Temple Theft Cases Rise Across Odisha: ଓଡ଼ିଶାରେ ବଢୁଛି ମନ୍ଦିର ଲୁଟ୍, ଦେବଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର ଉପରେ ଦୁର୍ବୃତ୍ତଙ୍କ ନଜର
ଆଉ ତ୍ରାହି ନାହିଁ ମନ୍ଦିର ଗୁଡ଼ିକୁ। ଆଉ ରକ୍ଷା ନାହିଁ ଚୋର ଖଣ୍ଟଙ୍କ ଠାରୁ। କିଛିଦିନ ପରେ ନା ଆଉ ଆସ୍ଥାନରେ ଥିବେ ଠାକୁର ନା ଥିବ ଦେବଦେବୀଙ୍କ ଅଳଙ୍କାର। ନା ଥିବ ଦାନ ଧର୍ମ ନାଁରେ ଦେଉଳକୁ ଆସୁଥିବା ଟଙ୍କା କି ସୁନା ରୂପାର ଅଳଙ୍କାର। କାରଣ ମାତିଛନ୍ତି କଳିଯୁଗର କଳା ପାହାଡ଼। ୧- ସ୍ଥାନ ଗୋପ ଥାନା କୁସୁପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ରାମେଶ୍ବରୀ ମନ୍ଦିର। ୨- ଗୁଣୁପୁରର ପୁରାତନ ଉମା ରାମଲିଙ୍ଗେଶ୍ୱର ମନ୍ଦିର। ୩-ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ବୁଢାଲୋର ଗ୍ରାମଦେବତୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର। ୪-ଭଦ୍ରକ ଚାନ୍ଦବାଲି ଥାନା ଚନ୍ଦନପୁର ତାରିଣୀ ମନ୍ଦିର। ଏହି ୪ଟି ସ୍ଥାନରେ ଆପଣଙ୍କ ଆସ୍ଥା ଆଉ ବିଶ୍ବାସ ଉପରେ ଆକ୍ରମଣର ପ୍ରମାଣ। ସବୁଠି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। କୁସୁପୁର ରାମେଶ୍ବରୀ ମନ୍ଦିରରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି ରୁପା ମୁକୁଟ ସହ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ। ଗତ ୮ ତାରିଖ ବିଳମ୍ବିତ ରାତିରେ ଗୋପ କୁଣ୍ଡିସ ଗାଁର ତାରିଣୀ ମନ୍ଦିର ଓ ସାନ କୁନ୍ଦୁରା ଗାଁର ଶିବ ମନ୍ଦିରରୁ ଅଳଙ୍କାର ସହ ପିତ୍ତଳ ସାମଗ୍ରୀ ଲୁଟର ପର୍ଦ୍ଦାଫାସ ନହେଉଣୁ, ଏବେ ରାମେଶ୍ବରୀ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ।
ଯେଉଁ ମୂର୍ତ୍ତି ପିଢ଼ି ପିଢ଼ିର ଭକ୍ତି, ପରମ୍ପରା ଆଉ ବିଶ୍ୱାସର ପ୍ରତୀମା, ଆଜି ତାକୁ ଲୁଟିନେଉଛନ୍ତି ଦୁର୍ବୃତ୍ତ। ଠାକୁରଙ୍କ ଘର ଖାଲି କରିଦେଉଛନ୍ତି। ଅର୍ଥାତ ଏଭଳି ଯଦି ଲୁଟପାଟ୍ ଚାଲେ ତାହେଲେ ନାଁକୁ ମାତ୍ର ଦେଉଳ ଥିବ, ଶୂନ୍ୟ ହୋଇଯିବ ଗର୍ଭଗୃହ, ଶ୍ରୀହୀନ ହୋଇଯିବ ସବୁ ଦେବଦେବୀଙ୍କ ମନ୍ଦିର। ତେବେ କାହିଁକି ରାଜ୍ୟରେ ବଢି ଚାଲୁଛି ଏଭଳି ମନ୍ଦିର ଲୁଣ୍ଠନ ? ଏହାର ଖୁଲାସା କରିଛନ୍ତି ଐତିହ୍ୟ ଗବେଷକ। ତାଙ୍କ କହିବା କଥା, ମନ୍ଦିର ଗୁଡ଼ିକରେ ରହିଛି ଆକର୍ଷଣୀୟ କାରୁକାର୍ଯ୍ୟ ବିଶିଷ୍ଟ ମୂର୍ତ୍ତି। ଯାହାର ଅନ୍ତର୍ଜାତୀୟ ବଜାରରେ ରହିଛି ଅନେକ ଚାହିଦା। ସେହିପରି ରାଜ୍ୟର ଅଧିକାଂଶ ପ୍ରାଚୀନ ମନ୍ଦିର ଓ ପୀଠ ଗୁଡ଼ିକରେ ରହିଛି ଢିଲା ସୁରକ୍ଷା ବ୍ୟବସ୍ଥା। କେବଳ କାଁ ଭାଁ ସିସିଟିଭି ଜଗିଛି ସିନା ତାକୁ ଖାତିର କରୁନାହାଁନ୍ତି ଲୁଟେରା। ଫଳରେ ମନ୍ଦିର ଗୁଡ଼ିକରେ ଦୁର୍ବୃତ୍ତ ଆରାମରେ ପଶୁଛନ୍ତି ଆଉ ଲୁଟି ଖସିଯାଉଛନ୍ତି।
ଏକଥା ସତ ଯେ, ପୋଲିସ୍ ଆକ୍ସନ ନେଉଛି। କିଛି ସ୍ଥାନରେ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରୁଛି, ଦୁର୍ବୃତ୍ତଙ୍କୁ ବାନ୍ଧୁଛି। ପାରାଦୀପ ପୋଲିସ ଲକ୍ ଥାନା ନିମିଢ଼ି ଗାଁର ଜଗନ୍ନାଥ ମନ୍ଦିରରୁ ଚୋରି ମୂର୍ତ୍ତି ଏବଂ ଅଳଙ୍କାରକୁ ଉଦ୍ଧାର କରି ୩ କୁଖ୍ୟାତ ଚୋରଙ୍କୁ ବାନ୍ଧିଛି। ହେଲେ ରାଜ୍ୟର ଅଧିକାଂଶ ଜାଗାରେ ମନ୍ଦିର ଲୁଟର ପତ୍ତା ମିଳୁନି। ତେବେ କଳିଯୁଗର ଏହି କଳାପାହାଡ଼ଙ୍କୁ କେବେ କରାଯିବ ସାବାଡ୍ ? କେମିତି ସୁରକ୍ଷିତ ରହିବ ଭକ୍ତ ଆଉ ଭଗବାନଙ୍କ ମିଳନ ସ୍ଥଳୀ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।