The Core Issue: ମଞ୍ଜ କଥା: ଆମ ଭିତରେ ଥିବା କଳାପାହାଡ଼ମାନେ…
"ଭବାନୀ ଶଙ୍କର ତ୍ରିପାଠୀ ଟିକେ ନିରେଖି ଦେଖିଲେ ଯେ କେହି ବୁଝିପାରିବେ, ଓଡ଼ିଶା ବିରୋଧରେ ଏକ ନିରବ ଷଡ଼୍ଯନ୍ତ୍ର ଚାଲିଛି।
ଆମ ବ୍ୟବସ୍ଥାର ସଂସ୍ଥାପକମାନେ ହଜାର ହଜାର ବର୍ଷର ଗର୍ବ, ଗୌରବ ଅର୍ଥାତ୍ ସ୍ଥାପତ୍ୟ ତଥା ଧାର୍ମିକ ଓ କଳାତ୍ମକ ଐତିହ୍ୟ ନଷ୍ଟ କରିଦେବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।
ବରଂ ନିୟମିତ ବ୍ୟବଧାନରେ ଉପାନ୍ତରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ଯାଏ ଇତିହାସର ଆତ୍ମା ବା ସତ୍ତାର ଅନେକ ପ୍ରମାଣ ଲିଭାଇବା ପାଇଁ ଗୋଟିଏ ବଡ଼ ଗୋଷ୍ଠୀ ବେଶ୍ ସକ୍ରିୟ ଅଛନ୍ତି।
ଏହାକୁ କିଏ ବିଡ଼ମ୍ବନା କହିପାରେ।
ହେଲେ ନିଷ୍ଠୁର ସତ୍ୟଟି ହେଲା, ଏସବୁ ବିକାଶର ଦ୍ବାହି ଦେଇ ହିଁ କରାଯାଉଛି।ଏମିତି ନୁହେଁ ଯେ କେହି ଏହା ଲକ୍ଷ୍ୟ କରିନାହାନ୍ତି।
ବରଂ ଓଡ଼ିଶାବାସୀ ଏହାକୁ ପ୍ରତ୍ୟହ ପ୍ରତ୍ୟକ୍ଷ କରୁଛନ୍ତି; ଇତିହାସକାର ଓ ସଂରକ୍ଷଣବାଦୀମାନେ ମଧ୍ୟ।
ମାତ୍ର ଜଗାରଖା ଦାୟିତ୍ବରେ ଥିବା ଅନୁଷ୍ଠାନର ଉଦାସୀନତା, ଉତ୍ତରଦାୟୀ ବ୍ୟବସ୍ଥାର ସ୍ଥାଣୁତା ଆଗରେ ଆଉ ସବୁ ନିଷ୍ପ୍ରଭ ପ୍ରାୟ।
ଗୋଟିଏ ଧାଡ଼ିରେ କହିଲେ, ଓଡ଼ିଶାର ମନ୍ଦିର, ମଠ, ସ୍ଥାପତ୍ୟ ଏବଂ ଜୀବନ୍ତ ପରମ୍ପରା ଉପରେ ରାଜ୍ୟ ସରକାର, ସଂସ୍କୃତି, ପର୍ଯ୍ୟଟନ ଏବଂ ଆଇନ ବିଭାଗ ଅବିଚାରିତ ଆକ୍ରମଣ କରିଚାଲିଛନ୍ତି।
ଓଡ଼ିଶା ତା"ର ବିଶାଳ ସଭ୍ୟତାର ଭୌତିକ ସ୍ମୃତିର ବିନାଶର ମୂକପ୍ରାୟ ଦର୍ଶକ ସାଜିଛି।ଗୋଟିଏ କଥା ଏବେ ବାରମ୍ବାର ଆନ୍ଦୋଳିତ କରୁଛି।
ମାତ୍ର ଦୁଇଶହ ବର୍ଷର ଇତିହାସ ନେଇ କ୍ଷମତାଶାଳୀ, ବିଜ୍ଞ ରାଷ୍ଟ୍ର ଆମେରିକା ବେଶ୍ ସତର୍କ।
ରୋମ, ଇଟାଲି ୧୯୩୦-୫୦ ଦଶକରେ ପୃଥକ୍ ଆଧୁନିକ ପ୍ରଶାସନିକ ଅଞ୍ଚଳ ଗଢ଼ିଲେ ଏଇଥିପାଇଁ ଯେ ପୁରୁଣା ଐତିହାସିକ ପ୍ରକଳ୍ପ ଉପରେ ବିକାଶର ସାମାନ୍ୟ ପ୍ରଭାବ ପଡ଼ିବ ନାହିଁ।
ମିଶରରେ ପୁରୁଣା କାଇରୋକୁ ରକ୍ଷା କରିବା ପାଇଁ ନ୍ୟୁ କାଇରୋ ଓ ନୂଆ ପ୍ରଶାସନିକ ରାଜଧାନୀ ପୃଥକ୍ ଭାବେ ନିର୍ମାଣ କରାଗଲା।
ଜାପାନ ପୁରୁଣା ସହରରେ ଅତ୍ୟୁଚ୍ଚ କୋଠା ଓ ବ୍ୟାବସାୟିକ ନିର୍ମାଣ ଉପରେ କଡ଼ା ନିୟମ ଲାଗୁ କରି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ସହର ଉପକଣ୍ଠକୁ ଠେଲି ଦେଲା।
ଚୀନର ଦ୍ରୁତ ଆଧୁନିକୀକରଣକୁ କୋଳେଇ ନେବା ସତ୍ତ୍ୱେ ପିଙ୍ଗଯାଓ, ଲିଜିଆଙ୍ଗ ଭଳି ପ୍ରାଚୀରଘେରା ପୁରୁଣା ସହରଗୁଡ଼ିକୁ ସୁରକ୍ଷିତ ରଖିଛି।
ବ୍ରିଟେନ୍ରେ ସୁରକ୍ଷିତ ସ୍ଥାପତ୍ୟର ଅନଧିକୃତ ପରିବର୍ତ୍ତନ ଏକ ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯାଏ।
ଭାରତରେ ମଧ୍ୟ ରାଜସ୍ଥାନ, କର୍ଣ୍ଣାଟକ ଭଳି କିଛି ରାଜ୍ୟ ତାଙ୍କ ଇତିହାସ, ସ୍ଥାପତ୍ୟକୁ ସୁରକ୍ଷିତ ରଖିବା ଲାଗି କଠୋର ନିୟମ ଅନୁପାଳନ କରୁଛନ୍ତି।ହଁ, ଏଭଳି ଆଭିମୁଖ୍ୟ ପାଇଁ ଗୋଟିଏ ଦେଶ ବା ରାଜ୍ୟ ଧନୀ ଓ ବୈଷୟିକ ଦୃଷ୍ଟିରୁ ସମୃଦ୍ଧ ହେବା ଜରୁରୀ ନୁହେଁ।
ବରଂ ଏକଥା କୁହାଯିବ, ସେମାନେ ଐତିହ୍ୟର ମୂଲ୍ୟ ବୁଝିଛନ୍ତି।ହେଲେ ଓଡ଼ିଶା?
ଆମ ସ୍ମାରକୀକୁ ଦଳିମକଚି ତା" ଉପରେ ଅତ୍ୟାଧୁନିକ ସହର ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ନିଷ୍ପତ୍ତିମାନ ନିଆଚାଲିଛି।
ଦୁଇ ଚାରିଟି ଉଦାହରଣ ନିଆଯାଉ।ସ୍ବାଧୀନତା ପରେ ଓଡ଼ିଶା ଅନେକ ମୁଖ୍ୟମନ୍ତ୍ରୀ ଦେଖିଲାଣି।
ଅଥଚ ମହାପ୍ରଭୁଙ୍କ "ଶ୍ରୀଜଗନ୍ନାଥ ଧାମ"ର ଚିତ୍ର ଚରିତ୍ର ବା ସ୍ବରୂପ ନିର୍ଣ୍ଣୟ ହୋଇପାରିଲା ନାହିଁ।
ଏହାକୁ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବ, ନା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଆଧୁନିକ ସହର ଭଳି ନିର୍ମାଣ ହେବ?
ଭୁବନେଶ୍ବର ରାଜ୍ୟ ରାଜଧାନୀ ହୋଇଥିବା ପରିପ୍ରେକ୍ଷୀରେ ବହୁତଳ ସରକାରୀ ପ୍ରାସାଦ ଓ ଅଣନିଶ୍ବାସୀ କରିବା ଭଳି ସୁଉଚ୍ଚ ଆପାର୍ଟମେଣ୍ଟ ଆଦିକୁ ନେଇ କଂକ୍ରିଟ ଜଙ୍ଗଲ ସହିତ ଆଗକୁ ବଢ଼ିପାରେ।
ହେଲେ ଶୈବ, ଶାକ୍ତ, ଜୈନ, ବୌଦ୍ଧ ଧର୍ମର ବିବିଧତାରେ ପରିପୂର୍ଣ୍ଣ "ଏକାମ୍ର କ୍ଷେତ୍ର" ସହିତ ବୁଝାମଣା ମୂଲ୍ୟରେ ଏସବୁ ଆଦୌ କରାଯାଇପାରିବ ନାହିଁ।
ବରଂ ଗୋଟିଏ ଧାର୍ମିକ କ୍ଷେତ୍ର ଓ ଅନ୍ୟଟି ଆଧୁନିକ ମହାନଗର ବା ରାଜଧାନୀ; ଏଭଳି ଦୁଇଟି ପୃଥକ୍ ସହର ଗଢ଼ିବାକୁ ଆମ ସରକାର ଭାବିବା ଉଚିତ।
ଐତିହ୍ୟସମ୍ପନ୍ନ ପୁରୁଣା ରାଜଧାନୀ, ଭାଇଚାରାର ସହର କଟକ କ୍ଷେତ୍ରରେ ବି ଅନୁରୂପ ସ୍ଥିତି ବିଦ୍ୟମାନ।ଆମେ ଜାଣୁ, ଅତ୍ୟାଧୁନିକ ବୈଷୟିକ ସୁବିଧା ଥିବା ଏକ ସହର ନିର୍ମାଣ ବର୍ତ୍ତମାନର ଆବଶ୍ୟକତା।
ଏହା ଉପରେ ଆମ ଅର୍ଥନୀତି କିଛି ପରିମାଣରେ ନିର୍ଭରଶୀଳ।
ହେଲେ ସରକାର ଭୁଲିଯିବା ଉଚିତ ନୁହେଁ, ଯେଉଁ ରାଷ୍ଟ୍ରର ଇତିହାସ ଯେତେ ପୁରୁଣା ଓ ବଳିଷ୍ଠ ସେ ଜାତି ସେତେ ଉନ୍ନତ, ସଂପନ୍ନ ଓ ବିକଶିତ।
ଓଡ଼ିଶା ଅତ୍ୟାଧୁନିକ ପୋଷାକରେ କେତେ ବି ସଜେଇ ହେଉ, ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟର ମାନ୍ୟତା ପାଇବ ନାହିଁ।
ଏହାର ଅର୍ଥନୀତି, ସାମାଜିକ ପରିଚୟ ଆଜି ମଧ୍ୟ ଐତିହ୍ୟ, କୀର୍ତ୍ତିରାଜି, ପରମ୍ପରା, ବୁନିଆଦି ସହିତ ଯୋଡ଼ି ହୋଇ ରହିଛି।
ଏଣୁ ଅନ୍ୟ ସମସାମୟିକ ରାଜ୍ୟ ଭଳି ନହେଲେ ବି ରାଜସ୍ବର ଏକ ବଡ଼ ଅଂଶ ଆମକୁ ପର୍ଯ୍ୟଟନରୁ ମିଳୁଛି।
ଏମିତିରେ, ଆମ ରାଜ୍ୟରେ ସେବା କ୍ଷେତ୍ରରୁ ଜିଏସଡିପିକୁ ଅବଦାନ କୃଷି କ୍ଷେତ୍ର ଠାରୁ ଯଥେଷ୍ଟ ଅଧିକ।
ହଁ, ଏ ଜାତିର ଅସ୍ମିତା କେଉଁଠି କି?
କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର।
ଏହି କୀର୍ତ୍ତି ତା"ର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବକୁ ଆକର୍ଷିତ କରିଆସିଛି।
ମନ୍ଦିରର ମୁଖ୍ୟ ଅଂଶ ଭାଙ୍ଗିଯିବା ସତ୍ତ୍ବେ ମୁଖଶାଳାର ଶୋଭା ଓଡ଼ିଶାର କାରିଗର ଓ ଶିଳ୍ପୀଙ୍କର ଦକ୍ଷତାର ଜୟଗାନ କରେ।
ଏହି ସାଂସ୍କୃତିକ ବୈଭବର ସୁରକ୍ଷା ଏବେ ସମସ୍ତଙ୍କର ନୈତିକ ଦାୟିତ୍ବ।
ହେଲେ କୋଣାର୍କ ଆଜି ସୁରକ୍ଷିତ ତ?
ଏହା ଆଉ ଏକ ବିତର୍କର ଅପେକ୍ଷା ରଖେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବାସସ୍ଥଳୀ ଶ୍ରୀମନ୍ଦିର ଅନ୍ୟ ଏକ ଉଦାହରଣ।
୧୯୭୦ ଦଶକରୁ ଏହାର ସୁରକ୍ଷାର ଭାର କାନ୍ଧେଇଥିବା ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା "ଏଏସ୍ଆଇ" ଏ ପର୍ଯ୍ୟନ୍ତ କହୁନାହିଁ ଯେ ଶ୍ରୀମନ୍ଦିର ମରାମତିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।
ଏକଥା କେହି ପଚାରୁନାହାନ୍ତି, ଗତ ଚାରି ଦଶନ୍ଧି ଧରି ଦେଉଳରୁ ଯେତେସବୁ ପଥର ବାହାରିଲା ବା ନିକଟରେ ପରିକ୍ରମା ପ୍ରକଳ୍ପ ସମୟରେ ଭାଙ୍ଗିଯାଇଥିବା ମଠର ଅଂଶବିଶେଷ କେଉଁଠି ରହିଛି?
ଏମାର ମଠର ବିଶାଳ କବାଟ, ରଘୁନନ୍ଦନ ପାଠାଗାର ଅସ୍ତିତ୍ବ ଏବେ ଦୁଷ୍ପ୍ରାପ୍ୟ।ଭୁବନେଶ୍ୱରକୁ ବି ଏକଦା "ମନ୍ଦିର ମାଳିନୀ ନଗରୀ" କୁହାଯାଉଥିଲା।
ଏବେ ପ୍ରାୟ ୭୦୦ ପାଖାପାଖି ମନ୍ଦିର ବିଦ୍ୟମାନ।
ଅଧିକାଂଶ ଶିବଙ୍କୁ ସମର୍ପିତ।
ହେଲେ ଏ ମାଟି ଏମିତି, ଯେଉଁଠି ଶୈବ, ଶାକ୍ତ, ବୌଦ୍ଧ ଓ ଜୈନ ଧର୍ମ ପରସ୍ପରର ସହାବସ୍ଥାନ ରହିଛି।
ଆମେ ଜାଣୁ, ଲିଙ୍ଗରାଜ ମନ୍ଦିର ଏକାମ୍ର କ୍ଷେତ୍ରର ମୂଳ ବିନ୍ଦୁ।
ହେଲେ ବୈତାଳ ମନ୍ଦିର ସହିତ ମହାନ ଶାକ୍ତ ପରମ୍ପରା ଯୋଡ଼ିହୋଇ ରହିଛି।
ଏହା ଭୁବନେଶ୍ୱରର ଏକମାତ୍ର ମନ୍ଦିର ଯାହା ଖାକରା ଶୈଳୀରେ ନିର୍ମିତ।
ସେହିପରି ମୁକ୍ତେଶ୍ୱର, ଓଡ଼ିଶୀ ସ୍ଥାପତ୍ୟର ମଣି।
ରହସ୍ୟମୟ ରାଜାରାଣୀ ପ୍ରମାଣ କରେ ଯେ କଳିଙ୍ଗର ଶିଳ୍ପୀ କେବଳ ଦେବତାଙ୍କ ପାଇଁ ନୁହେଁ, କଳା ପାଇଁ ମଧ୍ୟ ପଥର ଖୋଳୁଥିଲେ।
ଏ ତାଲିକା ଏମିତି ଲମ୍ବିଥିବ।
ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର, କଳିଙ୍ଗ ଯୁଦ୍ଧ ସ୍ଥଳ ବୋଲି ଦାବି କରାଯାଉଥିବା ଦୟା ନଦୀ, ଧଉଳି, ଖଣ୍ଡଗିରି ଓ ଉଦୟଗିରି ଆଦି ଓଡ଼ିଶାର ମିଠା ଅହଂକାରର ପ୍ରତୀକ।ଏସବୁକୁ ନେଇ ଗୋଟିଏ ସୁନ୍ଦର ସହର ପରିକଳ୍ପନା ଲାଗି ସରକାରଙ୍କୁ କିଏ ଅଟକାଉଛି?
୧୯୮୦ ଦଶକରୁ ବିଡିଏ ଏବଂ ଏହା ପରେ ପୁରୀ-କୋଣାର୍କ-ଭୁବନେଶ୍ବରକୁ ନେଇ ତତ୍କାଳୀନ ସରକାରଙ୍କ ସ୍ବର୍ଣ୍ଣ ତ୍ରିଭୁଜ ପରିକଳ୍ପନା ହୋଇଥିଲା।
ତିନି ଦଶନ୍ଧି ପରେ ବାସ୍ତବତା ଏୟା।
ସରକାର ଜାଣି ରଖନ୍ତୁ, ଏସବୁ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ନଷ୍ଟଭ୍ରଷ୍ଟ ହୋଇନାହିଁ।
ବରଂ ଅନିୟନ୍ତ୍ରିତ ସହରୀ ବିକାଶ, ଯୋଜନାହୀନ ନୀତି ଏବଂ ବ୍ୟବସ୍ଥାର ଉଦାସୀନତା ଓ ଶାସନର ଦୂରଦୃଷ୍ଟିରେ ଅଭାବ ଏଥିପାଇଁ ଦାୟୀ।ପାଦେ ଆଗକୁ ଯାଇ ହଜାରେ ବର୍ଷରୁ ଅଧିକ ପୁରୁଣା କଟକ ଉପରେ ନଜର ପକାଇଲେ, ହୃଦୟ କୋରି ହୋଇଯାଏ।
ବାରବାଟୀ ଦୁର୍ଗ, କଦମ-ଇ-ରସୁଲ୍, ମହାନଦୀ ଓ କାଠଯୋଡ଼ି ତଟବର୍ତ୍ତୀ ନଦୀ-ସଂସ୍କୃତି ତଥା ହିନ୍ଦୁ-ମୁସଲିମ-ବ୍ରିଟିସ ସମନ୍ୱିତ ସହରୀ ଇତିହାସ ପ୍ରତି ଆମ ଜାତି କି ଭୀଷଣ ଅନ୍ୟାୟ କରିଛି ସତେ!
ଏହାକୁ କ"ଣ ଆମେ ଅବହେଳିତ ଅବସ୍ଥାରେ ଛାଡ଼ି ଦେଇନାହାନ୍ତି?
ଭାଙ୍ଗି ପଡ଼ୁଥିବା ତୋରଣ, ଜବରଦଖଲ ହୋଇଥିବା ଖାଇ, ବିସ୍ମୃତ ଶିଳାଲିପି ଆଜି ରାଜନୈତିକ ଦୃଷ୍ଟିକୋଣରୁ ଏତେ ଗୌଣ ଯେ ଏହା କାହା ପାଇଁ ବିଶେଷ ଗୁରୁତ୍ୱ ରଖୁନାହିଁ।ସମସ୍ତେ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକ ନିର୍ବାଚନ ବେଳେ ଅଥବା ସ୍ୱାଧୀନତା ଦିବସ ଭାଷଣରେ କିମ୍ବା ପର୍ଯ୍ୟଟନ ବିଜ୍ଞାପନରେ "ଐତିହ୍ୟ ସହର କଟକ", "ଜଗନ୍ନାଥ ସଂସ୍କୃତି", "ଏକାମ୍ର ଭୂମି" ଭଳି ଶବ୍ଦ ବ୍ୟବହାର କରି ଆମ ନେତୃତ୍ବ ଗଗନ ପ୍ରକମ୍ପିତ କରନ୍ତି।
ଅଥଚ ୩ ଲକ୍ଷ ୧୦ ହଜାର କୋଟିର ବ୍ୟୟ ଅଟକଳ କରି ପ୍ରଶଂସା ସାଉଁଟୁଥିବା ସରକାର ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଏହାର ୦.୧୯% ଅର୍ଥ ବରାଦ କରିଛନ୍ତି।
ଏହା ହିଁ ଓଡ଼ିଶା ଅସ୍ମିତା ସୁରକ୍ଷା ନେଇ ସରକାରୀ ଆନ୍ତରିକତାର ଗୋଟିଏ ପ୍ରମାଣ।
ସେହିଭଳି ଆମ ମନ୍ଦିର ପ୍ରତି "ଏଏସ୍ଆଇ" ଅବହେଳାର ଉଦାହରଣ ଅନେକ ରହିଛି।
ମାତ୍ର କୌଣସି ସରକାର ଓଡ଼ିଶାର ଶିଳ୍ପୀ ପରିବାରର ଦାୟାଦଙ୍କୁ ନେଇ ରାଜ୍ୟ ପ୍ରତ୍ନତାତ୍ତ୍ବିକ ବ୍ୟବସ୍ଥାକୁ ସଶକ୍ତ କରିବା କଥା ଭାବି ପାରିନାହାନ୍ତି।
ଏମିତି ହୋଇଥିଲେ, ଆଜି ରାଜ୍ୟର ହଜାର ହଜାର କୀର୍ତ୍ତିରାଜି ଅକ୍ଷତ ଥାଆନ୍ତା।ଅବଶ୍ୟ ଆମେ ଲକ୍ଷ୍ୟ କରୁଛୁ, ରାଜ୍ୟ ସରକାରମାନେ ଶିଳ୍ପ ଓ ଖଣି ଭଳି କଞ୍ଚା ପଇସା ପଛରେ ଦୌଡୁଛନ୍ତି।
ଏସବୁ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେମାନେ ଦାବି କରିପାରନ୍ତି।
ହେଲେ ହେଜିବା ଦରକାର ଯେ ଶିଳ୍ପର ବିକାଶ ସଂପର୍କିତ ଅର୍ଥନୀତି କିଛି ସମୟ ପାଇଁ ରାଜ୍ୟ ଚେହେରାକୁ ଚିକ୍ଚିକ୍ କରିପାରେ।
ସଂସ୍କୃତି, ପରମ୍ପରା, ଐତିହ୍ୟ, ସ୍ଥାପତ୍ୟ ଆଦିର ସୁରକ୍ଷା ବିନା ବିକଶିତ ରାଜ୍ୟ ଗଠନ ସମ୍ଭବ ନୁହେଁ।ହଁ, ମାଳ ମାଳ ଲୋକପ୍ରିୟ ଯୋଜନା ଖଞ୍ଜି ସରକାର ଆଉ ଥରେ କ୍ଷମତା ଚୌକିରେ ବସିପାରନ୍ତି।
ହେଲେ ଇତିହାସ ତାଙ୍କୁ କେବେ ବି ଯଶସ୍ବୀ ବୋଲି କହିବ ନାହିଁ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୪୭୪୨୭୪Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।