SC tells Delhi Police to be 'Very Harsh', Create Fear: ଅପରାଧୀଙ୍କ ମନରେ ଆଇନର ଭୟ ରହୁ: ମହିଳା ସୁରକ୍ଷା ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସ୍ୱତଃପ୍ରବୃତ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କୋର୍ଟ ପୋଲିସ ବ୍ୟବସ୍ଥା ଓ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ଅପରାଧ ଘଟିବା ପରେ କେବଳ ଅଭିଯୁକ୍ତଙ୍କୁ ଖୋଜି ଗିରଫ କରିବା ପୋଲିସର ଏକମାତ୍ର ଦାୟିତ୍ୱ ହୋଇପାରେ ନାହିଁ। ଅପରାଧ ଯେପରି ଘଟିବ ନାହିଁ, ସେଥିପାଇଁ ପୂର୍ବରୁ ପ୍ରଭାବୀ ପଦକ୍ଷେପ ନେବା ଆବଶ୍ୟକ। ଆଇନ ଭାଙ୍ଗୁଥିବା ଲୋକଙ୍କ ମନରେ ଆଇନର ଭୟ ରହିବା ଦରକାର।
ଲୋକଙ୍କ ସୁରକ୍ଷା ପାଇଁ ବିଟ୍ ପାଟ୍ରୋଲିଂର ଗୁରୁତ୍ୱ ବଢାଇବାକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ପୋଲିସ ଗାଡ଼ି ଗୋଟିଏ ସ୍ଥାନରେ ଠିଆ ହୋଇ ରହିବା ପରିବର୍ତ୍ତେ ନିୟମିତ ଭାବେ ଅଞ୍ଚଳରେ ପାଟ୍ରୋଲିଂ କରିବା ଉଚିତ। ପୋଲିସ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ସମସ୍ୟା ଓ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ରହିବା ଆବଶ୍ୟକ।
ଅନ୍ଧାର ଅଞ୍ଚଳକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ସ୍ଥାନଗୁଡ଼ିକରେ ଆଲୋକ ବ୍ୟବସ୍ଥା ନାହିଁ, ସେଠାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ନେଇ କୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣି ଷ୍ଟ୍ରିଟ୍ ଲାଇଟ୍, ଅସାମାଜିକ ତତ୍ତ୍ୱ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ।
ଅଦାଲତ ଅବୈଧ ଭୋଜନାଳୟ ଓ ମଦ ଦୋକାନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଏଭଳି ସ୍ଥାନରେ ଅସାମାଜିକ ତତ୍ତ୍ୱମାନେ ଏକାଠି ହେଉଥିବା ନେଇ ଅଭିଯୋଗ ଆସୁଥିଲେ, ସେଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବା ଆବଶ୍ୟକ। ‘ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ’ ଏହି ଭୟ ଅପରାଧୀଙ୍କ ମନରେ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।
ସିସିଟିଭି ବ୍ୟବସ୍ଥାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ସିସିଟିଭି କ୍ୟାମେରା ଲଗାଯାଇଥିଲେ ଏହାର ଫୁଟେଜ୍ ନିୟମିତ ଭାବେ ନିରୀକ୍ଷଣ କରାଯାଉଛି କି ନାହିଁ, ତାହା ଅଦାଲତ ଜାଣିବାକୁ ଚାହିଁଛନ୍ତି। ଅପରାଧ ଘଟିବା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସିସିଟିଭି ସହାୟକ ହୋଇପାରେ, କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅପରାଧ ରୋକିବା ଦିଗରେ ମଧ୍ୟ ହେବା ଉଚିତ।
ପ୍ରତ୍ୟେକ ପାର୍କର ସବୁ ସ୍ଥାନରେ କ୍ୟାମେରା ଲଗାଇବା ସମ୍ଭବ ନ ହୋଇପାରେ। କିନ୍ତୁ ପାର୍କର ପ୍ରବେଶ ଓ ପ୍ରସ୍ଥାନ ପଥ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନଜରଦାରୀ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ୍ ପାର୍ଦିୱାଲା ମହିଳା ସୁରକ୍ଷା ପ୍ରସଙ୍ଗରେ ପୋଲିସକୁ ଦାୟିତ୍ୱବୋଧ କରାଇଛନ୍ତି। ଅସଦାଚରଣ କିମ୍ବା ଦୁଷ୍କର୍ମର ଶିକାର ହେଉଥିବା ପ୍ରତ୍ୟେକ ଝିଅକୁ ନିଜ ଭଉଣୀ ଭାବି ପୋଲିସ ଏହି ଚ୍ୟାଲେଞ୍ଜର ସାମ୍ନା କରିବା ଉଚିତ ବୋଲି ସେ କହିଛନ୍ତି। ପୋଲିସ ଉପରେ ଯେଉଁ ଦାୟିତ୍ୱ ରହିଛି, ସେଥିରେ କୌଣସି ଅବହେଳା ଯେପରି ଏଭଳି ଘଟଣାର କାରଣ ନହୁଏ, ସେଥିପାଇଁ ସତର୍କ ରହିବାକୁ କୋର୍ଟ କହିଛନ୍ତି।
ଆଗାମୀ ପର୍ବପର୍ବାଣୀକୁ ନଜରରେ ରଖି ପୋଲିସକୁ ଆହୁରି ସତର୍କ ରହିବାକୁ ପଡ଼ିବ। ଦୁର୍ଗାପୂଜା ଓ ଦୀପାବଳି ସମୟରେ ଭିଡ଼ ବଢ଼ିବା ସହ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ବଢ଼ିପାରେ। ତେଣୁ ଅପରାଧ ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ପୂର୍ବରୁ ଆବଶ୍ୟକ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ରେ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।