Sports: ଟେକ୍ବଲ୍: ଟିଟି ଓ ଫୁଟବଲର ମହାମିଳନ
"ଭୁବନେଶ୍ବର: ଜାପାନରେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡ଼ାରେ ପ୍ରଥମ ପଦାର୍ପଣ କରିଛି ଟେକ୍ବଲ୍ ଖେଳ।
ପ୍ରଥମରୁ ଭାରତୀୟ ଖେଳାଳି ବି ଚର୍ଚ୍ଚାକୁ ଆସିଛନ୍ତି।
କ୍ବିମ୍ସୀ ଡି"ସୁଜା ପଦକ ସମ୍ଭାବନା ସୃଷ୍ଟି କରି ଏହି ଚର୍ଚ୍ଚାକୁ ବଢ଼ାଇଛନ୍ତି।
ଏବେ ଏହି ଖେଳକୁ ନେଇ ବିଭିନ୍ନ ପ୍ରଶ୍ନ, ଉତ୍କଣ୍ଠା ଓ ଉତ୍ସାହ ଦେଖା ଦେଇଛି।
ଏହି ଖେଳର ଇତିହାସ, ଖେଳାଳି ଶୈଳୀ, ପଡ଼ିଆ ଆକାର, ଖେଳାଳିଙ୍କ ସଂଖ୍ୟାକୁ ନେଇ ଅନେକ ପ୍ରଶ୍ନ ଆସିବା ଆରମ୍ଭ କରିଛି। "ସମ୍ବାଦ" ଏ ସମ୍ପର୍କରେ ଅନୁସଂଧାନ କରିବା ପରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଶ୍ରେୟ ମଣିଛି।Advertisment କ"ଣ ଓ କିଭଳି ଖେଳାଯାଏ?ଟେକ୍ବଲ୍ ଖେଳ ହେଉଛି ଫୁଟ୍ବଲ୍ ଓ ଟେବୁଲ୍ ଟେନିସ୍ର ମହାମିଳନ।
ବ୍ୟାଡ୍ମିଣ୍ଟନ୍ କୋର୍ଟରେ ବିନା ହାତରେ ଭଲିବଲ୍ ଖେଳାଯିବାକୁ ନେଇ ଯେଭଳି ଅନ୍ୟତମ ଏସୀୟ ଖେଳ ସିପକଟାକ୍ରର ସୃଷ୍ଟି ସେଭଳି ଟେକ୍ବଲ୍ ଏକ ବକ୍ରାକାର ଟେବୁଲ୍ ଟେନିସ୍ କୋର୍ଟରେ ଫୁଟ୍ବଲ୍ ଖେଳାଯାଇଥାଏ।
କେବଳ ବାହୁ ଓ ହାତକୁ ଛାଡ଼ି ଶରୀରର ଅନ୍ୟ ଯେ କୌଣସି ଭାଗକୁ ବ୍ୟବହାର କରି ବଲ୍କୁ ଖେଳାଯାଇଥାଏ।
କିଛି ବିଶ୍ବସ୍ତରୀୟ ଫୁଟ୍ବଲ୍ ଖେଳାଳିଙ୍କ ସମ୍ପୃକ୍ତି ପରେ ଏହାର ଲୋକପ୍ରିୟତା ବଢ଼ିଛି।
ଏହି ଖେଳ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ବର୍ଗରେ ଖେଳାଯାଉଛି।
ଏସୀୟ କ୍ରୀଡ଼ା-୨୦୨୬ରେ ମଧ୍ୟ ଏଥି ପାଇଁ ପୁରୁଷ ଓ ମହିଳା ବିଭାଗକୁ ମିଶାଇ ୫ ପଦକ ସମ୍ଭାବନା ରହିଛି।
୨୦୨୧ ଏସୀୟ ବିଚ୍ ଗେମ୍ସ ଏବଂ ୨୦୨୩ ୟୁରୋପୀୟ ଗେମ୍ସ ପଦାର୍ପଣ ପରେ ଏବେ ଅଲିମ୍ପିକ୍ସ ଚାପ୍ଟରରେ ସାମିଲ ହେବାକୁ ପ୍ରୟାସ କରୁଛି।
୨୦୧୪ ମସିହାରୁ ଏହା କିଛି ପୂର୍ବତନ ଫୁଟ୍ବଲ୍ରଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା।
୨୦୧୯ରୁ ଏହି ଖେଳକୁ ଏସୀୟ ଅଲିମ୍ପିକ୍ସ ପରିଷଦ (ଓସିଏ) ସ୍ବୀକୃତି ଦେଇଛି।
ଅନ୍ତର୍ଜାତୀୟ ଟେକ୍ବଲ୍ ଫେଡେରେସନ୍ (ଫିଟେକ୍) ହେଉଛି ଏହାର ବିଶ୍ବ ପରିଚାଳନା ସଂସ୍ଥା।
କ୍ୟୁମ୍ସୀ ଡି"ସୁଜା କିଏ?କ୍ୟୁମ୍ସୀ ଡି"ସୁଜାଙ୍କ ପାଇଁ ଏହି ଖେଳ ଆଜି ଭାରତରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।
ଭାରତର ତୃଣମୂଳ ସ୍ତରରେ ଏହି ଖେଳର ପ୍ରଚାର ଓ ପ୍ରସାର ପାଇଁ ହିଁ କାମ କରିଛନ୍ତି କ୍ୟୁମ୍ସୀ ଡି"ସୁଜା।
ଏବେ ନିଜେ ଏସୀୟ କ୍ରୀଡ଼ାରେ ନିଜ ପାଇଁ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି।
ଆଥଲେଟିକ୍ସ ଓ ଫୁଟ୍ବଲ୍ ଖେଳିବା ପରେ ଏବେ ଟେକ୍ବଲ୍ ତାରକା ପାଲଟିଛନ୍ତି କ୍ୟୁମ୍ସୀ।
ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିବା ସହ ଏକଦା ବିଶ୍ବ ମାନ୍ୟତାର ୨୪ ନମ୍ବର ସ୍ଥାନରେ ପହଞ୍ଚିଥିଲେ।
ଇନ୍ଷ୍ଟାଗ୍ରାମରେ ବ୍ରାଜିଲ୍ କିଂବଦନ୍ତି ରୋନାଲ୍ଡିନୋଙ୍କ ଆକ୍ସନ୍ ଦେଖି କ୍ବମ୍ସୀ ଏହାକୁ ଅନୁସରଣ କରିଥିଲେ।
ବେଙ୍ଗାଲୁରୁରେ ନିଜର ଏକ ଟେକ୍ବଲ୍ କ୍ଲବ୍ କରିବା ସହ ଏଥିରେ ମନୋନିବେଶ କରିଥିଲେ।
ବମ୍ବେରେ ବଢ଼ିଥିବା ଏହି ଝିଅ ଡେକାଥଲନ୍ କ୍ରିକେଟ୍ ବ୍ରାଣ୍ଡ୍ର ଜଣେ ଟେଷ୍ଟ ଇଂଜିନିୟର ଭାବେ କାମ କରୁଛନ୍ତି।
କିନ୍ତୁ ଟେକ୍ବଲ୍ରେ ୭ ଥର ଜାତୀୟ ଚାମ୍ପିଅନ୍ ହୋଇ ସାରିଛନ୍ତି।
୨୦୧୪ ମସିହାରେ ମହାରାଷ୍ଟ୍ର ପାଇଁ ୧୫୦୦ ମିଟର୍ ଦୌଡ଼ରେ ପ୍ରତିନିଧିତ୍ବ କରିବା ସହ ୧୯ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ଦଳରୁ ମଧ୍ୟ ଖେଳିଥିଲେ।
ଟେକ୍ବଲ୍ରେ ଗତବର୍ଷ ଏସିଆର ଶୀର୍ଷ ୬ ଭିତରେ ରହିବା ଏବଂ ରୋମାନିଆ ବିଶ୍ବ ପ୍ରତିଯୋଗିତାରେ ନବମ ହେବା ଭଳି ଉଲ୍ଲେଖନୀୟ ଅଗ୍ରଗତି କରି ଏବେ ଏସିଆଡ୍ ପଦାର୍ପଣ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।