Teen Falls From 12th Floor: ୧୨ ମହଲାରୁ ଖସି ଛାତ୍ରୀଙ୍କ ମୃତ୍ୟୁ, ଦୁଇ ଦିନ ତଳେ ଜିତିଥିଲେ ସ୍ୱର୍ଣ୍ଣ ପଦକ
ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ବଡ଼ ଅଘଟଣ। ୧୨ ମହଲାରୁ ଖସି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ରାଜନଗର ଏକ୍ସଟେନ୍ସନ୍ସ୍ଥିତ ଏକ ଆପାର୍ଟମେଣ୍ଟର ୧୨ତମ ମହଲାରୁ ଖସି ପଡ଼ି ୧୪ ବର୍ଷୀୟା ପ୍ରାଚୀଙ୍କ ମୃତ୍ୟୁ ହୋଇଛି। ଶୁଖୁଥିବା ପୋଷାକକୁ ଆଣିବା ପାଇଁ ବାଲକୋନିକୁ ଯାଇଥିବା ବେଳେ ସେ ସେଠାରୁ ଖସି ପଡ଼ିଥିଲେ।
ପ୍ରାଚୀ ସଞ୍ଜୟ ନଗରସ୍ଥିତ ଡେହରାଡୁନ୍ ପବ୍ଲିକ୍ ସ୍କୁଲ୍ର ନବମ ଶ୍ରେଣୀର ଛାତ୍ରୀ ଥିଲେ। ସେ ରାଜନଗର ଏକ୍ସଟେନ୍ସନ୍ରେ ପରିବାର ସହ ରହୁଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ରାଜନଗର ରେସିଡେନ୍ସି ସୋସାଇଟିର ଟାୱାର୍-ଜି’ରେ ଏହି ଘଟଣା ଘଟିଥିଲା।
ପୋଷାକ ଆଣିବା ପାଇଁ ପ୍ରାଚୀ ବାଲକୋନିକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ସେ ୧୨ତମ ମହଲାରୁ ତଳକୁ ଖସିପଡ଼ିଥିଲେ। ଶବ୍ଦ ଶୁଣି ସୋସାଇଟିର ଅନ୍ୟ ବାସିନ୍ଦାମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ନନ୍ଦଗ୍ରାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରି ତଥ୍ୟ ସଂଗ୍ରହ କରୁଛି। ଏହାସହ ଘଟଣାସ୍ଥଳ ଓ ସୋସାଇଟିର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
ଏହି ଦୁଃଖଦ ଘଟଣା ମଧ୍ୟରେ ପ୍ରାଚୀଙ୍କ କ୍ରୀଡ଼ା ସଫଳତା ସମ୍ପର୍କରେ ମଧ୍ୟ ସୂଚନା ସାମ୍ନାକୁ ଆସିଛି। ଗତ ଦୁଇ ଦିନ ତଳେ ସେ ମହାରାଷ୍ଟ୍ରର ଶିର୍ଡିରେ ଆୟୋଜିତ ସିବିଏସଇ ରୋପ୍ ସ୍କିପିଂ ନ୍ୟାସନାଲ୍ ଚାମ୍ପିୟନଶିପ୍ରେ ୨ଟି ସ୍ୱର୍ଣ୍ଣପଦକ ଜିତିଥିଲେ। ‘ଡବଲ୍ ଡଚ୍ ପେୟାର୍ ଫ୍ରିଷ୍ଟାଇଲ୍’ ଏବଂ ‘ଡବଲ୍ ଡଚ୍ ସିଙ୍ଗଲ୍ ଫ୍ରିଷ୍ଟାଇଲ୍’ ବର୍ଗରେ ସେ ସ୍ୱର୍ଣ୍ଣ ହାସଲ କରିଥିଲେ।
ପ୍ରାଚୀଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ମାହୋଲ ରହିଥିଲା। ତାଙ୍କ ବାପା ସୁରେଶ ଚାନ୍ଦ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର୍ ଭାବେ କାମ କରନ୍ତି। ଘଟଣା ସମୟରେ ପ୍ରାଚୀଙ୍କ ବାପା-ମାଆ, ସାନ ଭଉଣୀ ଓ ଜେଜେବାପା-ଜେଜେମାଆ ଘରେ ଉପସ୍ଥିତ ଥିଲେ। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।