The Social Life of Lies: ମିଛର ସାମାଜିକ ଜୀବନ
"ଅବଶ ପରିଡ଼ା ମିଛକୁ ଚିହ୍ନଟ କରିବା ହେଉଛି ମାନବ ଜାତି ପାଇଁ ଏକ ବଡ଼ ଆହ୍ୱାନ।
ସେଥିପାଇଁ ତ ମିଛ ଧରିବା ପାଇଁ ମଧ୍ୟଯୁଗୀୟ ନିର୍ଯାତନା ଉପକରଣରୁ ଆରମ୍ଭ କରି ପଲିଗ୍ରାଫ, ସ୍ୱର ଚାପ ବିଶ୍ଳେଷକ, ଆଖି ଟ୍ରାକର ଓ ଆଧୁନିକ ଇଲେକ୍ଟ୍ରୋଏନସେଫାଲୋଗ୍ରାମ ପର୍ଯ୍ୟନ୍ତ ଯନ୍ତ୍ର ସୃଷ୍ଟି ହୋଇଛି।
ତେବେ ଏଇ କିଛି ବର୍ଷ ହେଲା ସମାଜଶାସ୍ତ୍ରରେ ମିଛୁଆଙ୍କୁ ନୁହେଁ, ମିଛର ସାମାଜିକ ପରିସଂସ୍ଥାକୁ ଅଧ୍ୟୟନ କରାଯାଉଛି।ସାମାଜିକ ସ୍ତରରେ ମିଛ କିପରି କାର୍ଯ୍ୟ କରେ ତାହା ବୁଝିବା ପାଇଁ ହେଲେ ଆମକୁ ପ୍ରଥମେ ଦୈନନ୍ଦିନ ଜୀବନର ସୂକ୍ଷ୍ମ ପାରସ୍ପରିକ ବ୍ୟବହାରକୁ ଦେଖିବା ଉଚିତ।
ସମାଜବିଜ୍ଞାନୀ ଏରଭିଂ ଗଫମ୍ୟାନଙ୍କ ନାଟକୀୟ ଢାଞ୍ଚା ତତ୍ତ୍ୱରେ ସାମାଜିକ ଜୀବନକୁ ଏକ ଥିଏଟର ସହିତ ତୁଳନା କରାଯାଇଛି।
ଦୈନନ୍ଦିନ ଜୀବନରେ ଅନ୍ୟମାନେ ଆମକୁ କିପରି ଦେଖନ୍ତି, କିପରି ମୂଲ୍ୟାଙ୍କନ କରନ୍ତି, ତାହା ନିୟନ୍ତ୍ରଣ କରିବାକୁ ଆମେ ସବୁବେଳେ ଚେଷ୍ଟା କରୁ।
ଏହି ପରସ୍ଥିତିରେ ହିଁ ସର୍ବାଧିକ ମିଛ କୁହାଯାଏ।
ଏହାକୁ "ପ୍ରଭାବ ପରିଚାଳନା" (ଇମ୍ପ୍ରେସନ ମ୍ୟାନେଜମେଣ୍ଟ) କୁହାଯାଏ।
Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ମିଛ ସମ୍ବନ୍ଧିତ ଅନ୍ୟ ଏକ ଗବେଷଣା ଦର୍ଶାଏ ଯେ ପ୍ରତାରଣା ହେଉଛି ଦୈନନ୍ଦିନ ଜୀବନର ଏକ ସାଧାରଣ ଅଂଶ।
ଏକ ଡାଏରି ଅଧ୍ୟୟନରୁ ଜଣାପଡ଼ିଛି ଯେ ଦୈନନ୍ଦିନ ସାମାଜିକ ଯୋଗାଯୋଗରେ ପ୍ରାୟ ୨୦ରୁ ୩୦ ପ୍ରତିଶତ ମିଛ କୁହାଯାଏ ଏବଂ କିଛି କ୍ଷେତ୍ରରେ ଲୋକମାନେ ଦିନକୁ ପ୍ରାୟ ଗୋଟିଏ କିମ୍ବା ଦୁଇଟି ମିଛ ନିଶ୍ଚିତ କୁହନ୍ତି।
ସାମାଜିକ ଜୀବନରେ ଦୁଇ ପ୍ରକାରର ମିଛ ଅଛି ଯଥା ସମାଜ-ସମର୍ଥକ ମିଛ ଓ କ୍ଷତିକାରକ ମିଛ।
ସମାଜ-ସମର୍ଥକ ମିଛକୁ ପ୍ରାୟତଃ "ଧଳା ମିଛ" ଓ କେତେକ ସ୍ଥାନରେ "ନୀଳ ମିଛ" କୁହାଯାଏ।
ଧଳା ମିଛ ଜନସାଧାରଣଙ୍କ ଭାବନାକୁ ସୁରକ୍ଷା ଦେଉଥିବାବେଳେ, ନୀଳ ମିଛ ଅତ୍ୟନ୍ତ ଧ୍ରୁବୀକୃତ ରାଜନୈତିକ କିମ୍ବା ସାଂସ୍କୃତିକ ପରିବେଶରେ ଏକତାର ସଙ୍କେତ ଭାବରେ କାର୍ଯ୍ୟ କରେ।
ସମାଜ-ସମର୍ଥକ ମିଛ ଏକ ପ୍ରକାରର ସାମାଜିକ ବନ୍ଧନ ପରି କାମ କରେ।
କ୍ଷତିକାରକ ମିଥ୍ୟା କିନ୍ତୁ ସମାଜ-ସମର୍ଥକ ମିଛ ଠାରୁ ଭିନ୍ନ।
କାରଣ ଏହା ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହୃତ ହୁଏ।
ଜଣେ ବ୍ୟକ୍ତି ଅର୍ଥ, ପ୍ରତିଷ୍ଠା, କ୍ଷମତା ପାଇବା ପାଇଁ କିମ୍ବା ନିଜ ଦାୟିତ୍ୱରୁ ଖସିଯିବା ପାଇଁ ଏହିଭଳି ମିଥ୍ୟା କହିପାରେ।
ଏପରି ମିଥ୍ୟା ବିଶ୍ୱାସକୁ ଅତ୍ୟନ୍ତ କ୍ଷତିଗ୍ରସ୍ତ କରିବା ସହିତ ସନ୍ଦେହକୁ ଘନୀଭୂତ କରିଥାଏ।
ଏକ ଲକ୍ଷରୁ ଅଧିକ ମିଛର ଏକ ନବେଦିନିଆ ଅଧ୍ୟୟନରେ ଜଣାପଡ଼ିଥିଲା ଯେ ରେକର୍ଡ ହୋଇଥିବା ସମୁଦାୟ ଯୋଗାଯୋଗର ପ୍ରାୟ ୭% ଥିଲା ମିଛ ଏବଂ ସେହି ସମସ୍ତ ମିଛର ପ୍ରାୟ ୯୦% ଥିଲା "ଧଳା ମିଛ" ଅର୍ଥାତ୍ କ୍ଷତିରହିତ ମିଛ।
ସେହିପରି ଏହି ଗବେଷଣା କୁହେ ଯେ ଅଧିକାଂଶ ଲୋକ କ୍ୱଚିତ୍ ମିଛ କହନ୍ତି ଏବଂ କେବଳ ଅଳ୍ପ ସଂଖ୍ୟକ ହେଉଛନ୍ତି "ପ୍ରଚୁର ମିଥ୍ୟାବାଦୀ" ବା ଡାହା ମିଛୁଆ।
ଏହି ଡାହା ମିଛୁଆମାନେ ହିଁ ପ୍ରତାରଣା ପାଇଁ ଦାୟୀ।
କ୍ଷତିକାରକ ମିଥ୍ୟାକୁ ନିୟନ୍ତ୍ରଣ କରିବାର ସାମାଜିକ ଉପାୟ ଅଛି।
ବାରମ୍ବାର କ୍ଷତିକାରକ ମିଥ୍ୟା କହୁଥିବା ଅଭ୍ୟାସଗତ ମିଛୁଆ ନିଜ ସମ୍ମାନ, ସାମାଜିକ ସ୍ଥିତି, ବନ୍ଧୁତା କିମ୍ବା ଗୋଷ୍ଠୀର ସଦସ୍ୟତା ହରାଇବାର ସମ୍ଭାବନା ଅଧିକ।
ମିଛ କହିବାକୁ ହେଲେ କାହାଣୀର ଏକ ଜାଲ ବଜାୟ ରଖିବା ଜରୁରି, ତେଣୁ ମିଛ କହୁଥିବା ବ୍ୟକ୍ତିର ମାନସିକ ଚାପ ଓ ଜ୍ଞାନାତ୍ମକ ଭାର ବୃଦ୍ଧି ହୁଏ।
ଅନେକ କ୍ଷେତ୍ରରେ ଏକଲାପଣ ବଢ଼ିବା ସହିତ ସ୍ୱାଭାବିକ ପ୍ରାୟଶ୍ଚିତ୍ତ ଭାବନା ମନ୍ଥର ହୋଇଯାଏ।ମିଛ କହିବା ଆଚରଣ ପାଇଁ ବ୍ୟକ୍ତିର ସାମାଜିକୀକରଣ ବ୍ୟତୀତ ଚାରିପାଖରେ ଥିବା ସାମାଜିକ ନିୟମାବଳୀର ସମର୍ଥନ, ଅନୁଷ୍ଠାନର ପ୍ରୋତ୍ସାହନ ଓ ସାଂଗଠନିକ ସଂସ୍କୃତିର ଅନୁମୋଦନ ମଧ୍ୟ ଦାୟୀ।
ଉଦାହରଣ ସ୍ୱରୂପ ସିଙ୍ଗାପୁରରେ କରାଯାଇଥିବା ଏକ ଅଧ୍ୟୟନରେ ପ୍ରକାଶିତ ହୋଇଛି ଯେ ଯେଉଁଠି ପିତାମାତା ନିଜ ପିଲାମାନଙ୍କୁ ମିଛ କୁହନ୍ତି ସେହି କ୍ଷେତ୍ରରେ ପିଲାମାନେ ମଧ୍ୟ ପିତାମାତାଙ୍କୁ ଅଧିକ ମିଛ କୁହନ୍ତି।
ପିଲାମାନେ କ୍ଷତି ପହଞ୍ଚାଉଥିବା ମିଛ ଓ ସୁରକ୍ଷା ଦେଉଥିବା ମିଛ ମଧ୍ୟରେ ପାର୍ଥକ୍ୟ ମଧ୍ୟ ପରିବାର ଠାରୁ ଶିଖନ୍ତି।
Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ ମିଛୁଆଙ୍କୁ ଚିହ୍ନଟ କରିବା ପାଇଁ ସମାଜ କିଛି ସାଧାରଣ ବିଶ୍ୱାସ ବିକଶିତ କରିଛି।
୭୫ଟି ଦେଶ ଓ ୪୩ଟି ଭାଷାର ଲୋକଙ୍କୁ ଅଧ୍ୟୟନ କରିଥିବା "ଗ୍ଲୋବାଲ ଡିସେପ୍ସନ ରିସର୍ଚ୍ଚ ଟିମ"ର ଅନୁସନ୍ଧାନ ଅନୁଯାୟୀ ଲୋକଙ୍କ ସାଧାରଣ ବିଶ୍ୱାସ ହେଉଛି ଯେ ମିଛ କହୁଥିବା ବ୍ୟକ୍ତି ଆଖିକୁ ଆଖି ମିଶାଇ କଥା ହୋଇପାରନ୍ତି ନାହିଁ।
କିନ୍ତୁ ମନସ୍ତାତ୍ତ୍ୱିକ ଓ ଫରେନ୍ସିକ ଗବେଷଣା ଦର୍ଶାଇଛି ଯେ ଆଖି ନ ମିଶାଇବା ମିଛୁଆଙ୍କୁ ଚିହ୍ନଟ କରିବାର ଏକ ନିର୍ଭରଯୋଗ୍ୟ ଉପାୟ ନୁହେଁ।
ଏହା ସତ୍ତ୍ବେ ଏ ଧାରଣା ବଳବତ୍ତର ରହିଛି।ଜେ.
ଏ.
ବାର୍ନସଙ୍କ "ଏ ପ୍ୟାକ ଅଫ ଲାଇଜ: ଟୁୱାର୍ଡସ ଏ ସୋସିଓଲୋଜି ଅଫ ଲାଇଂ" ପୁସ୍ତକ ଅନୁଯାୟୀ ପ୍ରତାରଣାର ଆକାର ଓ ଗୁଣବତ୍ତା ସାମାଜିକ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
ଉଦାହରଣ ସ୍ୱରୂପ, ରାଜନୀତି, ବିଜ୍ଞାପନ, ବ୍ୟାବସାୟିକ ଆଲୋଚନା ଓ କୂଟନୀତିରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମିଛ କୁହାଯାଏ।
କିନ୍ତୁ ବିଜ୍ଞାନ ଓ ନ୍ୟାୟିକ ବ୍ୟବସ୍ଥାରେ ଠିକ୍ ସୂଚନା ଓ ସତ୍ୟ କଥନ ଉପରେ ଦୃଢ଼ ଗୁରୁତ୍ୱ ଦିଆଯାଏ।
ବିଗତ କିଛି ବର୍ଷ ହେଲା ମିଛର ଅନେକ ସମସାମୟିକ ରୂପ ଓ ନାମ ଯେପରିକି ପାଲ୍ଟରିଂ, ସତ୍ୟ କ୍ଷୟ ଓ ଗଠନମୂଳକ ଗ୍ୟାସଲାଇଟିଂ ଇତ୍ୟାଦି ବ୍ୟାପାକ ହେଉଛି।
ଏହି ସମସ୍ତ ଶବ୍ଦ ସାମାଜିକ ଜୀବନରେ ଦୁଇଟି ଉପାଦାନରେ ସନ୍ତୁଳନ ରଖିବାକୁ ସର୍ବଦା ଚେଷ୍ଟା କରେ।
ପ୍ରଥମଟି ହେଉଛି ସତ କହିବା ଏବଂ ଦ୍ବିତୀୟ ହେଉଛି ସୂଚନାର ପରିଚାଳନା କରିବା।
ଏହାର ଅର୍ଥ ହେଉଛି ଖୋଲାଖୋଲି ଭାବରେ ସତ୍ୟ କହିବା ଉଚିତ କିନ୍ତୁ କେଉଁ ସୂଚନା ବାଣ୍ଟିବେ ତାହା ମଧ୍ୟ ସାବଧାନତାର ସହ ବାଛିବା ଆବଶ୍ୟକ।
ମିଛ କହିବାର ସମାଜଶାସ୍ତ୍ର ଆମକୁ ଏକ ସରଳ ସତ୍ୟ ଶିଖାଏ ଯେ ଆମେ କ"ଣ କହୁ ତାହା ନୁହେଁ, ବରଂ ଆମେ କ"ଣ ଲୁଚାଇବାକୁ ଚାହୁ ତାହା ଦ୍ୱାରା ହିଁ ଆମ ସାମାଜିକ ଜୀବନ ଆକାର ପାଏ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୮୪୫୬୮୭୯୫୨୨"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।