Science Behind Yellow School Buses: ଆମେରିକାଠୁ ନେଇ ଭାରତ... ସ୍କୁଲ ବସ୍ର ରଙ୍ଗ ହଳଦିଆ କାହିଁକି? ଜାଣନ୍ତୁ କ’ଣ ରହିଛି କାରଣ
ବାଟରେ ଯିବା ବେଳେ ରାସ୍ତାରେ ଆପଣ ଅନେକ ରଙ୍ଗର ବସ୍ ଦେଖନ୍ତି। କିନ୍ତୁ ମନରେ ପ୍ରଶ୍ନ ନିହାତି ଆସୁଥିବ ଯେ, ସ୍କୁଲ ବସ୍ ଗୁଡିକ ହଳଦିଆ କାହିଁକି ହୋଇଥାଏ? ସ୍କୁଲ କିମ୍ବା କଲେଜ ବସ୍ ଟିକିଏ ଭିନ୍ନ ହୋଇଥାଏ। ବସ୍ରେ ସ୍କୁଲର ନାଁ, ରୁଟ୍ ଓ ଅନ୍ୟାନ୍ୟ ସୂଚନା ଲେଖାଥାଏ। ସ୍କୁଲ ଓ କଲେଜ ବସ୍ ସାଧାରଣତଃ ହଳଦିଆ ରଙ୍ଗର ହୋଇଥାଏ। ଏହା ପଛରେ ରହିଛି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଜଡ଼ିତ କିଛି ବୈଜ୍ଞାନିକ କାରଣ।
ଦୂରରୁ ସହଜରେ ଦେଖାଯାଏ ହଳଦିଆ ରଙ୍ଗ:-
ହଳଦିଆ ରଙ୍ଗ ଦିନ ଓ କମ୍ ଆଲୋକରେ ମଧ୍ୟ ଅନ୍ୟାନ୍ୟ ରଙ୍ଗ ତୁଳନାରେ ସହଜରେ ନଜରକୁ ଆସେ। ବିଶେଷକରି ସକାଳ ସମୟରେ ଆଲୋକ କମ୍ ଥିବା ବେଳେ କିମ୍ବା ଖରାପ ପାଗରେ ଏହି ରଙ୍ଗ ଅନ୍ୟ ଗାଡ଼ିଠାରୁ ଅଲଗା ଦେଖାଯାଏ। ଫଳରେ ରାସ୍ତାରେ ଥିବା ଅନ୍ୟ ଚାଳକମାନେ ସ୍କୁଲ ବସ୍କୁ ଶୀଘ୍ର ଚିହ୍ନଟ କରିପାରନ୍ତି।
ବସ୍ରେ କଳା ଲେଖା କାହିଁକି ରୁହେ?
ହଳଦିଆ ପୃଷ୍ଠଭୂମି ଉପରେ କଳା ରଙ୍ଗର ଅକ୍ଷର ଅତ୍ୟନ୍ତ ସ୍ପଷ୍ଟ ଦେଖାଯାଏ। ତେଣୁ ବସ୍ରେ ସ୍କୁଲର ନାଁ, ‘SCHOOL BUS’ ଭଳି ସୂଚନା କିମ୍ବା ଅନ୍ୟାନ୍ୟ ଚିହ୍ନକୁ ସହଜରେ ପଢ଼ିହୁଏ। ଏହା ମଧ୍ୟ ସ୍କୁଲ ବସ୍କୁ ଶୀଘ୍ର ଚିହ୍ନିବାରେ ସହାୟକ ହୁଏ।
ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ସ୍କୁଲ ବସ୍ରେ ଛୋଟ ଛୋଟ ପିଲା ଯାତାୟାତ କରୁଥିବାରୁ ଏହାକୁ ସାଧାରଣ ବସ୍ଠାରୁ ଅଲଗା ଭାବେ ଚିହ୍ନଟ କରିବା ଜରୁରୀ। ହଳଦିଆ ରଙ୍ଗ ଦୂରରୁ ନଜରକୁ ଆସୁଥିବାରୁ ଅନ୍ୟ ଗାଡ଼ିର ଚାଳକମାନେ ସତର୍କ ହେବାର ସୁଯୋଗ ପାଆନ୍ତି। ବସ୍ ଅଟକି ପିଲାମାନେ ଓହ୍ଲାଇବା କିମ୍ବା ଚଢ଼ିବା ସମୟରେ ଏହା ବିଶେଷ ଗୁରୁତ୍ୱ ବହନ କରେ।
ତେବେ ସବୁ ସ୍କୁଲ ବସ୍ କ’ଣ ହଳଦିଆ?
ନା। ସ୍କୁଲ ବସ୍ର ରଙ୍ଗ ଓ ଅନ୍ୟାନ୍ୟ ସୁରକ୍ଷା ମାନଦଣ୍ଡ ଦେଶ ଓ ଅଞ୍ଚଳର ନିୟମ ଅନୁସାରେ ଭିନ୍ନ ହୋଇପାରେ। ଭାରତରେ ମଧ୍ୟ ସ୍କୁଲ ବସ୍ ପାଇଁ ନିର୍ଦ୍ଦିଷ୍ଟ ସୁରକ୍ଷା ନିୟମ ରହିଛି।
ଏହି କାରଣରୁ ସ୍କୁଲ ବସ୍ର ହଳଦିଆ ରଙ୍ଗ କେବଳ ଦେଖିବାକୁ ଆକର୍ଷଣୀୟ ଲାଗିବା ପାଇଁ ନୁହେଁ। ରାସ୍ତାରେ ଦୂରରୁ ବସ୍କୁ ଚିହ୍ନଟ କରିବା, ଅନ୍ୟ ଚାଳକଙ୍କୁ ସତର୍କ କରିବା ଏବଂ ପିଲାମାନଙ୍କ ଯାତାୟାତକୁ ଅଧିକ ସୁରକ୍ଷିତ କରିବା—ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ।
କେଉଁ ଦେଶର ସ୍କୁଲ ବସଗୁଡ଼ିକ ହଳଦିଆ ଥାଏ?
ଭାରତ ବ୍ୟତୀତ ଆମେରିକା, କାନାଡା, ମେକ୍ସିକୋ, ୟୁଏଇ, ଚୀନ, ଦକ୍ଷିଣ କୋରିଆ, ଫିଲିପାଇନ୍ସ, ସିଙ୍ଗାପୁର, ରୋମାନିଆ, ପୋଲାଣ୍ଡ ଓ ୟୁକ୍ରେନରେ ମଧ୍ୟ ସ୍କୁଲ ବସ୍ର ରଙ୍ଗ ହଳଦିଆ ହୋଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।