Teacher Protests Intensify In Bhubaneswar: ଶିକ୍ଷକଙ୍କ ଗର୍ଜନରେ କମ୍ପୁଛି ରାଜଧାନୀ, ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ

Aug 17, 2026 - 20:09
Teacher Protests Intensify In Bhubaneswar: ଶିକ୍ଷକଙ୍କ ଗର୍ଜନରେ କମ୍ପୁଛି ରାଜଧାନୀ, ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ

ରାଜରାସ୍ତାରେ ଶିକ୍ଷକ। ଗର୍ଜିଲେ ଆଶାୟୀ। ମହାତ୍ମା ଗାନ୍ଧି ମାର୍ଗ କଂପୁଛି ଶିକ୍ଷକଙ୍କ ସ୍ଳୋଗାନରେ। 'ସରକାର ନିଜ ପ୍ରତିଶ୍ରୁତି ପୂରଣ କଲେନି'। ମିଳୁନି ଚାକିରୀ। ସାର୍ଟିଫିକେଟ ଅଛି, ପଦବୀ ବି ଖାଲି ଅଛି କିନ୍ତୁ ନିଯୁକ୍ତି ପାଇଁ ପଦବୀ ବାହାରୁ ନାହିଁ। ଏହି ଅଭିଯୋଗ ଆଣି ଆଜିଠାରୁ ଭୁବନେଶ୍ବରରେ ଶିକ୍ଷକ ଆଶାୟୀମାନେ ଆନ୍ଦୋଳନରେ ବସିଛନ୍ତି। ପଦବୀ ନବାହାରିବ ଯାଏ ଆନ୍ଦୋଳନ ଚାଲିବ ବୋଲି ଆଶାୟୀ ରୋକ୍ ଠୋକ୍ ଶୁଣାଇଦେଇଛନ୍ତି। ନିଯୁକ୍ତି ଆଶାରେ କିଏ ନିଜ ଛୋଟ ଛୁଆକୁ ଧରି ଆନ୍ଦୋଳନକୁ ଆସିଛି ତ... ଆଉ କିଏ ବାଷ୍ପରୁଦ୍ଧ କଣ୍ଠରେ କହୁଛି ଆମେ ଡିଗ୍ରୀ ଥାଇ ବି ହାରିଗଲୁ। ସେପଟେ ଗତକାଲିଠାରୁ ଅହୋରାତ୍ର ଧାରଣାରେ ବସିଛି ସ୍କୁଲ୍, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ବର୍ଷାରେ ଓଦା ହୋଇ ରାତି ତମାମ ଆନ୍ଦୋଳନ ଜାରି ରଖିଛି ସଂଘ। ସଂଘର ଦାବି ପେନସନ୍, ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ। ବର୍ଷ ବର୍ଷ ଧରି ଶିକ୍ଷକତା କରି ଭବିଷ୍ୟତ ଗଢୁଥିଲେ ବି ଏମାନଙ୍କ ଦାବି ଏଯାଏଁ ପୂରଣ ହୋଇନି। 

ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ରାଜନୈତିକ ବୟାନ ବାଜି ତେଜିଛି। ପ୍ରମୁଖ ବିରୋଧୀ ବିଜେଡି କହିଛି, ବିଜେପି ସରକାରକୁ ଆସିବା ପୂର୍ବରୁ କହିଥିଲା ଆମେ ଦୁଇ ମାସ ଭିତରେ ଶିକ୍ଷକଙ୍କ ଦାବି ପୂରଣ କରିବୁ। ମାତ୍ର ଦୁଇ ମାସ ଯାଇ ଦୁଇ ବର୍ଷ ପୁରିଥିଲେ ବି ସରକାର ଦାବି ପୂରଣ କଲେନାହିଁ। ଅନ୍ୟପଟେ ଶିକ୍ଷକ ଓ ଆଶାୟୀଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନଙ୍କ ଦାବିକୁ ନେଇ ସରକାର ସଚେତନ ଅଛନ୍ତି। ସେମାନଙ୍କ ଦାବି ନିଶ୍ଚିତ ପୂରଣ ହେବ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ସ୍ବାଧୀନତା ଦିବସରେ କହିଥିଲେ ମୁଖ୍ୟମନ୍ତ୍ରୀ। ଦେଖିବାର କଥା ସରକାର ଆନ୍ଦୋଳନକାରୀ ଶିକ୍ଷକମାନଙ୍କ ସହ ଆଲୋଚନା କରି କେତେ ଶୀଘ୍ର ପ୍ରତିବାଦରେ ପୂର୍ଣ୍ଣଚ୍ଛେଦ ପକାଉଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।