Supreme Court Tells Son to Touch Mother’s Feet: ବାପା-ମାଆଙ୍କ ସପକ୍ଷରେ ସବୁ କୋର୍ଟ, ବଡ଼ କଥା କହିଦେଲେ ସୁପ୍ରିମକୋର୍ଟ ବିଚାରପତି

Sep 09, 2026 - 16:12
Supreme Court Tells Son to Touch Mother’s Feet: ବାପା-ମାଆଙ୍କ ସପକ୍ଷରେ ସବୁ କୋର୍ଟ, ବଡ଼ କଥା କହିଦେଲେ ସୁପ୍ରିମକୋର୍ଟ ବିଚାରପତି

ସମ୍ପତ୍ତି ପାଇଁ ବିଗିଡ଼ିଗଲା ମା’-ପୁଅଙ୍କ ସମ୍ପର୍କ। ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ। ଆଉ ଶୁଣାଣି ବେଳେ ପୁଅଙ୍କୁ ମା’ଙ୍କ ପାଦ ଛୁଇଁ କ୍ଷମା ମାଗିବାକୁ ପରାମର୍ଶ ଦେଲେ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା। କୋର୍ଟଙ୍କ ଏହି ମାନବୀୟ ଆଭିମୁଖ୍ୟ ଏବେ ଚର୍ଚ୍ଚାରେ।

ମା’-ପୁଅଙ୍କ ମଧ୍ୟରେ ସମ୍ପତ୍ତି ବିବାଦର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଦେଖିବାକୁ ମିଳିଲା ଏକ ଭାବପ୍ରବଣ ଦୃଶ୍ୟ। ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍ ଏନ୍.କେ. ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ।

ଏହି ସମୟରେ ଜଷ୍ଟିସ୍ ଶର୍ମା ପୁଅଙ୍କୁ କହିଥିଲେ, ମା’ଙ୍କ ପାଦ ଛୁଇଁ କ୍ଷମା ମାଗନ୍ତୁ, ନିଜ ଭୁଲ୍ ଓ ପାପ ପାଇଁ କ୍ଷମା ମାଗନ୍ତୁ। ଏପରିକି ମା’ଙ୍କ ପାଖକୁ ଫେରିଯାଇ ତାଙ୍କ ଆଶୀର୍ବାଦ ନେବାକୁ ମଧ୍ୟ କହିଥିଲେ।

କୋର୍ଟର ଏହି ପରାମର୍ଶ ପଛରେ ରହିଛି ଏକ ପାରିବାରିକ ସମ୍ପତ୍ତି ବିବାଦର ଲମ୍ବା କାହାଣୀ। ମାମଲାଟି ଯେଉଁ ସମ୍ପତ୍ତିକୁ ନେଇ, ତାହାର ଏକମାତ୍ର ମାଲିକ ଥିଲେ ମାତାପିତା। ପୁଅ ଓ ବୋହୂଙ୍କୁ ଭଲପାଇବାରେ ସେମାନେ ସମ୍ପତ୍ତିର ପ୍ରଥମ ମହଲାରେ ବିନା ଭଡ଼ାରେ ଲାଇସେନ୍ସି ଭାବେ ରହିବାକୁ ଦେଇଥିଲେ।

କିନ୍ତୁ ପରେ ସମ୍ପର୍କରେ ତିକ୍ତତା ଆସିଥିବା ଅଭିଯୋଗ ହୋଇଥିଲା। ମାତାପିତାଙ୍କ ଅଭିଯୋଗ ଥିଲା, ପୁଅ ଓ ବୋହୂ ସେମାନଙ୍କୁ ହଇରାଣ କରିବା ସହ ସମ୍ପତ୍ତି ନିଜ ନାମରେ କରିବା ପାଇଁ ଚାପ ପକାଉଥିଲେ। ଜାଲି ଦଲିଲ ଆଧାରରେ ସମ୍ପତ୍ତି ଉପରେ ଦାବି କରାଯାଇଥିବା ଅଭିଯୋଗ ମଧ୍ୟ ରହିଥିଲା।

ଏହାପରେ ମାତାପିତା ଖବରକାଗଜରେ ସାର୍ବଜନୀନ ନୋଟିସ୍ ପ୍ରକାଶ କରି ପୁଅଙ୍କ ସହ ସମ୍ପର୍କ ଛିନ୍ନ କରିବା ଘୋଷଣା କରିଥିଲେ। ପୁଅଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ ହୋଇଥିଲା। ସେହିସହ ଘର ଖାଲି କରିବା ଏବଂ ସମ୍ପତ୍ତିର ଦଖଲ ଫେରାଇବା ପାଇଁ ମାତାପିତା ଅଦାଲତରେ ମାମଲା କରିଥିଲେ।

ଏହି ମାମଲାରେ ତଳ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଯାଏଁ ମାତାପିତାଙ୍କ ପକ୍ଷରେ ରାୟ ଆସିଥିଲା। ଟ୍ରାଏଲ୍ କୋର୍ଟ ସ୍ପଷ୍ଟ କରିଥିଲେ ଯେ ମାତାପିତା ହିଁ ସମ୍ପତ୍ତିର ଏକମାତ୍ର ମାଲିକ। ପୁଅ ଓ ବୋହୂ କେବଳ ଲାଇସେନ୍ସି ଭାବେ ସେଠାରେ ରହୁଥିଲେ। ଲାଇସେନ୍ସ ସମାପ୍ତ ହେବା ପରେ ସେମାନଙ୍କୁ ପ୍ରଥମ ମହଲା ଖାଲି କରିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ।

ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏପ୍ରିଲ୍ ୧୭ରେ ଟ୍ରାଏଲ୍ କୋର୍ଟଙ୍କ ରାୟକୁ ବଜାୟ ରଖିଥିଲେ। ପରେ ପୁଅ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ତେବେ ସୁପ୍ରିମକୋର୍ଟ ଯାଚିକାକୁ ଖାରଜ କରିଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।