03 NOVEMBER 2026

Welcome!

Unlock your personalized experience.
Sign Up

The Oldest Lingaraj Market: ସବୁଠୁ ପୁରୁଣା ଲିଙ୍ଗରାଜ ହାଟ: ନାଁକୁ ହେରିଟେଜ୍‌ ହାଟ, ଆଜି ବି ଜରିପାଲ ତଳେ ବେପାରୀ

Nov 03, 2026 - 08:24
The Oldest Lingaraj Market: ସବୁଠୁ ପୁରୁଣା ଲିଙ୍ଗରାଜ ହାଟ: ନାଁକୁ ହେରିଟେଜ୍‌ ହାଟ, ଆଜି ବି ଜରିପାଲ ତଳେ ବେପାରୀ

ପୁରୁଣା ଭୁବନେଶ୍ବର: ରାଜଧାନୀର ସବୁଠୁ ପୁରୁଣା ହାଟ କହିଲେ, ଶ୍ରୀଲିଙ୍ଗରାଜ ମନ୍ଦିର ପାଖ ହାଟକୁ ବୁଝାପଡ଼େ। ମନ୍ଦିର ଅନୁସାରେ ଏହାକୁ ଲିଙ୍ଗରାଜ ହାଟ କୁହାଯାଉଛି। ଏହି ହାଟର ବୟସ ପ୍ରାୟ ୫୦ବର୍ଷ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା ଆହୁରି ପୁରୁଣା। ‌ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ମଧ୍ୟ ଏହି ହାଟ ବସୁଥିଲା। ରାଜଧାନୀ ଚତୁର୍ପାର୍ଶ୍ବରେ ଉପକଣ୍ଠସ୍ଥ ସମସ୍ତ ଅଞ୍ଚଳର ଲୋକେ ଏହି ହାଟକୁ ଆସୁଥିଲେ। ବାଲିପାଟଣା, ବାଲିଅନ୍ତା, ବାଳକାଟି ଅଞ୍ଚଳର ଲୋକେ କୁଶଭଦ୍ରା, କୁଆଖାଇ ନଦୀ ପାରି ହୋଇ ଏହି ହାଟକୁ ଆସୁଥିବା ବେଳେ ଚନ୍ଦକା, ଅନ୍ଧାରୁଆ, ଘାଟିକିଆ, ବରମୁଣ୍ଡା, ପଟିଆ, ଗାଡ଼କଣ, କଳାରାହାଙ୍ଗ  ଆଦି ଅଞ୍ଚଳର ଲୋକେ ବଣ ଜଙ୍ଗଲ ଡେଇଁ ଏଠାକୁ ଆସୁଥିଲେ। ଆଜି ରାଜଧାନୀର ଚିତ୍ର ବଦଳିଯାଇଛି। ସହରର ବଦଳୁଥିବା ଚିତ୍ରକୁ ଏହି ହାଟ ତା’ର ସ୍ମୃତିରେ ସାଇତିଥିବାରୁ ଏହାକୁ ହେରିଟେଜ୍‌ ହାଟ ବୋଲି ଅଭିହିତ କରାଯାଉଛି। ମାତ୍ର ଏହି ହେରିଟେଜ୍‌ ହାଟର ଚେହେରା ଯେମିତି ଆଖିଦୃଶିଆ ଆକର୍ଷଣୀୟ ହେବା କଥା, ସେମିତି ‌‌‌ହୋଇପାରିନି। ୫୦ବର୍ଷ ପୂର୍ବେ ସପ୍ତାହକୁ ୨ଦିନ ବସୁଥିଲା, ଆଜି ବି ୨ଦିନ ବସୁଛି। ସେତେବେଳେ ଚାଳଛପର ତଳେ ଦଣ୍ଡି ଧରି ବେପାରୀମାନେ ବସୁଥିଲେ, ଆଜି ଜରିପାଲ ତଳେ ବ୍ୟାଟେରି ନିକିତି ଧରି ବସୁଛନ୍ତି। 

ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ

ପୂର୍ବ ଭଳି ଏବେ ମଧ୍ୟ ଏହି ହାଟ କେବଳ ସୋମବାର ଓ ଗୁରୁବାରରେ ବସୁଛି। ସପ୍ତାହର ଅନ୍ୟ ଦିନଗୁଡ଼ିକରେ ପରିବା ବ୍ୟବସାୟୀମାନେ ରାସ୍ତାକଡ଼ରେ ବସୁଛନ୍ତି। ସ୍ଥାନୀୟ ଲୋକଙ୍କ ଚାହିଦା ଦୃଷ୍ଟିରୁ ହାଟ ନଥିଲେ ମଧ୍ୟ ବେପାରୀମାନେ ଅନ୍ୟ ଦିନରେ ଆସି ରାସ୍ତାକଡ଼ରେ ପସରା ମେଲାଉଛନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ସପ୍ତାହକୁ ମାତ୍ର ଦୁଇ ଦିନ ହାଟ ବସୁଥିବାରୁ ବହୁ ସଂଖ୍ୟାରେ ଗ୍ରାହକ ଆସୁଛନ୍ତି, ଯାହାକି ପାର୍କିଂ ସମସ୍ୟା ଉତ୍କଟ କରୁଛି। ଏହି ରାସ୍ତା ଦେଇ ଲିଙ୍ଗରାଜ ମନ୍ଦିର, ହାଟସାହି ଓ ଜଗନ୍ନାଥ ମଠ ରୋଡ୍‌କୁ ଯାତାୟାତ କରୁଥିବା ଲୋକେ ଟ୍ରାଫିକ୍ ଜାମ୍‌ରେ ଫସୁଛନ୍ତି। ବିଏମ୍‌ସି ହସ୍ପିଟାଲ କିମ୍ବା ଲିଙ୍ଗରାଜ ମନ୍ଦିରକୁ ଯାଉଥିବା ଲୋକଙ୍କୁ ମଧ୍ୟ ଏହି ଦୁଇ ଦିନ ଢେର୍‌ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ହାଟ ପାଳି ଦିନ ବିଏମ୍ ହାଇସ୍କୁଲ ଛୁଟି ସମୟରେ ଭିଡ଼ ଆହୁରି ବଢ଼ିଯାଉଛି। ତେଣୁ ଏହାକୁ ନିୟମିତ ହାଟ କରିବାକୁ ବହୁ ଦିନ ହେଲା ଦାବି ହୋଇଆସୁଛି। ହେରିଟେଜ୍ ହାଟ ବୋଲି କୁହାଯିବା ପରେ ଏକଦା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା।

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

ପିଣ୍ଡିଗୁଡ଼ିକରେ ମେସିନ୍‌ କଟା ସୁନ୍ଦର ମାଙ୍କଡ଼ା ପଥର ବିଛାଇ ଦିଆଯାଇଥିଲା। ପିଣ୍ଡିକୁ ଭୂତଳ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଦୁଇଟି ହାଇମାଷ୍ଟ ଲାଇଟ୍‌ ଲଗାଯାଇଥିଲା। ହାଟ ଭିତରକୁ ଗୋରୁଗାଈ ପ୍ରବେଶ ରୋକିବା ପାଇଁ କ୍ୟାଟଲ୍ କ୍ୟାଚର୍ ନିର୍ମାଣ କରାଯାଇଥିଲା। ମାତ୍ର ପିଣ୍ଡିଗୁଡ଼ିକ ଉପରେ ସ୍ଥାୟୀ ଛାତ ନିର୍ମାଣ କରାଯାଇନଥିଲା। ସେତିକିରେ ଅଟକିଯାଇଥିଲା ହେରିଟେଜ୍‌ ହାଟର ବିକାଶ। ଏବେ ବେପାରୀମାନଙ୍କୁ ଜରିପାଲ ଭରସା। ସାମାନ୍ୟ ବର୍ଷାରେ ହାଟ ପରିସର କାଦୁଅରେ ପଚପଚ ହେଉଛି।  ହାଟ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ସପ୍ତାହକୁ କେବଳ ଦୁଇ ଦିନ ହାଟ ବସୁଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସପ୍ତାହକୁ ୬ଦିନ ହାଟ ହେଲେ ଏମିତି ଭିଡ଼ ବା ଟ୍ରାଫିକ୍‌ ଜାମ୍‌ ସ୍ଥିତି ଦେଖିବାକୁ ମିଳନ୍ତା ନାହି। ପିଣ୍ଡିରେ ସ୍ଥାୟୀ ଛାତ, ପର୍ଯ୍ୟାପ୍ତ ପାର୍କିଂ, ବିଦ୍ୟୁତ୍, ପରିମଳ ଓ ସଫେଇ ଭଳି ମୌଳିକ ସୁବିଧା ଯୋଗାଇ ଦିଆଗଲେ, ଏହି ହେରିଟେଜ୍‌ ହାଟର ଗରିମା ବଜାୟ ରହିପାରନ୍ତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।