୟା ଦୋଷୀଙ୍କ ସହ ଜଡ଼ିତ। ୨୦୦୧ ମସିହାରେ ହିସାର ଜିଲ୍ଲାରେ ଜଣେ ପୂର୍ବତନ ବିଧାୟକଙ୍କ ପରିବାରର ୮ ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ସଞ୍ଜୀବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୦୪ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ପରେ ଏହି ଦଣ୍ଡକୁ ନେଇ ବିଭିନ୍ନ ଅଦାଲତରେ ଶୁଣାଣି ହୋଇଥିଲା।
ଘଟଣାକ୍ରମ ଅନୁସାରେ, ୨୦୦୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ। ୨୦୦୭ରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ପୁନଃ ବଳବତ୍ତର କରିଥିଲେ। ପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ ଖାରଜ ହେବା ପରେ ସଞ୍ଜୀବ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୟା ଆବେଦନର ନିଷ୍ପତ୍ତି ନେବାରେ ଅତ୍ୟଧିକ ବିଳମ୍ବ ହୋଇଥିବା ଆଧାରରେ ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ପୁଣି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।
ଏବେ ସଞ୍ଜୀବ କୁମାର ହରିୟାଣା ସରକାରଙ୍କ ୨୦୦୨ ମସିହାର ଦଣ୍ଡ ରିହାତି ନୀତି ଆଧାରରେ ୨୦ ବର୍ଷ ଜେଲ୍ରେ କାଟିଥିବା ଦର୍ଶାଇ ଆଗୁଆ ମୁକ୍ତି ପାଇଁ ଆବେଦନ କରିଛନ୍ତି। ହରିୟାଣା ସରକାରଙ୍କ ପକ୍ଷରୁ ଏହି ଆବେଦନକୁ ବିରୋଧ କରାଯାଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ୍ ଦୀପଙ୍କର ଦତ୍ତା ପୂର୍ବର ଏକ ମାମଲାର ଉଦାହରଣ ଦେଇଥିଲେ। ସେହି ମାମଲାରେ ଜଣେ ବ୍ୟକ୍ତି ନିଜ ଝିଅକୁ ଯୌନ ନିର୍ଯାତନା ସହ ହତ୍ୟା ମାମଲାରେ ଦଣ୍ଡିତ ହୋଇଥିଲେ। ପରେ ପାରୋଲ୍ରେ ବାହାରକୁ ଆସି ସେ ନିଜ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହି ମାମଲାରେ ପରେ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ମଧ୍ୟ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ। ଏପରି ମାମଲାରେ ଦଣ୍ଡ କୋହଳ କରିବାର ପରିଣାମକୁ ନେଇ ଜଷ୍ଟିସ୍ ଦତ୍ତା ପ୍ରଶ୍ନ ଉଠାଇଥିଲେ।
‘ରେୟାରେଷ୍ଟ ଅଫ୍ ରେୟାର’ ନୀତି କ’ଣ?
ଭାରତୀୟ ଆଇନ ବ୍ୟବସ୍ଥାରେ ମୃତ୍ୟୁଦଣ୍ଡ ସବୁ ହତ୍ୟା ମାମଲାରେ ଦିଆଯାଏ ନାହିଁ। ଏହା କେବଳ ଅତ୍ୟନ୍ତ ବିରଳ ଓ ଅସାଧାରଣ ଗୁରୁତର ମାମଲାରେ, ଅର୍ଥାତ୍ ‘ରେୟାରେଷ୍ଟ ଅଫ୍ ରେୟାର’ବା ବିରଳରୁ ବିରଳତମ ନୀତି ଅନୁଯାୟୀ ଦିଆଯାଇପାରେ। ଅଦାଲତ ଅପରାଧର ଗୁରୁତ୍ୱ ସହ ଦୋଷୀଙ୍କ ପରିସ୍ଥିତି ଏବଂ ଅନ୍ୟାନ୍ୟ ଆଇନଗତ ଦିଗକୁ ବିଚାରକୁ ନିଅନ୍ତି।
ଜଷ୍ଟିସ୍ ଦତ୍ତା ମତ ଦେଇଥିଲେ ଯେ ପୂର୍ବରୁ ଏହି ନୀତିକୁ ଅଧିକ କଠୋର ଭାବେ ଲାଗୁ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ମୃତ୍ୟୁଦଣ୍ଡକୁ ଅନେକ ମାମଲାରେ ଆଜୀବନ କାରାଦଣ୍ଡରେ ବଦଳାଇବା ଅଭ୍ୟାସକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।