Sleeper Bus Catches Fire: ଏକ୍ସପ୍ରେସୱେରେ ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀଙ୍କ ମୃତ୍ୟୁ

Sep 24, 2026 - 09:24
Sleeper Bus Catches Fire: ଏକ୍ସପ୍ରେସୱେରେ ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସୱେରେ ଗୁରୁବାର ଭୋର ସମୟରେ ଏକ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ନିଶ୍ଚିତ କରାଯାଇଛି। ଅନେକ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି। 

ସୂଚନା ଅନୁସାରେ, ଯମୁନା ଏକ୍ସପ୍ରେସୱେର ଜେୱର ଥାନା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବସ୍‌ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ବେଳେ ରାତିରେ ହଠାତ୍‌ ଏଥିରେ ନିଆଁ ଲାଗିଥିଲା। ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ତେବେ ବସ୍‌ରେ ମୋଟ କେତେ ଯାତ୍ରୀ ଥିଲେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ଯାତ୍ରୀ ବସ୍‌ ଭିତରେ ଶୋଇଥିଲେ। ଜଣେ ଯାତ୍ରୀ କହିଛନ୍ତି ଯେ ସେ ଶୋଇଥିବା ସମୟରେ କେହି ତାଙ୍କୁ ଉଠାଇ ନିଆଁ ଲାଗିଥିବା ବିଷୟରେ ଜଣାଇଥିଲେ। ସେ ଉଠିବା ବେଳକୁ ବସ୍‌ ଭିତରେ ଧୂଆଁ ଭରିଯାଇଥିଲା। ନିଆଁ ବସ୍‌ର ଆଗପଟେ ଲାଗିଥିବା ସେ କହିଛନ୍ତି। ଜୀବନ ବଞ୍ଚାଇବା ପାଇଁ ସେ କୌଣସିମତେ ବସ୍‌ରୁ ତଳକୁ ଓହ୍ଲାଇଥିଲେ।

ଆଗୁଆ ନିଆଁ ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଭୟଙ୍କର ଆତଙ୍କ ଖେଳିଯାଇଥିଲା। କେତେକ ଯାତ୍ରୀ ବସ୍‌ରୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇଥିବା ବେଳେ, ଦ୍ରୁତଗତିରେ ନିଆଁ ବ୍ୟାପିଯିବାରୁ କିଛି ଯାତ୍ରୀ ଭିତରେ ଫସି ଯାଇଥିଲେ। 

ତେବେ ଏପର୍ଯ୍ୟନ୍ତ ବସ୍‌ରେ ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।