Student Polls Heat Up: ଛାତ୍ର ସଂସଦ ନିର୍ବାଚନର ରୋଚକ ଦୃଶ୍ୟ, ଭୋଟ୍ ଆଶାରେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ବର୍ଷା
ନାଚଗୀତରେ ଚାଲିଛି ଅସଲ କଲେଜ୍ ରାଜନୀତି। ୟାକୁ କୁହନ୍ତି ଛାତ୍ରସଂସଦ ନିର୍ବାଚନ। କିଛି ସମୟ ପୂର୍ବରୁ ବଳ କଷାକଷି, ମୁହାଁମୁହିଁ ସ୍ଥିତି। ଆଉ ପରେ ପରେ ଏକାଠି ନାଚିଲେ, ଗାଇଲେ, ଧୂଳି ଉଡାଇଦେଲେ। ଯେମିତି ଇଏ ଲଢେଇ ନୁହେଁ, ସେଲିବ୍ରେସନ୍। ରାତି ପାହିଲେ ନିର୍ବାଚନ। ଲଢେଇ ପାଇଁ ମୈଦାନ ପ୍ରସ୍ତୁତ। ପ୍ରାର୍ଥୀ ବି ତୟାର। ତାପୂର୍ବରୁ ଆଜି କ୍ୟାମ୍ପସରେ ଆୟୋଜିତ ହୋଇଛି ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟିଂ। ଅର୍ଥାତ୍, ମୁଁ କାହିଁକି ପ୍ରାର୍ଥୀ ହୋଇଛି। ଯେଉଁଥିରେ ନିଜ ପକ୍ଷକୁ ଭୋଟ୍ ଆଣିବାକୁ ଶେଷ କସରତ କରିଛନ୍ତି ପ୍ରାର୍ଥୀ।
ରାଜଧାନୀର ରମାଦେବୀ ୟୁନିଭରସିଟି। ପ୍ରାର୍ଥୀଙ୍କ ପଟୁଆର ଫିକା ପକାଇଦେବ ସାଧାରଣ ନିର୍ବାଚନକୁ। ଆଗରେ ଢୋଲ ନିଶାନ, ପଛରେ ଡିଜେ। ବାଣ ଫୁଟାଇ ଶୋଭାଯାତ୍ରାରେ ଗାଡିରେ ପହଞ୍ଚିଲେ ପ୍ରାର୍ଥୀ। ସ୍ବାଗତ କରିବାକୁ ଆସିସାରିଥିଲା ଜେସିବି। ଫୁଲମାଳ ପଡିଲା, ଫୁଲ ବର୍ଷା ବି ହେଲା। ତାପରେ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ଛାତ୍ରନେତା ଓଜାଡିଦେଲେ ପ୍ରତିଶ୍ରୁତିର ବର୍ଷା।
ମୁଁ କାହିଁକି ପ୍ରାର୍ଥୀ ହୋଇଛି, ଜିତିଲେ କଣ କରିବି, କଲେଜ୍ ପାଇଁ କଣ ଦରକାର, ପିଲାଙ୍କ ଆଗରେ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ରଖିଥିଲେ ବିଭିନ୍ନ ପ୍ରାର୍ଥୀ। ସୁଯୋଗ ଓ ସମ୍ଭାବନାର ଆଶା ବଖାଣି ଲୋଡିଥିଲେ ସମର୍ଥନ। ମଂଚରେ କିଏ ନାଚିଲା ତ ପୁଣି କିଏ ଗୀତ ଗାଇଲା। ଭୋଟ୍ ପୂର୍ବରୁ ପିଲାଙ୍କୁ ନିଜ ଆଡକୁ ଟାଣିବାକୁ ଇଏ ଥିଲା ଶେଷ ସୁଯୋଗ। ଯାହାକୁ ହାତଛଡ଼ା କରିନଥିଲେ ପ୍ରାର୍ଥୀ।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ କିଏ ସଭାପତି ତ କିଏ ଉପସଭାପତି। ଜେନେରାଲ ସେକ୍ରେଟାରୀ, କମନରୁମ୍ ଓ କଲଚୁରାଲ ଠାରୁ ଆଥଲେଟିକ୍ସ ଏବଂ ସାହିତ୍ୟ ସମାଜ, ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ, ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟିଂରେ ଦମ୍ଭ ଦେଖାଇଛନ୍ତି। ରାଜଧାନୀରୁ ରେଭେନ୍ସା, ବାଲେଶ୍ବରରୁ ବ୍ରହ୍ମପୁର, ଛାତ୍ରନେତାଙ୍କ ଗର୍ଜନରେ କମ୍ପିଛି କ୍ୟାମ୍ପସ। ପୂର୍ବବର୍ଷ ଅପେକ୍ଷା ଏଥର ନିର୍ବାଚନରେ ବଢିଛନ୍ତି ମହିଳା ପ୍ରାର୍ଥୀ। ଯାହାକୁ ନେଇ ଉତ୍ସାହ ବି କାହିଁରେ କଣ।
ଭଦ୍ରକରେ ଦୀର୍ଘ ୮ ବର୍ଷ ପରେ ହେଉଥିବା ଛାତ୍ରସଂସଦ ନିର୍ବାଚନକୁ ନେଇ ସବୁଠି ଉତ୍ସାହ। ଆସନ୍ତାକାଲି ସକାଳ ୮ଟାରୁ ଦିନ ୨ଟା ଯାଏ ଭୋଟ୍ ନିଆଯିବ। ପରେ ଭୋଟ୍ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ଆସିଯିବ ରେଜଲ୍ଟ। ଶୁକ୍ରବାର ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।.....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।