The mining scam: ଖଣି କେଳେଙ୍କାରୀ ଜଳଜଳ: ୧୩୩୫ କୋଟି ଆଦାୟ କରିବାକୁ ଭୁଲିଗଲେ
ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗର ବ୍ୟାପକ ତ୍ରୁଟିବିଚ୍ୟୁତିକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଧରିଛନ୍ତି। ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବାରେ ଅଧିକାରୀମାନେ ବିଫଳ ହେବାରୁ ରାଜ୍ୟ ସରକାର ପ୍ରାୟ ୧୩୩୫ କୋଟି ଟଙ୍କାର ରାଜସ୍ବ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭିନ୍ନ ବୈଧାନିକ ମଞ୍ଜୁରି ନଥିବା ସତ୍ତ୍ବେ କେତେକ ଖଣି ଲିଜଧାରୀ ଆବଶ୍ୟକତାଠାରୁ ଅଧିକ ଖଣିଜ ଉତ୍ପାଦନ କରିଥିଲେ। କାହାକୁ ଖାତିର ନ କରି ମନଇଚ୍ଛା ଖୋଳିଥିଲେ। ସେମାନଙ୍କଠାରୁ ଯେଉଁ ପ୍ରାପ୍ୟ ଆଦାୟ କରାଯିବା କଥା ତାହା ମଧ୍ୟ କରାଯାଇନଥିବା ସିଏଜି କହିଛନ୍ତି।
Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ
ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁସାରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଦୁଇଟି ଖଣିରେ ପରିବେଶ ମଞ୍ଜୁରି (ଇସି)ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୋଇଲା ଉତ୍ତୋଳନ କରାଯାଇଥିଲା। ଗୋଟିଏ ଖଣି ଇସିରେ ନିର୍ଦ୍ଧାରିତ ସୀମା ଓ ଅନ୍ୟ ଏକ ଖଣିରେ ବିନା ଇସିରେ ସମୁଦାୟ ୧,୧୭,୯୬,୫୪୦ ଟନ୍ ଖଣିଜ ଉତ୍ତୋଳନ କରାଯାଇଥିଲା। ଏ ବାବଦରେ ୯୭୫.୫୭ କୋଟି ଟଙ୍କାର ଦେୟ ସଂଗ୍ରହ କରାଯାଇନଥିଲା। ସେହିପରି କୋଇଲାର ଠିକ୍ ଆକାର ନିର୍ଦ୍ଧାରଣ କରିବାରେ ବିଫଳତା କାରଣରୁ ସରକାରଙ୍କୁ ୯୨.୩୮ କୋଟି ଟଙ୍କାର ରୟାଲ୍ଟି ଓ ଅନ୍ୟାନ୍ୟ
ଟିକସ ମିଳିନଥିଲା। ଏମ୍ସିଏଲ୍ ୨୦୨୦-୨୧ରେ ୧୦୦ ଏମ୍ଏମ୍ରୁ କମ୍ ଆକାରର ୫,୭୪,୬୧,୬୮୨ ଟନ୍ କୋଇଲା ଏହାର ସମ୍ବଲପୁର ଓ ତାଳଚେର ଖଣି ସର୍କଲ୍ରୁ ପଠାଇଥିଲା। କିନ୍ତୁ ସେହି କୋଇଲା ଉପରେ ଟନ୍ ପିଛା ୮୭ ଟଙ୍କାର ସାଇଜିଂ ଚାର୍ଜ ଲାଗୁ କରାଯାଇନଥିଲା। ସେଥିପାଇଁ ରୟାଲ୍ଟି ବାବଦରେ ସରକାର ୬୬.୯୯ କୋଟି ଟଙ୍କା, ଡିଏମ୍ଏଫ୍ ଯୋଗଦାନ ରାଶି ଭାବେ ୨୧ କୋଟି ଟଙ୍କା ଓ ଜାତୀୟ ଖଣିଜ ଅନ୍ବେଷଣ ଟ୍ରଷ୍ଟ ବାବଦରେ ୧.୪୦ କୋଟି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ।
Flight service: ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍ ପାଇଁ ଚୀନ୍ ସହ ଆଲୋଚନା କରୁଛି ଭାରତ
ଚାରି ଖଣି ଉପନିର୍ଦ୍ଦେଶକଙ୍କ କାଗଜପତ୍ର ଯାଞ୍ଚରୁ ସିଏଜି ଜାଣିବାକୁ ପାଇଥିଲେ ଯେ ୨୭ଟି ଖଣି ଲିଜଧାରୀ ୨୦୨୧ ମେ’ରୁ ୨୦୨୩ ଅଗଷ୍ଟ ମଧ୍ୟରେ ରୟାଲ୍ଟି ଓ ଅନ୍ୟାନ୍ୟ ଦେୟ ବାବଦରେ ୧୪୫୨.୫୫ କୋଟି ଟଙ୍କା ପୈଠ କରିଥିଲେ। କିନ୍ତୁ ସେମାନେ ୭ ଦିନରୁ ଆରମ୍ଭ କରି ୧୮୯୦ ଦିନ ପର୍ଯ୍ୟନ୍ତ ବିଳମ୍ବରେ ତାହା ଦେଇଥିଲେ। ସେହି ବିଳମ୍ବ ପାଇଁ ସେମାନଙ୍କଠାରୁ ୬୯.୫୩ କୋଟି ଟଙ୍କାର ସୁଧ ଆଦାୟ କରାଯାଇନଥିଲା। ସେହିପରି ଝାରସୁଗୁଡ଼ାର ଓରିଏଣ୍ଟ କ୍ଷେତ୍ରରେ ଏମ୍ସିଏଲ୍ର ଥିବା ଦୁଇଟି ଖଣି ଉପରେ ବର୍ଦ୍ଧିତ ଖଣି ଲିଜ୍ ଅବଧି ପାଇଁ ରୟାଲ୍ଟି ସମାନ ୨୭.୭୪ କୋଟି ଟଙ୍କାର ଦେୟ ଲାଗୁ କରାଯାଇନଥିଲା।
ସିଏଜି ଅନ୍ୟ ଏକ ମାମଲା ଧରିଥିଲେ, ଯେଉଁଥିରେ ସମ୍ବଲପୁର କ୍ଷେତ୍ରର ଏକ ଖଣି ଲିଜଧାରୀ କନ୍ସେଣ୍ଟ ଟୁ ଅପରେଟ (ସିଟିଓ) ବାହାରେ ଅତିରିକ୍ତ ୧.୨୫ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଥିଲେ। ତାଙ୍କଠାରୁ ୯୪.୭୫ କୋଟି ଟଙ୍କାର ପ୍ରାପ୍ୟ ସଂଗ୍ରହ କରାଯାଇନଥିଲା। ସେହିପରି ଯାଜପୁରରେ ଏକ ଖଣି ସିଟିଓ ଉଲ୍ଲଂଘନ କରି ଉତ୍ପାଦନ କରାଯାଇଥିବା ୯୯୫୧ ଟନ୍ କ୍ରୋମାଇଟ୍ ପଥର ପାଇଁ ମଧ୍ୟ ୧୨.୦୪ କୋଟି ଟଙ୍କା ଅସୁଲ କରାଯାଇନଥିଲା। କୋଇଡ଼ା ଡିଡିଏମ୍ ଅଧୀନସ୍ଥ ମହୁଲଶୁଖା ଲୌହ ଓ ମାଙ୍ଗାନିଜ ଖଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ସିଟିଓ ହାସଲ ନ କରି ୭୯,୫୩୫ ଟନ୍ ଖଣିଜ ଉତ୍ତୋଜନ କରିଥିଲା। କିନ୍ତୁ ତାଙ୍କଠାରୁ ୪୫.୫୯ କୋଟି ଟଙ୍କାର ପ୍ରାପ୍ୟ ସଂଗ୍ରହ କରାଯାଇନଥିଲା। କାନ୍ଥର-କୋଇଡ଼ା ମାଙ୍ଗାନିଜ ଖଣି ମଧ୍ୟ ସମାନ ନିୟମ ଉଲ୍ଲଂଘନ କରି ୧୦,୬୬୬ ଟନ୍ ଖଣିଜ ଉତ୍ତୋଳନ କରିଥିଲା। କିନ୍ତୁ ଖଣିଲିଜଧାରୀଙ୍କଠାରୁ ୩.୨୪ କୋଟି ଟଙ୍କା ସଂଗ୍ରହ ହୋଇନଥିଲା। ଅନ୍ୟପକ୍ଷରେ ଯୋଡ଼ାର ଜରିବାହାଳ ଲୁହାପଥର ଖଣିରେ ଇସିରେ ନିର୍ଦ୍ଧାରିତ ସୀମାଠାରୁ ୫୦,୦୩୦ ନିୟୁତ ଟନ୍ ଅଧିକ ଖଣିଜ ଉତ୍ତୋଳନ କରାଯାଇଥିଲା। ସେ ବାବଦରେ ମଧ୍ୟ ୧୪.୦୮ କୋଟି ଟଙ୍କା ଆଦାୟ ହୋଇନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।