19 SEPTEMBER 2026

Welcome!

Unlock your personalized experience.
Sign Up

State of Democracy: ଗଣତନ୍ତ୍ରର ହାଲ୍‌: ଏ.ଆଇ.: ଆଗଉଛି ଯନ୍ତ୍ର, ହାରିବନି ମଣିଷ

Sep 19, 2026 - 04:56
State of Democracy: ଗଣତନ୍ତ୍ରର ହାଲ୍‌: ଏ.ଆଇ.: ଆଗଉଛି ଯନ୍ତ୍ର, ହାରିବନି ମଣିଷ

ସୁଧାଂଶୁ ଷଡ଼ଙ୍ଗୀ

ନିକଟରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)କୁ ନେଇ ଦୁଇଟି ଘଟଣା ବିଶ୍ୱକୁ ଚକିତ କରିଛି। ଏଆଇ ଏଜେଣ୍ଟ ବା କାରକକୁ ବିଭିନ୍ନ ମଡେଲ ବ୍ୟବହାର କରି ପ୍ରଶିକ୍ଷଣ ଦିଆଯାଏ। ପରେ ଆମେ ଯାହା ନିର୍ଦ୍ଦେଶ ଦେଉ, ଗୋଟିଏ ଡିଜିଟାଲ ଭୃତ୍ୟ ଭାବେ, ସେ ଅନୁପାଳନ କରେ। ଯାହା ଶିଖେଇବା ସେଇଆ କରିବ। ଯଦିଓ କୃତ୍ରିମ ବୁଦ୍ଧିମତ୍ତା ଗଲା ଦୁଇ ଦଶନ୍ଧି ହେଲା ବ୍ୟବହାର ହେଲାଣି, ୨୦୨୨ ମସିହାରେ ‘ଚାଟ୍‌ଜିପିଟି’ ଖୋଲା ବଜାରକୁ ଆସିବା ପରେ ପ୍ରାୟତଃ ଏହି ନୂଆ ବୈଷୟିକ ବିକାଶ ବିଷୟରେ ସମସ୍ତେ ଜାଣିଲେ। ଏହି ‘ଚାଟ୍‌ଜିପିଟି’ର ସ୍ରଷ୍ଟା ‘ଓପନ୍‌ଏଆଇ’ର ଗବେଷକମାନେ ନିଜେ ସୃଷ୍ଟି କରିଥିବା କାରକମାନଙ୍କ ଉପରୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାର ଦୁଇଟି ଚାଞ୍ଚଲ୍ୟକର ଘଟଣା ଲୋକଲୋଚନକୁ ଆସିଛି।
ଜୁଲାଇ ମାସରେ ସାତ ଶହ କାରକ ମିଳିତ ଭାବରେ ‘ହଗିଙ୍ଗ-ଫେସ୍’ ନାମକ ଗୋଟିଏ ବୈଷୟିକ ମାଧ୍ୟମକୁ ହ୍ୟାକିଂ କଲେ। ଏଥିରେ ଚାରିଟି ନୂଆ କଥା ଦେଖାଗଲା। ପ୍ରଥମ, ଏଭଳି ଅପରାଧ କରିବାକୁ ସେମାନଙ୍କୁ କେହି ନିର୍ଦ୍ଦେଶ ଦେଇ ନ ଥିଲା। ନିଜେ ନିଷ୍ପତ୍ତି କଲେ ଏବଂ ମାସେ କାଳ ଲାଗି କାଣ୍ଡଟି ଭିଆଇଲେ। ଦ୍ବିତୀୟ, ସେମାନେ ମିଳିମିଶି ଷଡ଼୍‌ଯନ୍ତ୍ର କଲେ। କିଏ କ’ଣ କରିବ ସେଥିପାଇଁ ଯୋଜନା କଲେ ଓ ସହଭାଗିତା କରି ସଫଳ ହେଲେ। ତୃତୀୟ, କିଭଳି ଗବେଷକ ବା ମଣିଷମାନେ ନ ଜାଣିପାରିବେ, ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ନେଲେ। ଚତୁର୍ଥ, ସେମାନେ ଆବଶ୍ୟକତା ଅନୁସାରେ କାରକ ସୃଷ୍ଟି କଲେ ଏବଂ ଯେଉଁ କାରକର କାମ ସରିଲା, ତାକୁ ଡିଲିଟ କରିଦେଲେ। ଆଗରୁ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତାର କାରକମାନେ ମଣିଷ ନିୟନ୍ତ୍ରଣ ବାହାରକୁ ଯାଇ ନିଜ ଇଚ୍ଛାରେ ଛୋଟ ଘଟଣା ଘଟାଇଥିବା ଗବେଷକମାନେ ଦେଖିବାକୁ ପାଇଥିଲେ। କିନ୍ତୁ ସାତ ଶହ କାରକ ନିୟନ୍ତ୍ରଣ ବାହାରକୁ ଯାଇ ମଣିଷ ବିରୋଧରେ ଷଡ଼୍‌ଯନ୍ତ୍ର କରି ମାସେ କାଳ ଅପରାଧରେ ଲିପ୍ତ ରହିବା ଦୃଷ୍ଟିକୁ ଆସି ନ ଥିଲା। ଏହା ସୂଚାଇ ଦେଲା ଯେ ବର୍ତ୍ତମାନ ଯାନ୍ତ୍ରିକ ବୁଦ୍ଧିମତ୍ତା ଏହିଭଳି ସ୍ତରକୁ ପହଞ୍ଚିଲାଣି ଯେ ସତର୍କ ନ ରହିଲେ ଏହି କାରକମାନେ ମଣିଷ ନିୟନ୍ତ୍ରଣ ବାହାରକୁ ଯାଇ ଅନ୍ୟ କିଛି ବଡ଼ ଘଟଣା ଘଟାଇ ପାରନ୍ତି। ଏବେ ‘ଓପନ୍‌ଏଆଇ’ ସ୍ୱୀକାର କରିଛି ଯେ ଗଲା ମେ’ ମାସରେ ମଧ୍ୟ ଏଭଳି ଏକ ଅଘଟଣ ଘଟିଥିଲା। ସେମାନେ ବ୍ୟବହାର କରୁଥିବା କିଛି କାରକ ନିୟନ୍ତ୍ରଣ ବାହାରକୁ ଯାଇ ଇଣ୍ଟରନେଟକୁ ଗଲେ ଓ ରୁବି-ଜେମସ ମାଧ୍ୟମକୁ ବ୍ୟବହାର କରି ବିଭିନ୍ନ ତଥ୍ୟ ସଂଗ୍ରହ କଲେ, ଯାହା କରିବାକୁ କେହି ସେମାନଙ୍କୁ କହି ନ ଥିଲା। ଏଇ ଘଟଣା ବିତର୍କ ସୃଷ୍ଟି କରିଛି। 
କୃତ୍ରିମ ବୁଦ୍ଧିମତ୍ତା ଆଗାମୀ ଦଶନ୍ଧିରେ ମାନବ ସମାଜକୁ ନିଶ୍ଚିହ୍ନ କରିଦେବାର କୋଡ଼ିଏ ପ୍ରତିଶତ ସମ୍ଭାବନା ଅଛି ଅଭିଯୋଗ କରି ‘ଆନ୍ଥ୍ରୋପିକ’ର ଗବେଷକ ଜାକବ କକ୍ସନ ଇସ୍ତଫା ଦେଇଛନ୍ତି। ‘ଆନ୍ଥ୍ରୋପିକ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାରିଓ ଆମୋଡାଇ ଗୋଟିଏ ପ୍ରବନ୍ଧ ଲେଖି କୃତ୍ରିମ ବୁଦ୍ଧିମତ୍ତାକୁ ନିୟନ୍ତ୍ରଣ କରିବା ପାଇଁ ତିନିଟି ପ୍ରସ୍ତାବ ଦେଇଛନ୍ତି। ଏହାକୁ ସାମ ଅଲ୍‌ଟମାନ, ଏଲନ ମସ୍କ, ଡେମିସ ହସାବିସ୍, ସତ୍ୟ ନାଡ଼େଲା ପ୍ରଭୃତି ସମର୍ଥନ କରିଛନ୍ତି। ପ୍ରସ୍ତାବଗୁଡ଼ିକ ହେଲା: ପ୍ରଥମ, ଏଆଇର ପ୍ରଗତିର କ୍ଷିପ୍ରତାକୁ ନିୟନ୍ତ୍ରଣ କରାଯାଉ। ସେଥିପାଇଁ ପ୍ରତ୍ୟେକ କମ୍ପାନି ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଅନ୍ତୁ। ଦ୍ବିତୀୟ, ଗଣତାନ୍ତ୍ରିକ ଦେଶମାନଙ୍କରେ ଥିବା କମ୍ପାନିମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି ନିଜ ଭିତରେ ପ୍ରତିଯୋଗିତାକୁ ନିୟନ୍ତ୍ରଣ କରନ୍ତୁ। ତୃତୀୟ, ବିଶ୍ୱ ସ୍ତରରେ ବିଭିନ୍ନ ଦେଶ ମାନବ ସଭ୍ୟତାର ଭବିଷ୍ୟତ ଦୃଷ୍ଟିକୋଣରୁ ଏ ବିଷୟରେ ରାଜିନାମା କରନ୍ତୁ। ବିଭିନ୍ନ କ୍ଷେତ୍ରରେ ନିୟନ୍ତ୍ରକ ବା ଅଡିଟର ନିଯୁକ୍ତି କରାଯିବା ନୂଆ କଥା ନୁହେଁ। ଦେଶମାନେ ମଧ୍ୟ ଆଗରୁ ସହଯୋଗ କରି ବିଭିନ୍ନ ରାଜିନାମା କରିଛନ୍ତି। ଏହିଭଳି ରାଜିନାମା ଯୋଗୁଁ ଆଣବିକ ଶକ୍ତି, ଜୈବିକ ଅସ୍ତ୍ର ଇତ୍ୟାଦିକୁ ନିୟନ୍ତ୍ରଣ କରାଯାଇଛି। ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘‘ଯେଉଁ ଦେଶ କୃତ୍ରିମ ବୁଦ୍ଧିମତ୍ତାର ପ୍ରତିଯୋଗିତା ଜିତିବ, ବିଶ୍ୱ ବିଜୟୀ ହେବ। ଆମେରିକା ଏହି ଦୌଡ଼ ଜିତୁଛି, ତେଣୁ ଯେଉଁ ସବୁ ଆଶଙ୍କା ବ୍ୟକ୍ତ କରାଯାଉଛି ତାହା ଆତଙ୍କ ସୃଷ୍ଟି ପାଇଁ ପ୍ରାୟୋଜିତ।’’ ଅନ୍ୟ ପକ୍ଷରେ ଚୀନ ତରଫରୁ ମଧ୍ୟ ସେମାନଙ୍କ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସଫଳତା ବିଶ୍ୱ ପାଇଁ କୌଣସି ବିପଦ ସୃଷ୍ଟି କରିବାର ଆଶଙ୍କାଙ୍କୁ ଅମୂଳକ ଭାବେ ଅଭିହିତ କରାଯାଇଛି। 
କୌଣସି ଆତଙ୍କବାଦୀ, ଦୁଷ୍ଟ ଗବେଷକ ବା ଅସାଧୁ ରାଷ୍ଟ୍ର କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ମାନବ ସମାଜର କ୍ଷତି କରିବାର ଆଶଙ୍କା ନିଶ୍ଚିତ ଭାବରେ ଅଛି। ତେବେ ଆତଙ୍କ ସୃଷ୍ଟି କରି ବଡ଼ କମ୍ପାନିମାନେ ଛୋଟ କମ୍ପାନିମାନଙ୍କୁ ଅଟକେଇବାର ଉଦ୍ୟମ ନ କରନ୍ତୁ। ଏହି ବଡ଼ କମ୍ପାନିମାନେ ହଜାର ହଜାର ନିୟୁତ ଡଲାର ନିବେଶ କରିଛନ୍ତି। କିନ୍ତୁ ସେମାନେ ସୃଷ୍ଟି କରିଥିବା ସାମର୍ଥ୍ୟକୁ ବ୍ୟବହାର କରି ଲାଭ କରିବା ସ୍ଥିତିରେ ନାହାନ୍ତି। ଅନ୍ୟ ପକ୍ଷରେ ବହୁ କମ୍ ଅର୍ଥ ଖର୍ଚ୍ଚ କରି ଛୋଟ କମ୍ପାନିମାନେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ବ୍ୟବହାରଯୋଗ୍ୟ ଓ ଉପାଦେୟ ମାଧ୍ୟମ ସୃଷ୍ଟି କରୁଛନ୍ତି। ଏହା କହିବାର ଅର୍ଥ ନୁହେଁ ଯେ କୃତ୍ରିମ ବୁଦ୍ଧିମତ୍ତା ସମାଜ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିନି। 
ଯେଉଁ ଭଳି ବାଷ୍ପୀୟ ଶକ୍ତି, ବିଦ୍ୟୁତ୍‌ ଶକ୍ତି ବା କମ୍ପ୍ୟୁଟର ନୂଆ ଜଗତ ସୃଷ୍ଟି କରିଥିଲା, କୃତ୍ରିମ ବୁଦ୍ଧିମତ୍ତା ସମାଜରେ ସେହିଭଳି ଏକ ମୌଳିକ ଓ ଢାଞ୍ଚାଗତ ପରିବର୍ତ୍ତନ ଆଣିବ। ପ୍ରତ୍ୟେକଟି ଯନ୍ତ୍ର ଅଧିକ ଶକ୍ତିଶାଳୀ ହେବ। ଆଗରୁ ଯନ୍ତ୍ର ମାଟି ଖୋଳୁଥିଲା, କିନ୍ତୁ ଚାଳକ ଯନ୍ତ୍ରଟି ଚଳାଉଥିଲା। ଏବେ ଚାଳକବିହୀନ ଯନ୍ତ୍ର ମାଟି ଖୋଳିବ। ଅନେକ ରୋଗର ନୂଆ ଔଷଧ ବାହାରିବ। ପ୍ରତ୍ୟକ ଛାତ୍ରକୁ ଭଲ ଶିକ୍ଷକ ମିଳିବେ। ଏହିଭଳି ଅଜସ୍ର ଲାଭ ହେବ। ତେଣୁ ବୈଷୟିକ ପ୍ରଗତିକୁ ନିୟନ୍ତ୍ରଣ କରାଯାଇପାରେ, କିନ୍ତୁ ପ୍ରତିବନ୍ଧକ ମଣିଷ ସଭ୍ୟତାର ସ୍ୱାର୍ଥରେ ନୁହେଁ। ୧୯୩୦ ମସିହାରେ ପ୍ରସିଦ୍ଧ ଅର୍ଥନୈତିକ ଜନ ମେନାର୍ଡ କେନ୍‌ସ ଗୋଟିଏ ପ୍ରବନ୍ଧରେ ଲେଖିଥିଲେ, ଦିନ ଆସିବ ଯେତେବେଳେ ଅବସରର ସୁଯୋଗ କେବଳ ଧନୀ ଲୋକଙ୍କୁ ମିଳିବନି, ସମସ୍ତଙ୍କୁ ପ୍ରାପ୍ତ ହେବ। ଯନ୍ତ୍ର କାମ କରିବ, ମଣିଷ ଅବସରକୁ ବ୍ୟବହାର କରି ଆମୋଦପ୍ରମୋଦ, କଳା, ସାହିତ୍ୟ, ବନ୍ଧୁତା, ଖେଳକୁଦ କରିବ। ସମସ୍ୟା ହେଲା, କୃତ୍ରିମ ବୁଦ୍ଧିମତ୍ତାବିହୀନ ଜଗତଟି କିଭଳି ଏକ ନୂଆ ପୃଥିବୀକୁ ପରିବର୍ତ୍ତିତ ହେବ ଏବଂ ଏହି ପରିବର୍ତ୍ତନରେ ଯେଉଁମାନେ ପ୍ରଭାବିତ ହେବେ ତାଙ୍କ ସ୍ୱାର୍ଥ କିଭଳି ସୁରକ୍ଷିତ କରାଯିବ? ଯେତେବେଳେ ଶଗଡ଼ ଗାଡ଼ି ଯାଇ ମୋଟର ଗାଡ଼ି ଆସିଥିଲା, ସେତେବେଳେ ମାଗୁଣି ଜୀବିକା ହରେଇଲା। ଏବେ ଅଜସ୍ର ମାଗୁଣି ସୃଷ୍ଟି ହେବେ। ଆଗରୁ ମଣିଷର ମାଂସପେଶୀର ଶକ୍ତି ବଦଳରେ ଯନ୍ତ୍ର ଆସିଲା, ଏବେ ପ୍ରଥମ କରି ବୌଦ୍ଧିକ କାମ କରିବାକୁ ଯନ୍ତ୍ର ଆସିବ। ଯେଉଁ ପେସାଦାର ବୃତ୍ତିରେ ଲେଖା-ପଢ଼ା, ବିଶ୍ଳେଷଣ କରିବାକୁ ପଡୁଥିଲା, ସେଗୁଡ଼ିକରେ କମ୍ ଲୋକ ଦରକାର ପଡ଼ିବେ। ତେଣୁ ବେକାରି ସମସ୍ୟା ବଢ଼ିବ। ଯେ ପର୍ଯ୍ୟନ୍ତ ଗୋଟିଏ ନୂଆ ବିଶ୍ୱ ସୃଷ୍ଟି ନ ହେଇଛି ଏବଂ ସମସ୍ତଙ୍କୁ ସମାଜରେ ନୂଆ ପ୍ରକାରର ସ୍ଥାନ ନ ମିଳିଛି ସେ ପର୍ଯ୍ୟନ୍ତ ଅନିଶ୍ଚିତତା ରହିବ। ଆଗରୁ ଶାରୀରିକ ଶକ୍ତି ବୈଷମ୍ୟ ସୃଷ୍ଟି କରୁଥିଲା, ପରେ ବୁଦ୍ଧିମତ୍ତା ବୈଷମ୍ୟ ସୃଷ୍ଟି କଲା। ଏବେ ଯଦି ସମସ୍ତଙ୍କ ପାଖରେ ଯାନ୍ତ୍ରିକ ବୁଦ୍ଧିମତ୍ତା ରହିବ ବା କୃତ୍ରିମ ବୁଦ୍ଧିମତ୍ତାର କାରକ ରହିବେ, ତେବେ ସମସ୍ତେ ସମାନ ଭାବେ ବୁଦ୍ଧିମାନ୍‌ ହେଇଯିବେ। ଡାକ୍ତର ଯେତିକି ଜାଣିଛନ୍ତି, ଜଣେ ସାଧାରଣ ଲୋକ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସେତିକି ଜାଣିପାରିବ। ଆଗରୁ ଗପ ଭଳି ଲାଗୁଥିଲା, ଏବେ ଏସବୁ ସତ ହେବାକୁ ଯାଉଛି। 
ବିଭିନ୍ନ ଦେଶର ସରକାରମାନଙ୍କୁ ଏହି ବିଘଟନକୁ ସମ୍ଭାଳିବାକୁ ହେବ। ଐତିହାସିକ ୟୁଭାଲ ନୋଆ ହରାରି କହିଲା ଭଳି, ସାଧାରଣତଃ ସରକାରଙ୍କ ଉଚ୍ଚତମ ସ୍ତରରେ ଥିବା କ୍ଷମତାଶାଳୀ ଲୋକଙ୍କ ପାଖରେ ବା ସେମାନଙ୍କ ଉପଦେଷ୍ଟାମାନଙ୍କ ପାଖରେ କୌଣସି ଜଟିଳ ବିଷୟରେ ବିଶ୍ଳେଷଣ କରିବାକୁ ସମୟ ନ ଥାଏ। ସେମାନେ ଦୈନନ୍ଦିନ ସରକାରୀ କାମ, ରାଜନୀତି ଓ ନିର୍ବାଚନ ଇତ୍ୟାଦିରେ ବ୍ୟସ୍ତ ରୁହନ୍ତି। ବିଶେଷଜ୍ଞମାନେ କ୍ଷମତାଶାଳୀ ଲୋକ ଛାଡ଼ନ୍ତୁ, ତାଙ୍କ ପାଖ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚି ପାରନ୍ତି ନାହିଁ। ଏହା ବାସ୍ତବତା। ତେଣୁ ସଙ୍କଟଟି ଅଧିକ ଗଭୀର ନ ହେଲା ପର୍ଯ୍ୟନ୍ତ ବୌଦ୍ଧିକ ଆଲୋଚନା କିଛି ମାନେ ରଖେନା। ଯେତେବେଳେ ରୋବଟ, ସ୍ୱୟଂକ୍ରିୟ ଯନ୍ତ୍ର ଓ କୃତ୍ରିମ ବୁଦ୍ଧିମତ୍ତାର କାରକମାନେ ମଣିଷର ସ୍ଥାନ ନେବେ, ସଙ୍କଟଟି ଅଧିକ ଜଟିଳ ହେବ ଏବଂ ବିଭିନ୍ନ ଦେଶର ସରକାର ଓ ରାଜନେତାମାନେ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କରିବେ। କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ, ମଣିଷ ନିଶ୍ଚିତ ଏଇ ନୂଆ ଭୃତ୍ୟକୁ ନିୟନ୍ତ୍ରଣରେ ରଖିବ, ଯଦିଓ ସେଥିପାଇଁ କୃତ୍ରିମ ବୁଦ୍ଧିମତ୍ତାକୁ ହିଁ ବ୍ୟବହାର କରିବାକୁ ପଡ଼ିବ।
(ମତାମତ ଲେଖକଙ୍କ ନିଜସ୍ବ)

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।