Sonia Gandhi Joins Instagram: ଇନଷ୍ଟାଗ୍ରାମରେ ସୋନିଆ ଗାନ୍ଧିଙ୍କ ଡେବ୍ୟୁ, ଦେଖାଇଲେ ନିଜ ବହିର ପ୍ରଥମ ଝଲକ

Oct 22, 2026 - 15:48
Sonia Gandhi Joins Instagram: ଇନଷ୍ଟାଗ୍ରାମରେ ସୋନିଆ ଗାନ୍ଧିଙ୍କ ଡେବ୍ୟୁ, ଦେଖାଇଲେ ନିଜ ବହିର ପ୍ରଥମ ଝଲକ

ରାଜନୀତିରେ ଦୀର୍ଘ ଅନୁଭବ, ଜୀବନରେ ଅନେକ ଉତ୍ଥାନ-ପତନ। ଏବେ ନିଜ ଜୀବନର ଅନେକ ଅକୁହା କାହାଣୀକୁ ପାଠକଙ୍କ ସାମ୍ନାକୁ ଆଣିବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି। ଇନଷ୍ଟାଗ୍ରାମରେ ପ୍ରଥମଥର ପାଇଁ ନିଜର ଉପସ୍ଥିତି ଜଣାଇବା ସହ ଆଗାମୀ ପୁସ୍ତକ ‘Belonging: A Journey of Love’ ର ପ୍ରଥମ ଝଲକ ସେୟାର କରିଛନ୍ତି ସୋନିଆ। ତାଙ୍କ ଏହି ପଦକ୍ଷେପ ଏବେ ରାଜନୈତିକ ଓ ସାହିତ୍ୟିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

୭୯ ବର୍ଷୀୟା ସୋନିଆ ଗାନ୍ଧି ନିଜର ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟରେ ପୁସ୍ତକର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଏଥିରେ ସେ ପୁସ୍ତକର ଏକ କପି ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ନିଜ ପୁସ୍ତକକୁ ପରିଚିତ କରାଇ ସେ କହିଛନ୍ତି, ଏହା ହେଉଛି ପ୍ରେମ, କର୍ତ୍ତବ୍ୟ, ହରାଇବାର ଯନ୍ତ୍ରଣା ଏବଂ ନିଜର ଏକ ପରିଚୟ ଖୋଜିବାର କାହାଣୀ। ଏହି ଯାତ୍ରାକୁ ପାଠକଙ୍କ ସହ ବାଣ୍ଟିବାକୁ ସେ ଆଗ୍ରହୀ ବୋଲି ମଧ୍ୟ କହିଛନ୍ତି।

କାହିଁକି ଚର୍ଚ୍ଚାରେ ସୋନିଆଙ୍କ ପୁସ୍ତକ?

‘Belonging: A Journey of Love’ ପୁସ୍ତକରେ ସୋନିଆ ଗାନ୍ଧିଙ୍କ ପିଲାଦିନଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହ ସମ୍ପର୍କ ଏବଂ ଭାରତୀୟ ରାଜନୀତିରେ ତାଙ୍କ ଯାତ୍ରା ସମ୍ପର୍କରେ ଅନେକ କଥା ସ୍ଥାନ ପାଇଛି। ତେଣୁ ଏହି ପୁସ୍ତକକୁ ନେଇ ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା।

ପ୍ରକାଶନ ସଂସ୍ଥା ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ (PRHI) ପ୍ରଥମେ ଏହି ପୁସ୍ତକ ପ୍ରକାଶ କରିବାକୁ ଆଗ୍ରହ ଦେଖାଇଥିଲା। କିନ୍ତୁ ସମ୍ପାଦନାକୁ ନେଇ ମତଭେଦ ଦେଖାଦେବା ପରେ ପ୍ରକାଶନ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। 

ନଭେମ୍ବର ୧୦ରେ ପ୍ରକାଶ ପାଇବ ପୁସ୍ତକ

ପରେ ହାର୍ପରକଲିନ୍ସ ଇଣ୍ଡିଆ ଏହି ପୁସ୍ତକ ପ୍ରକାଶ କରିବାକୁ ଘୋଷଣା କରିଥିଲା। ନଭେମ୍ବର ୧୦ରେ ପୁସ୍ତକଟି ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ଚଳିତ ସମୟର ବହୁ ପ୍ରତୀକ୍ଷିତ ରାଜନୈତିକ ବହି ମଧ୍ୟରୁ ଗୋଟିଏ ବୋଲି ପ୍ରକାଶକ କହିଛନ୍ତି ।

ସୋନିଆ ଗାନ୍ଧିଙ୍କ ଇନଷ୍ଟାଗ୍ରାମ ଡେବ୍ୟୁ ଏବଂ ପୁସ୍ତକର ପ୍ରଥମ ଝଲକ ପରେ ଏବେ ପାଠକଙ୍କ ନଜର ରହିଛି ନଭେମ୍ବର ୧୦ ଉପରେ। ଏହି ପୁସ୍ତକରେ ତାଙ୍କ ଜୀବନ ଓ ରାଜନୈତିକ ଯାତ୍ରାର କେଉଁ ଅଜଣା ଦିଗ ସାମ୍ନାକୁ ଆସିବ, ତାହା ଜାଣିବାକୁ ଅପେକ୍ଷା କରିଛନ୍ତି ଅନେକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।