Shocking Discovery: ମାଟି ଖୋଳୁ ଖୋଳୁ ବାହାରିଲା କୋଟି କୋଟିର ସୁନା, ୧୮ ବର୍ଷର ଯୁବକଙ୍କ ହାତରେ ୯୮ କୋଟିର ଗୁପ୍ତଧନ
ସାଧାରଣ ଭାବେ ଚାଲିଥିଲା ନାଳ କାମ। ହଠାତ୍ ମାଟି ତଳୁ ମିଳିଲା କିଛି ମୁଦ୍ରା। ପ୍ରଥମେ ଏହାକୁ ସାଧାରଣ ଟଙ୍କା ବୋଲି ଭାବିଥିଲେ ଶ୍ରମିକ। କିନ୍ତୁ ଆଉ ଟିକେ ଖୋଳିବା ପରେ ଯାହା ଦେଖିଲେ, ସେଥିରେ ସମସ୍ତଙ୍କ ଆଖି ଖୋସି ହୋଇଗଲା। ଘଟଣା ବେଲଜିୟମର ସିଣ୍ଟ-ଗିଲିସ୍-ଡେଣ୍ଡରମୋଣ୍ଡେ ଅଞ୍ଚଳର । ୧୮ ବର୍ଷୀୟ କୋବେ ନିର୍ମାଣ କାମ କରୁଥିଲେ। ଭୂତଳ ନାଳ ପାଇପ୍ ବସାଇବା ପାଇଁ ଖୋଳିବା ବେଳେ ଏହି ରହସ୍ୟମୟ ଗୁପ୍ତଧନ ତାଙ୍କ ହାତରେ ଲାଗିଥିଲା।
ମାଟି ତଳୁ ମୋଟ୍ ୪୯ଟି ସୁନା ବାର୍, ସୁନା ମୁଦ୍ରା, ସୁନା ଖଣ୍ଡ ଏବଂ ବୁଲିଅନ୍ ବାର୍ ସହ ଅନେକ ପୁରୁଣା ମୁଦ୍ରା ମିଳିଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ଭଣ୍ଡାରର ଆନୁମାନିକ ମୂଲ୍ୟ ପ୍ରାୟ ୯ ନିୟୁତ ୟୁରୋ, ଅର୍ଥାତ୍ ପ୍ରାୟ ୯୮ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି ।
ସବୁଠୁ ରୋଚକ କଥା ହେଉଛି, ଏହି ସୁନା ଜଣକ ଘରର ସେଲାର୍ କାନ୍ଥ ଭିତରେ ଲୁଚାଇ ରଖାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି—କିଏ ଏତେ ସୁନା ଏଠାରେ ଲୁଚାଇଥିଲା ଏବଂ କାହିଁକି?
ଶ୍ରମିକମାନେ ସୁନାକୁ ନିଜ ପାଖରେ ନରଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏବେ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ଏବଂ ଏହାର ପ୍ରକୃତ ମାଲିକଙ୍କୁ ଖୋଜା ଚାଲିଛି। ବେଲଜିୟମ ଆଇନ ଅନୁସାରେ ଦାବିଦାର ସାମ୍ନାକୁ ଆସିବା ପାଇଁ ପାଞ୍ଚ ବର୍ଷ ସମୟ ରହିଛି। ହେଲେ ଏହି ସୁନା ଶେଷରେ କାହାର ହେବ—ସେହି ରହସ୍ୟ ଏବେ ବି ଖୋଲିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।