Shubhdeep Singh Sidhu Recreates Signature Thaapi Gesture: ଲାଇମଲାଇଟରେ ମୁସେୱାଲାଙ୍କ ସାନ ଭାଇ; ଛୋଟା ସିଦ୍ଧୁଙ୍କ ଜଲୱା, ଭାଇରାଲ୍ ହେଲା ଭିଡିଓ

Oct 13, 2026 - 12:51
Shubhdeep Singh Sidhu Recreates Signature Thaapi Gesture: ଲାଇମଲାଇଟରେ ମୁସେୱାଲାଙ୍କ ସାନ ଭାଇ; ଛୋଟା ସିଦ୍ଧୁଙ୍କ ଜଲୱା, ଭାଇରାଲ୍ ହେଲା ଭିଡିଓ

କାନାଡାର ଟରଣ୍ଟୋରେ ଆୟୋଜିତ ସିଦ୍ଧୁ ମୁସେୱାଲାଙ୍କ ‘ସାଇନ୍‌ଡ ଟୁ ଗଡ୍‌ ହୋଲୋଗ୍ରାମ୍ ୱାର୍ଲ୍ଡ ଟୁର୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁଙ୍କ ଦୁଇ ବର୍ଷର ସାନ ଭାଇ ଶୁଭଦୀପ ସିଂହ ସିଦ୍ଧୁ ଭାଇଙ୍କ ଲୋକପ୍ରିୟ ‘ଥାପି’ ଷ୍ଟାଇଲ୍‌କୁ ଅନୁକରଣ କରିଛନ୍ତି। ତାଙ୍କୁ ସ୍ନେହରେ ‘ଛୋଟା ସିଦ୍ଧୁ’ ମଧ୍ୟ କୁହାଯାଏ। ତାଙ୍କର ଏହି ଅନ୍ଦାଜ ଉପସ୍ଥିତ ଦର୍ଶକଙ୍କ ମନରେ ପୁଣି ସିଦ୍ଧୁଙ୍କ ସ୍ମୃତିକୁ ତାଜା କରିଦେଇଥିଲା। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

ଅକ୍ଟୋବର ୯, ୨୦୨୬ରେ ଟରଣ୍ଟୋର ସ୍କୋଟିଆବ୍ୟାଙ୍କ ଆରେନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଛୋଟା ସିଦ୍ଧୁ ଦର୍ଶକଙ୍କ ସାମ୍ନାରେ ତାଙ୍କ ବଡ଼ ଭାଇଙ୍କ ସିଗନେଚର ଗେସ୍ଚର ‘ଥାପି’ କୁ ଦୋହରାଇଥିଲେ। ଏହି ସମୟରେ ତାଙ୍କ ମା’ ଚରଣ କୌର ଓ ବାପା ବଲକୌର ସିଂହ ମଧ୍ୟ ସାମିଲ ହୋଇଥିଲେ।

ଏହି କନ୍‌ସର୍ଟ ମାଧ୍ୟମରେ ସିଦ୍ଧୁ ମୁସେୱାଲାଙ୍କ ସଙ୍ଗୀତକୁ ପୁଣି ଥରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ ସିଦ୍ଧୁଙ୍କ ୨୦୨୧ର ଲୋକପ୍ରିୟ ଗୀତ ‘୨୯୫’ର ଏକ ନୂଆ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି। ଏହି ହୋଲୋଗ୍ରାମ୍ ଟୁର୍‌ର ଲକ୍ଷ୍ୟ ହେଉଛି ତାଙ୍କ ସଙ୍ଗୀତକୁ ବିଶ୍ୱର ବିଭିନ୍ନ ଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବା।

ସିଦ୍ଧୁ ମୁସେୱାଲାଙ୍କ ପ୍ରକୃତ ନାମ ଶୁଭଦୀପ ସିଂହ ସିଦ୍ଧୁ। ୧୯୯୩ ଜୁନ୍ ୧୧ରେ ପଞ୍ଜାବର ମାନସା ଜିଲ୍ଲା ଅନ୍ତର୍ଗତ ମୁସା ଗାଁରେ ତାଙ୍କ ଜନ୍ମ ହୋଇଥିଲା। ସେ ବଲକୌର ସିଂହ ଓ ଚରଣ କୌରଙ୍କ ଏକମାତ୍ର ସନ୍ତାନ ଥିଲେ। ୨୦୨୨ ମେ’ ୨୯ରେ ପଞ୍ଜାବର ଜୱାହରକେ ଗାଁ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହେବାରୁ ମାତ୍ର ୨୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରାୟ ଦୁଇ ବର୍ଷ ପରେ, ୨୦୨୪ ମାର୍ଚ୍ଚ ୧୭ରେ ଶୁଭଦୀପ ସିଂହ ସିଦ୍ଧୁଙ୍କ ଜନ୍ମ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।