Srinagar-Bound Bus Attacked in Haryana: ‘ଆତଙ୍କବାଦୀ ଗାଡ଼ି’ କହି ବସ୍ ଉପରେ ଆକ୍ରମଣ! ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ
ଜମ୍ମୁ-କଶ୍ମୀର ନମ୍ବର ପ୍ଲେଟ୍ ଥିବାରୁ ଏକ ବସ୍କୁ ଟାର୍ଗେଟ୍ କରାଯାଇଥିଲା କି? ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଘରୋଇ ବସ୍ ଉପରେ ହରିୟାଣାର କରନାଲ ଜିଲ୍ଲାରେ ପଥର ଓ ଇଟାମାଡ଼ ହୋଇଛି। ଏଥିରେ ବସ୍ର ଅନେକ କାଚ ଭାଙ୍ଗିଯାଇଥିବା ବେଳେ ଜଣେ ବୟସ୍କ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାକୁ ନେଇ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଅକ୍ଟୋବର ୧୭ ତାରିଖ ରାତି ପ୍ରାୟ ୧୦ଟା ୩୦ରେ ଜମ୍ମୁ-କଶ୍ମୀର ପଞ୍ଜୀକରଣ ନମ୍ବର ଥିବା ଏକ ସ୍ଲିପର ବସ୍ କରନାଲ ଜିଲ୍ଲାର ନୀଲୋଖେଡ଼ି ନିକଟ ଏକ ଢାବାରେ ଖାଇବା ପାଇଁ ଅଟକିଥିଲା। ସେଠାରେ ଏକ କାର୍ରେ ଆସିଥିବା ଦୁଇ ଯୁବକଙ୍କ ସହ ବସ୍ର ଜଣେ ଯାତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା।
ଏହା ପରେ ବିବାଦ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ଦୁଇ ଯୁବକ ପାଖରେ ପଡ଼ିଥିବା ପଥର ଓ ଇଟାରେ ବସ୍ ଉପରକୁ ଆକ୍ରମଣ କରିଥିଲେ। ବସ୍ର ସାମ୍ନା କାଚ ସମେତ ଅନେକ କାଚ ଭାଙ୍ଗିଯାଇଥିଲା। ଭଙ୍ଗା କାଚ ବାଜି ଜଣେ ବୟସ୍କ ଯାତ୍ରୀ ଆହତ ହୋଇଥିଲେ।
‘ଆତଙ୍କବାଦୀ ଗାଡ଼ି’ କହି ଧମକ ଦେଇଥିବା ଅଭିଯୋଗ
ବସ୍ ଡ୍ରାଇଭର ୱକାରଙ୍କ ଅଭିଯୋଗ ଅନୁସାରେ, ସେମାନେ ଢାବାରେ ପହଞ୍ଚିବାର କିଛି ସମୟ ପରେ ଜଣେ ବ୍ୟକ୍ତି ‘ଆତଙ୍କବାଦୀ ଗାଡ଼ିକୁ ଏଠାରୁ ନେଇଯାଅ’ ବୋଲି କହି ଚିତ୍କାର କରିଥିଲେ। ଏହା ପରେ ବସ୍ର ସାମ୍ନା କାଚ ଭାଙ୍ଗିବା, ନମ୍ବର ପ୍ଲେଟ୍ ନଷ୍ଟ କରିବା ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି।
ଆକ୍ରମଣକାରୀମାନେ ବସ୍ରେ ଥିବା ଲୋକଙ୍କୁ ଗୁଳି କରିବା, ବସ୍ରେ ନିଆଁ ଲଗାଇଦେବା ଓ ହତ୍ୟା କରିବାର ଧମକ ଦେଇଥିବା ମଧ୍ୟ ଡ୍ରାଇଭର କହିଛନ୍ତି। ତେବେ ହରିୟାଣା ପୋଲିସ ପ୍ରାଥମିକ ଭାବେ ଏହି ଘଟଣାକୁ ଗାଡ଼ି ପାର୍କିଂ ଓ ରାସ୍ତା ଛାଡ଼ିବାକୁ ନେଇ ହୋଇଥିବା ବିବାଦ ବୋଲି କହିଛି। ଘଟଣାରେ ଦୁଇ ଯୁବକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ଓମାର ଅବଦୁଲ୍ଲାଙ୍କ ପ୍ରତିକ୍ରିୟା
ଘଟଣାକୁ ନେଇ ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଇମ୍ରାନ ନବି ଦାର୍ ଏହାକୁ ସମ୍ଭାବ୍ୟ ଘୃଣାଜନିତ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହରିୟାଣା ସରକାର ଓ ପୋଲିସକୁ ଅନୁରୋଧ କରିଛନ୍ତି।
ଆକ୍ରମଣ ପରେ ବସ୍ଟି ପୁଣି ଜମ୍ମୁ-କଶ୍ମୀର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଏହା କେବଳ ପାର୍କିଂ ବିବାଦ ଥିଲା ନା ଯାତ୍ରୀଙ୍କ ପରିଚୟକୁ ନେଇ ଘୃଣାରୁ ଆକ୍ରମଣ ହୋଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।