Special Parliament Session: ଅଙ୍କ କଷୁଛି ଏନଡିଏ, ଡିଏମକେଠାରୁ ଏନସିପି ପର୍ଯ୍ୟନ୍ତ- ବିଲ୍ ପାଇଁ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛି
ମହିଳା ସଂରକ୍ଷଣ ଓ ଲୋକସଭା ଆସନର ସୀମା ନିର୍ଦ୍ଧାରଣ ବିଲ୍କୁ ପୁଣିଥରେ ସଂସଦରେ ଆଗତ କରିପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ଅକ୍ଟୋବର ମାସର ଶେଷ ଭାଗରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ହୋଇଛି। ତେବେ ଅଧିବେଶନ ଡାକିବା ନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ପ୍ରତିବାଦ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ସଂସଦରେ ନିଜର ସଂଖ୍ୟାଗଣିତ ସୁଦୃଢ଼ କରିବାକୁ ଉଦ୍ୟମ କରୁଛନ୍ତି। ସଂସଦରେ ଆବଶ୍ୟକ ସମର୍ଥନ ମିଳିବ ବୋଲି ସରକାର ଆଶାବାଦୀ ଥିବାରୁ ସ୍ୱତନ୍ତ୍ର ଅଧିବେଶନ ଡକାଯିବାର ସମ୍ଭାବନା ରହିଛି।
ଚଳିତ ବର୍ଷ ଏପ୍ରିଲ୍ ୧୭ ତାରିଖରେ ସଂସଦର ବଜେଟ୍ ଅଧିବେଶନ ସମୟରେ ମହିଳା ସଂରକ୍ଷଣ ଲାଗୁ କରିବା ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହୋଇ ପାରିନଥିଲା। ଏହି ବିଲ୍ରେ ଲୋକସଭା ଓ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ବୃଦ୍ଧି ଏବଂ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ସମ୍ପର୍କିତ ବ୍ୟବସ୍ଥା ରହିଥିଲା। ଏହା ପୂର୍ବରୁ ମୌସୁମୀ ଅଧିବେଶନରେ ମଧ୍ୟ ଏହି ବିଲ୍ଗୁଡ଼ିକୁ ପୁଣି ଆଗତ କରିବାକୁ ସରକାରଙ୍କ ଉଦ୍ୟମ ସଫଳ ହୋଇନଥିଲା।
ବିଲ୍ ପାରିତ କରାଇବା ପାଇଁ କେନ୍ଦ୍ର ସରକାର ତାମିଲନାଡୁର ଶାସକ ଦଳ ଡିଏମକେ ସହ ଆଲୋଚନା କରୁଥିବା ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ ରହିଛି। ଏହା ସହ କେତେକ ଛୋଟ ରାଜନୈତିକ ଦଳଙ୍କ ସହ ମଧ୍ୟ ସରକାର ଯୋଗାଯୋଗରେ ଥିବା କୁହାଯାଉଛି। ଏନସିପି (ଶରଦଚନ୍ଦ୍ର ପୱାର) ଦଳର ୮ ଜଣ ସାଂସଦଙ୍କ ସମର୍ଥନ ମିଳିବା ନେଇ ମଧ୍ୟ ସରକାର ଆଶା ରଖିଛନ୍ତି।
ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ସଂସଦର ଉଭୟ ଗୃହରେ ସ୍ୱତନ୍ତ୍ର ବହୁମତ ଆବଶ୍ୟକ। ରିପୋର୍ଟ ଅନୁଯାୟୀ, ଲୋକସଭାରେ ଏବେ ୫୪୦ ଜଣ ସଦସ୍ୟ ଅଛନ୍ତି। ଏନଡିଏ ପାଖରେ ସାଧାରଣ ବହୁମତ ଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ନାହିଁ। ତେଣୁ ବିରୋଧୀ ଶିବିରର କେତେକ ସାଂସଦଙ୍କ ସମର୍ଥନ ହାସଲ କରିବା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ଅକ୍ଟୋବର ୨୬ ଓ ୨୭ ତାରିଖରେ ସଂସଦ ଭବନର ସମ୍ବିଧାନ ସଦନରେ ଦ୍ୱାଦଶ ବ୍ରିକ୍ସ ସଂସଦୀୟ ମଞ୍ଚ ଆୟୋଜିତ ହେବାକୁ ଥିବାରୁ ଏହାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଅଧିବେଶନର ତାରିଖ ନିର୍ଦ୍ଧାରଣ କରାଯିବ। ଅଧିବେଶନ ଡାକିବା ପୂର୍ବରୁ ପ୍ରାୟ ଏକ ସପ୍ତାହର ନୋଟିସ୍ ଦିଆଯାଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।