Student Dies by Suicide : ପରୀକ୍ଷା ହଲ୍ରେ ଚାଟ ଜିପିଟିରୁ ଦେଖି ଉତ୍ତର ଲେଖୁଥିଲେ, ଧରାପଡ଼ିବା ପରେ ଜୀବନ ହାରିଲେ ଛାତ୍ର
ଦେଶର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଟି) ବମ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ନିଜ ହଷ୍ଟେଲ୍ ରୁମରେ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ହଲରେ ମୋବାଇଲ୍ ଫୋନ୍ ଜରିଆରେ କପି କରିବା ଏବଂ 'ଚାଟ୍ଜିପିଟି' ବ୍ୟବହାର କରିବା ଅଭିଯୋଗ ହେବା ପରେ ସେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର କଲେଜରେ ପରୀକ୍ଷା ଚାଲୁଥିବା ସମୟରେ ଉକ୍ତ ଛାତ୍ର ଜଣକ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ବେଳେ ଧରାପଡ଼ିଥିଲେ। ଆଇଆଇଟି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସେ ପରୀକ୍ଷା ପ୍ରଶ୍ନପତ୍ରକୁ ଚାଟ୍ଜିପିଟିରେ ଅପଲୋଡ୍ କରି ଏହାର ଉତ୍ତର ଖୋଜୁଥିଲେ।
ତେବେ ଘଟଣା ପରେ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ତାଙ୍କୁ ଡାକି ବୁଝାସୁଝା କରିଥିଲେ। ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଘଟଣାକୁ ନେଇ ଛାତ୍ରଙ୍କ ବିରୋଧରେ କୌଣସି ପ୍ରକାରର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶିକ୍ଷକ ଏବଂ ବିଭାଗୀୟ ମୁଖ୍ୟ ତାଙ୍କୁ କାଉନସେଲିଂ ଦେବା ସହ ଏହି ଘଟଣା ତାଙ୍କର ଏକାଡେମିକ୍ କ୍ୟାରିଅର୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ପଷ୍ଟ ଭାବେ ଆଶ୍ୱାସନା ମଧ୍ୟ ଦେଇଥିଲେ। ଏହାପରେ ଛାତ୍ରଜଣକ ନିଜ ହଷ୍ଟେଲ୍ ରୁମକୁ ଫେରିଯାଇଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ତେବେ ଏହି ଘଟଣା ପରେ ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ଆଇଆଇଟି ବମ୍ବେ କ୍ୟାମ୍ପସରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଚାଲିଥିବା ମିଡ୍-ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।