Security At Salman Khan's Home Increased: ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ପରେ ସଲମାନ ଖାନ୍ଙ୍କ ଘରେ ସୁରକ୍ଷା କଡ଼ାକଡ଼ି
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଅଭିନେତା ସଲମାନ ଖାନ୍ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନଙ୍କ ବାସଭବନ ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ ସୁରକ୍ଷା କଡ଼ାକଡ଼ି କରିବା ସହ ସେହି ଅଞ୍ଚଳ ଦେଇ ଯାଉଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି।
ସୂଚନା ଅନୁସାରେ, ରବିବାର ମୁମ୍ବାଇର ଜୁହୁ ଅଞ୍ଚଳରେ ଫୁଟବଲ୍ ଖେଳି ଫେରୁଥିବା ବେଳେ ଟାଇଗର ଶ୍ରଫ୍ଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା। ଦୁଇ ଜଣ ବନ୍ଧୁକଧାରୀ ତାଙ୍କ କାର୍କୁ ଲକ୍ଷ୍ୟ କରି ୭ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେଥିରୁ ୫ଟି ଗୁଳି କାର୍ରେ ବାଜିଥିଲା। ଏହି ଘଟଣାରେ ଟାଇଗରଙ୍କ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଥିଲେ।
ଗୁଳିମାଡ଼ ପରେ ଅଞ୍ଚଳରେ ସ୍ଥାନୀୟ ଆତଙ୍କ ଖେଳିଯାଇଥିଲା। ଏହାର ସୁଯୋଗ ନେଇ ଦୁଇ ଜଣ ଆକ୍ରମଣକାରୀ ବାଇକ୍ରେ ଫେରାର ହୋଇଯାଇଥିଲେ। ସେମାନଙ୍କର ତୃତୀୟ ସହଯୋଗୀ ବାଇକ୍ଟିକୁ ପୂର୍ବରୁ ପ୍ରସ୍ତୁତ ରଖିଥିବା କୁହାଯାଉଛି। ଏପରି ସ୍ଥିତିରେ ଟାଇଗର ନିଜେ ଡ୍ରାଇଭର ସିଟ୍ରେ ବସି ଆହତ ଡ୍ରାଇଭରଙ୍କୁ ନାନାବତୀ ହସ୍ପିଟାଲକୁ ନେଇଥିଲେ।
ଘଟଣା ପରେ ମୁମ୍ବାଇ ପୋଲିସ ଏବଂ ରାଜସ୍ଥାନର ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (ଏଜିଟିଏଫ୍) ମିଳିତ ଅଭିଯାନ ଚଳାଇଥିଲେ। ଏହାପରେ ରାଜସ୍ଥାନର କୋଟା ରେଳ ଷ୍ଟେସନରୁ ତିନି ଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣାର ଏବଂ ଜଣେ ବିହାରର ବୋଲି କୁହାଯାଉଛି।
ଅନ୍ୟପଟେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଫୋନ୍ ଯୋଗେ ଟାଇଗରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀ ଏବଂ ଏହା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଟାଇଗରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ।
ସଲମାନ ଖାନ୍ଙ୍କ ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଶତ୍ରୁତା
ସଲମାନ ଖାନ୍ଙ୍କ ସହ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିବା ଘଟଣା ଏହା ପ୍ରଥମ ନୁହେଁ। ରାଜସ୍ଥାନର ଯୋଧପୁରରେ ୧୯୯୮ ମସିହାରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈଁ’ର ସୁଟିଂ ସମୟରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କ ନାଁ ଆସିବା ପରଠାରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ତାଙ୍କର ବିବାଦ ଚର୍ଚ୍ଚାରେ ରହିଛି।
ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପବିତ୍ର ମନେ କରେ। ଏହି ମାମଲାକୁ ନେଇ ସଲମାନ କ୍ଷମା ମାଗନ୍ତୁ ବୋଲି ଲରେନ୍ସ ବିଷ୍ଣୋଇ ପୂର୍ବରୁ ଅନେକ ଥର ଧମକ ଦେଇଥିବା ଅଭିଯୋଗ ରହିଛି।
୨୦୨୪ ମସିହାରେ ସଲମାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିବା ବେଳେ ଏହି ଗ୍ୟାଙ୍ଗ୍ ସହ ଜଡ଼ିତ ଲୋକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ସେହି ବର୍ଷ ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ୨୦୨୨ରେ ସଲମାନଙ୍କ ପିତା ସଲିମ ଖାନ୍ଙ୍କୁ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା।
ଏବେ ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ମୁମ୍ବାଇ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି। ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଏବଂ ଏହା ପଛରେ ଥିବା ଷଡ଼ଯନ୍ତ୍ରରେ କାହାର ହାତ ରହିଛି, ସେ ନେଇ ତଦନ୍ତ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।