Sri Lanka Faces Major Setback: ଆୟୋଜନ ଅଧିକାର ଗଲା, ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିପାରେ ଶ୍ରୀଲଙ୍କା

Aug 30, 2026 - 17:01
Sri Lanka Faces Major Setback: ଆୟୋଜନ ଅଧିକାର ଗଲା, ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିପାରେ ଶ୍ରୀଲଙ୍କା

ମହିଳା କ୍ରିକେଟ୍‌ର ପ୍ରଥମ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାର ସୁଯୋଗ ହରାଇଛି ଶ୍ରୀଲଙ୍କା। ଆଇସିସି ଶ୍ରୀଲଙ୍କାଠାରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ଛଡ଼ାଇ ନେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଶ୍ରୀଲଙ୍କା କ୍ରିକେଟ୍‌ ଏବେ ସରକାର ନିଯୁକ୍ତ ଏକ ଅନ୍ତରୀଣ ପ୍ରଶାସନ ଅଧୀନରେ ଥିବାରୁ ଆଇସିସି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

୨୦୨୭ ଫେବ୍ରୁଆରୀ ୧୪ରୁ ୨୮ ତାରିଖ ଯାଏଁ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବାକୁ ଥିଲା। ଏଥିରେ ୬ଟି ଦଳ ଭାଗ ନେବାର ଯୋଜନା ରହିଛି। ତେବେ ଏବେ ଶ୍ରୀଲଙ୍କାରୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରାଯାଇଥିବା ଶ୍ରୀଲଙ୍କା କ୍ରିକେଟ୍‌ ଟ୍ରାନ୍ସଫର୍ମେସନ୍‌ କମିଟିର ସଚିବ ପ୍ରକାଶ ଶାଫ୍ଟର କହିଥିବା ‘ସଣ୍ଡେ ଟାଇମ୍ସ’ ରିପୋର୍ଟରେ ଦାବି କରାଯାଇଛି।

ତେବେ ନୂଆ ଆୟୋଜକ ଦେଶ କିମ୍ବା ଭେନ୍ୟୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଆଗାମୀ ଆଇସିସି ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ଶ୍ରୀଲଙ୍କା କ୍ରିକେଟ୍‌ରେ ସରକାରୀ ହସ୍ତକ୍ଷେପକୁ ନେଇ ଆଇସିସି ପୂର୍ବରୁ ମଧ୍ୟ ଆପତ୍ତି ଜଣାଇଆସିଛି। ଆଇସିସିର ନିୟମ ଅନୁଯାୟୀ, ସଦସ୍ୟ ଦେଶର କ୍ରିକେଟ୍‌ ପ୍ରଶାସନରେ ସରକାରୀ ହସ୍ତକ୍ଷେପ ରହିବା ଉଚିତ୍‌ ନୁହେଁ। ଏହି କାରଣରୁ ଟ୍ରାନ୍ସଫର୍ମେସନ୍‌ କମିଟି ଅଧୀନରେ ଚାଲୁଥିବା SLCର ପ୍ରତିନିଧିଙ୍କୁ ଆଇସିସି ବୋର୍ଡ ବୈଠକରେ ଯୋଗଦେବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା।

ଗତ ମାସରେ ଆଇସିସି ଶ୍ରୀଲଙ୍କା କ୍ରିକେଟ୍‌କୁ ଯଥାଶୀଘ୍ର ନିର୍ବାଚନ କରିବାକୁ କହିଥିଲା। SLCର ସଂଶୋଧିତ ସମ୍ବିଧାନ ପ୍ରସ୍ତୁତି ନେଇ କିଛି ପ୍ରଗତି ହୋଇଥିବା ଆଇସିସି ସ୍ୱୀକାର କରିଥିଲେ ମଧ୍ୟ, ନିର୍ବାଚନ ଶୀଘ୍ର କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲା।

ଏପଟେ ଅନ୍ତରୀଣ କମିଟି ଏକ ନୂଆ ଡ୍ରାଫ୍ଟ ସମ୍ବିଧାନ କ୍ରୀଡ଼ାମନ୍ତ୍ରୀଙ୍କୁ ଦେଇଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଏହା ସଂସଦରେ ଉପସ୍ଥାପିତ ହେବ। ତେବେ ଏହି ସମସ୍ତ ପ୍ରକ୍ରିୟା ତୁରନ୍ତ ଶେଷ ହେବା ସମ୍ଭାବନା କମ୍‌ ଥିବାରୁ ଶ୍ରୀଲଙ୍କା କ୍ରିକେଟ୍‌ ପାଇଁ ସମସ୍ୟା ଆହୁରି ବଢ଼ିପାରେ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରେ ଖେଳିବାରୁ ମଧ୍ୟ ବଞ୍ଚିତ ହୋଇପାରେ। ନିୟମ ଅନୁସାରେ ରାଙ୍କିଙ୍ଗ୍‌ର ଶୀର୍ଷ ୫ଟି ଦଳ ଯୋଗ୍ୟତା ହାସଲ କରିବେ ଏବଂ ଆୟୋଜକ ଦେଶ ଷଷ୍ଠ ଦଳ ଭାବେ ସିଧାସଳଖ ସ୍ଥାନ ପାଇବ। ବର୍ତ୍ତମାନ ଶ୍ରୀଲଙ୍କା ବିଶ୍ୱ ରାଙ୍କିଙ୍ଗ୍‌ରେ ଷଷ୍ଠ ସ୍ଥାନରେ ରହିଛି।

ଯଦି ଆୟୋଜନ ଅଧିକାର ଏମିତି ଏକ ଦେଶକୁ ଯାଏ, ଯିଏ ଶୀର୍ଷ ୬ରେ ନାହିଁ, ତେବେ ଶ୍ରୀଲଙ୍କା ନିଜ ରାଙ୍କିଙ୍ଗ୍‌ ଆଧାରରେ ମଧ୍ୟ ଯୋଗ୍ୟତା ହାସଲ କରିପାରିବ ନାହିଁ। ଅର୍ଥାତ୍‌ ଆୟୋଜନ ଅଧିକାର ହରାଇବା ସହ ନିଜ ଦେଶର ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିବାର ଆଶଙ୍କା ମଧ୍ୟ ଏବେ ଶ୍ରୀଲଙ୍କା ସାମ୍ନାରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।