Sona Mohapatra Questions Rahul Gandhi: ଗଣତନ୍ତ୍ର ପୂର୍ବରୁ ହିମାଚଳକୁ ସଜାଡ଼! ରାହୁଲ ଗାନ୍ଧିଙ୍କୁ ସୋନା ମହାପାତ୍ରଙ୍କ କଟାକ୍ଷ

Oct 13, 2026 - 18:32
Sona Mohapatra Questions Rahul Gandhi: ଗଣତନ୍ତ୍ର ପୂର୍ବରୁ ହିମାଚଳକୁ ସଜାଡ଼! ରାହୁଲ ଗାନ୍ଧିଙ୍କୁ ସୋନା ମହାପାତ୍ରଙ୍କ କଟାକ୍ଷ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର। ଗଣତନ୍ତ୍ରର ମରାମତି କଥା କହିବା ପୂର୍ବରୁ କଂଗ୍ରେସ ଶାସିତ ହିମାଚଳ ପ୍ରଦେଶର ଅବସ୍ଥା ସୁଧାରିବା ଉପରେ ଗୁରୁତ୍ୱ ଦେବାକୁ ସେ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି। ହିମାଚଳ ପ୍ରଦେଶକୁ ଦୀର୍ଘ ୯ ବର୍ଷ ପରେ ଫେରିବା ପରେ ସେଠାକାର ପାହାଡ଼ରେ ଗଦା ହୋଇଥିବା ଆବର୍ଜନା ଓ ଦୂଷିତ ନଦୀର ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି।

ଓଡିଆ ଝିଅ ସୋନା ମହାପାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧିଙ୍କୁ ଟ୍ୟାଗ୍ କରିଛନ୍ତି। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶକୁ ଉତ୍ତମ ଶାସନର ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି।

କ’ଣ କହିଲେ ସୋନା ମହାପାତ୍ର?

ସୋନା ନିଜ ପୋଷ୍ଟରେ ରାହୁଲ ଗାନ୍ଧିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଗଣତନ୍ତ୍ରର ମରାମତି କରିବା ପୂର୍ବରୁ ହିମାଚଳ ପ୍ରଦେଶକୁ ସଜାଡ଼ିବା ଆରମ୍ଭ କରନ୍ତୁ। ଦୀର୍ଘ ୯ ବର୍ଷ ପରେ ହିମାଚଳ ପ୍ରଦେଶକୁ ଫେରି ସେ ପାହାଡ଼ରେ ଆବର୍ଜନା ଗଦା ହୋଇଥିବା ଏବଂ ନଦୀଗୁଡ଼ିକ ପ୍ରଦୂଷଣରେ ଜର୍ଜରିତ ହୋଇଥିବା ଦେଖି ଚକିତ ହୋଇଥିବା ଉଲ୍ଲେଖ କରିଛନ୍ତି।

ହିମାଚଳ ପ୍ରଦେଶକୁ ଉତ୍ତମ ଶାସନର ଏକ ଉଦାହରଣ କରି ଦେଖାଇବାକୁ ସେ ରାହୁଲଙ୍କୁ କହିଛନ୍ତି। କେବଳ ଜନସମର୍ଥନ ଦାବି କରିବା ପରିବର୍ତ୍ତେ ଲୋକଙ୍କ ବିଶ୍ୱାସ ଜିତିବା ଜରୁରୀ ବୋଲି ସୋନା ନିଜ ପୋଷ୍ଟରେ ମତ ରଖିଛନ୍ତି।

କାହିଁକି ରାହୁଲଙ୍କୁ ଟାର୍ଗେଟ୍ କଲେ ସୋନା?

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ମୋଦି ସରକାରଙ୍କ ବିଦାୟ ପରେ ଗଣତନ୍ତ୍ରର ମରାମତି ସମ୍ଭବ ହେବ ବୋଲି ରାହୁଲ ଗାନ୍ଧି ନିକଟରେ ମନ୍ତବ୍ୟ ଦେଇଥିଲେ। ରାହୁଲଙ୍କ ଏହି ମନ୍ତବ୍ୟର ଜବାବରେ ସୋନା ମହାପାତ୍ର ହିମାଚଳ ପ୍ରଦେଶର ଶାସନ ବ୍ୟବସ୍ଥା ଓ ପରିବେଶର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, କଂଗ୍ରେସ ଯେଉଁ ରାଜ୍ୟଗୁଡ଼ିକରେ କ୍ଷମତାରେ ଅଛି, ସେଠାରେ ଉତ୍ତମ ଶାସନ ଦେଇ ନିଜର ଦକ୍ଷତା ପ୍ରମାଣ କରିବା ଆବଶ୍ୟକ।

ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା

ସୋନାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। କିଛି ୟୁଜର ତାଙ୍କ ମତକୁ ସମର୍ଥନ କରିବା ସହ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ଉତ୍ତମ ଶାସନର ମଡେଲ୍ ଭାବେ ଗଢ଼ିବାକୁ କହିଛନ୍ତି।
ଜଣେ ୟୁଜର ଲେଖିଛନ୍ତି ଯେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳକୁ ଆଦର୍ଶ ରାଜ୍ୟ କରି ରାହୁଲ ଗାନ୍ଧି ନିଜ ଦଳର ଶାସନ କ୍ଷମତା ପ୍ରମାଣ କରିପାରିବେ। ଅନ୍ୟ କିଛି ୟୁଜର କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଦୁର୍ନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସ୍ଥିତିକୁ ନେଇ ସମାଲୋଚନା କରିଛନ୍ତି।

ଆଉ ଜଣେ ୟୁଜର ରାହୁଲ ଗାନ୍ଧିଙ୍କ ଶାସନ ଦାୟିତ୍ୱ ଓ ପ୍ରଶାସନିକ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ସବୁ ମତ ସୋସିଆଲ ମିଡିଆ ୟୁଜରଙ୍କ ବ୍ୟକ୍ତିଗତ ପ୍ରତିକ୍ରିୟା।
ସୋନା ମହାପାତ୍ରଙ୍କ ଏହି ପୋଷ୍ଟକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହା କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ଶାସନ ଓ ପରିବେଶ ପରିଚାଳନାକୁ ନେଇ ନୂଆ ଆଲୋଚନା ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।