Tehsildar Caught Taking Rs 50 Lakh Bribe: ୫୦ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର, ମାଗିଥିଲେ କୋଟିଏ ଟଙ୍କା ଓ ୧ ଏକର ଜମି
କର୍ଣ୍ଣାଟକର ଧାରୱାଡ଼ ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଜମି ରେକର୍ଡ ସଂଶୋଧନ କରିବା ପାଇଁ ୫୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ ନେଉଥିବା ବେଳେ ତହସିଲଦାର ସଚିଦାନନ୍ଦ କୁଚାନୁରଙ୍କୁ ଲୋକାୟୁକ୍ତ ପୁଲିସ ରେଡ୍ ହ୍ୟାଣ୍ଡ କାବୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଧାରୱାଡ଼ ତାଲୁକର ଯାରିକୋପ୍ପା ଅଞ୍ଚଳରେ ପ୍ରାୟ ୩୩ ଏକର ଜମି କିଣିଥିଲେ। ଏହି ଜମିର ଚାଷୋପଯୋଗୀ ଓ ଅନୁପଯୋଗୀ ଅଂଶର ରେକର୍ଡ ସଂଶୋଧନ ପାଇଁ ତହସିଲଦାର ସଚିଦାନନ୍ଦ କୁଚାନୁର ୧ ଏକର ଜମି ସହ ଦୁଇଟି କିସ୍ତିରେ ନଗଦ ୧ କୋଟି ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ ମାଗିବା ନେଇ ବୁଧବାର ଅପରାହ୍ନରେ ବିଲ୍ଡର ଜଣକ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଲୋକାୟୁକ୍ତ ପୁଲିସ ତହସିଲଦାରଙ୍କୁ ରେଡ୍ ହ୍ୟାଣ୍ଡ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ, ଅଭିଯୋଗକାରୀ କେସିଡି ଗ୍ରାଉଣ୍ଡ ନିକଟରେ ଏକ ଲାଲ ରଙ୍ଗର ବ୍ୟାଗରେ ୫୦ ଲକ୍ଷ ଟଙ୍କା ନଗଦ ନେଇ ପହଞ୍ଚିଥିଲେ। ଯେମିତି ଅଭିଯୋଗକାରୀ ସେହି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ତହସିଲଦାରଙ୍କୁ ଦେଇଥିଲେ ଏବଂ ତହସିଲଦାର ସେହି ବ୍ୟାଗକୁ ନେଇ ନିଜ ବ୍ୟାଗ ତାଙ୍କୁ ଦେଥିଲେ, ଠିକ ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଲୋକାୟୁକ୍ତ ଏସପି ଜଣାଇଛନ୍ତି ଯେ ଧରାପଡ଼ିଥିବା ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବା ସହ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଓ ଠିକଣାଗୁଡ଼ିକରେ ମଧ୍ୟ ତଦନ୍ତ କରାଯିବ। ତେବେ ଏଯାବତ୍ କର୍ଣ୍ଣାଟକରେ ଲାଞ୍ଚ କାରବାରରେ ସବୁଠୁ ବଡ଼ ମାମଲା ବୋଲି କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।