Student Union Elections: ରାଉରକେଲା: କଲେଜ କ୍ୟାମ୍ପସ୍ରେ ଉଷ୍ମତା, ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ
"ରାଉରକେଲା: ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଶେଷରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।
୨୦୧୭ ମସିହା ପରଠାରୁ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ମାସରେ ଅନୁଷ୍ଠିତ ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।
ସରକାରଙ୍କ ପକ୍ଷରୁ ଏହି ସକାରାତ୍ମକ ସଂକେତ ମିଳିବା କ୍ଷଣି ସହରର ବିଭିନ୍ନ କଲେଜ କ୍ୟାମ୍ପସରେ ଖୁସିର ଲହରୀ ଖେଳିଯାଇଛି।
ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଥିବାରୁ ସାଧାରଣ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଛନ୍ତି।ବିଶେଷକରି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ମ୍ୟୁନିସିପାଲ କଲେଜ, ଇସ୍ପାତ କଲେଜ, ସୁଶୀଳାବତୀ ମହିଳା ମହାବିଦ୍ୟାଳୟ, ରାଉରକେଲା କଲେଜ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି।
ଛାତ୍ର ନେତା ନିଜ ନିଜ କ୍ୟାମ୍ପସରେ ସଙ୍ଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି।
ନୂତନ ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ କଲେଜ ପରିସରରେ ଆଲୋଚନା ଓ ପ୍ରସ୍ତୁତି ବୈଠକ ପାଇଁ ସଜବାଜ ହେଉଛନ୍ତି।
ସମ୍ଭବତଃ, ୨/୩ ଦିନ ଭିତରେ କ୍ୟାମ୍ପସ୍ ଆହୁରି ଚଳଚଞ୍ଚଳ ହୋଇପଡ଼ିବ।
ଅନ୍ୟପଟେ କେବଳ ଛାତ୍ର ସଙ୍ଗଠନ ନୁହେଁ, ବରଂ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ନିଜ ନିଜର ଛାତ୍ର ସଙ୍ଗଠନ ମାଧ୍ୟମରେ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।କଣ କୁହନ୍ତି ସେମାନେAdvertisment "କ୍ୟାମ୍ପସ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ସୃଷ୍ଟି କରିବାର ଏକ ବଡ଼ ମାଧ୍ୟମ ହୋଇଥିବାରୁ ଚଳିତ ମାସରେ ହେବାକୁ ଥିବା ଏହି ନିର୍ବାଚନ ରାଉରକେଲା ସମେତ ସମଗ୍ର ରାଜ୍ୟର ଛାତ୍ର ରାଜନୀତିକୁ ଏକ ନୂଆ ମୋଡ଼ ଦେବ।
ତେବେ ନୀତିନିୟମର କଡ଼ା ଅନୁପାଳନ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିତାନ୍ତ ଆବଶ୍ୟକ।
ଛାତ୍ରଛାତ୍ରୀ ପରସ୍ପର ସ୍ନେହ ସୌହାର୍ଦ୍ଧ୍ୟର ସହ ପ୍ରକ୍ରିୟାରେ ଭାଗ ନେଇ ଅଯଥା ବିବାଦରୁ ଦୂରେଇ ରହିବା ଆବଶ୍ୟକ।-ସଞ୍ଜନା ସିଂହ, ଯୁକ୍ତ ତିନି ବାଣିଜ୍ୟ ଦ୍ବିତୀୟ ବର୍ଷ, ମ୍ୟୁନିସିପାଲ କଲେଜ "ଏହା ନିଶ୍ଚିତ ଭାବେ ସ୍ବାଗଯୋଗ୍ୟ ପଦକ୍ଷେପ, କିନ୍ତୁ ପୂଜା ପରେ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା।
ଏହି ସମୟରେ ମହାବିଦ୍ୟାଳୟରେ ପରୀକ୍ଷା ଚାଲିଛି, ଏଣୁ ଛାତ୍ରଛାତ୍ରୀ ପରିକ୍ଷା ଦେବେ ନା ନିର୍ବାଚନରେ ଭାଗ ନେବେ?
ଏନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଅଛନ୍ତି।-ଆଶୁତୋଷ ବେହେରା, ଯୁକ୍ତ ତିନି ବିଜ୍ଞାନ ତୃତୀୟ ବର୍ଷ, ରାଉରକେଲା ସରକାରୀ ସ୍ବୟଂଶାସୀତ ମହାବିଦ୍ୟାଳୟ "ଛାତ୍ର ସଂସଦ ନିର୍ବାଚନ ହେବା ଦ୍ବାରା ଛାତ୍ରଛାତ୍ରୀଙ୍କ ନେତୃତ୍ବ ଗୁଣ ଆମେ ଦେଖାଇପାରିବୁ।
ଯେହେତୁ ଦୀର୍ଘ ଅନ୍ତରାଳରେ ନିର୍ବାଚନ ହେଉଛି, ଏଣୁ ଶାନ୍ତିଶୃଙ୍ଖଳାର ସହ ହେଉ।
ଛାତ୍ର ନିର୍ବାଚନ ହେବା ଦ୍ବାରା ଆମ ମହାବିଦ୍ୟାଳୟର ଥିବା ବିଭିନ୍ନ ସମସ୍ୟା ଓ ଦାବି, ଆମେ ଛାତ୍ର ପ୍ରତିନିଧିଙ୍କ ଦ୍ବାରା ସଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇପାରିବୁ।-ସାଇଜ୍ୟୋତି ରାୟ, ଯୁକ୍ତ ତିନି ବିଜ୍ଞାନ ତୃତୀୟ ବର୍ଷ, ଇସ୍ପାତ ସ୍ବୟଂଶାସୀତ ମହାବିଦ୍ୟାଳୟ "ଆଜି ନୋଟିସ୍ ବାହାରିଲା, ଆସନ୍ତା ୧୫ ତାରିଖରେ ଛାତ୍ର ନିର୍ବାଚନ ହେଉଛି।
ଏତେ କମ୍ ସମୟରେ ଆମେ କେମିତି ନିଜର ଛାତ୍ର ପ୍ରତିନିଧୀ ବାଛିବୁ, ଯେଉଁମାନେ ଛାତ୍ରଛାତ୍ରୀ ଓ କଲେଜର ସମସ୍ୟା ବୁଝିବେ?
ମନେ ହେଉଛି, ସରକାର ବାଛିସାରିଛନ୍ତି ଯେ କେଉଁମାନେ ନିର୍ବାଚନ ଲଢିବେ।
ଯଦି ନିର୍ବାଚନ କରିବାର ଥିଲା, ତା"ହେଲେ ମାସେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିବା କଥା।-ବିଶ୍ବମିଲନ ସେନାପତି, ଯୁକ୍ତିତିନି ବିଜ୍ଞାନ ତୃତୀୟ ବର୍ଷ, ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।