The State of Democracy: ଗଣତନ୍ତ୍ରର ହାଲ୍: ପିଲାଙ୍କ ପାଇଁ ସ୍ମାର୍ଟଫୋନ କଟକଣା
ସୁଧାଂଶୁ ଷଡ଼ଙ୍ଗୀ ଏହି ସ୍ତମ୍ଭରେ ଅକ୍ଟୋବର ୧୭ରେ ପ୍ରକାଶିତ ପ୍ରବନ୍ଧ, 'ମୋବାଇଲ ଫୋନ ବଳୟରେ ଶୈଶବ', ପଢ଼ିଲା ପରେ ଅନେକ ପାଠକ ପିଲାଙ୍କ ମୋବାଇଲ ଫୋନ ନିଶା ପ୍ରସଙ୍ଗରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।
କିଛି ଅତିରିକ୍ତ ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ ହୋଇଛି।
ତେଣୁ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା ଆବଶ୍ୟକ।
ପ୍ରଥମେ ବୁଝିବାକୁ ହେବେ ଯେ, ଇଣ୍ଟରନେଟ ଓ ସ୍ମାର୍ଟଫୋନ ପୃଥକ୍ ପୃଥକ୍ ବିଷୟ।
ଷଷ୍ଠ ଦଶକରୁ ଅର୍ପାନେଟ ଆରମ୍ଭ ହୋଇ, ୧୯୯୦ ମସିହା ବେଳକୁ ଆମେରିକାରେ ଇଣ୍ଟରନେଟ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଲା।
ଏହାର କିଛି ବର୍ଷ ପରେ ଇଣ୍ଟରନେଟ ଭାରତକୁ ଆସିଲା।
ଇଣ୍ଟରନେଟ ତଥ୍ୟ ଓ ଜ୍ଞାନ ଆହରଣର ଏକ ବିଶାଳ ସମୁଦ୍ର।
କୋଭିଡ୍ କଟକଣା ବେଳେ ଇଣ୍ଟରନେଟରେ ଶିକ୍ଷାଦାନ କରାଯାଇ ପାରିଲା।
ତେଣୁ ପିଲାମାନେ ଆବଶ୍ୟକତା ଅନୁସାରେ କିଛି ସମୟ ଇଣ୍ଟରନେଟ ବ୍ୟବହାର କରନ୍ତୁ।
ଚିନ୍ତା ଏଇଆ ଯେ, ଛୋଟ ପିଲା ସ୍ମାର୍ଟଫୋନ ଓ ସମାଜିକ ଗଣମାଧ୍ୟମ ଭିତରେ ଘଣ୍ଟା-ଘଣ୍ଟା ନିରୁଦ୍ଦିଷ୍ଟ ହୋଇଯାଉଛନ୍ତି।
ସ୍ମାର୍ଟଫୋନ ପ୍ରଥମେ ୨୦୦୭ ମସିହାରେ ଆପଲ୍ କମ୍ପାନି ବଜାରକୁ ଆଣିଲା।
ଏହାକୁ 'ଟଚ୍ ଇଣ୍ଟରଫେସ' ବା ଆଙ୍ଗୁଠିରେ ଛୁଇଁ ବ୍ୟବହାର କରାଯାଏ।
ଏଥିରେ ଇଣ୍ଟରନେଟ ସଂଯୋଗ କରି ହୁଏ।
ସେହି ବର୍ଷ 'ଆଣ୍ଡ୍ରଏଡ' ଅପରେଟିଂ ସିଷ୍ଟମ ମଧ୍ୟ ଆସିଲା।
୨୦୦୯ ମସିହାରେ ତୃତୀୟ ପକ୍ଷ ତିଆରି କରୁଥିବା ବିଭିନ୍ନ ମୋବାଇଲ ଆପ୍ ଗ୍ରାହକମାନେ ଆବଶ୍ୟକତା ଅନୁସାରେ ଡାଉନଲୋଡ କରିବାର ସୁବିଧା ପାଇଲେ।
ସେହି ବର୍ଷ ମୋବାଇଲ ଫୋନରେ ଉଚ୍ଚ କ୍ଷମତାସଂପନ୍ନ କ୍ୟାମେରା ଲାଗିଲା।
୨୦୧୪ ବେଳକୁ ସ୍ମାର୍ଟଫୋନ ଅତ୍ର-ତତ୍ର-ସର୍ବତ୍ର, ଅହୋରାତ୍ର ଆମର ସହଚର ହୋଇଗଲା।
ଗୋଟିଏ ନୂଆ ଯୁଗର ଆରମ୍ଭ ହେଲା; ସ୍ମାର୍ଟଫୋନ, ସାମାଜିକ ଗଣମାଧ୍ୟମ, ସେଲ୍ଫି ଓ ରିଲ୍ର ଯୁଗ।
ଏବେ ପୂରା ଇଣ୍ଟରନେଟ ହାତଗଣତି କମ୍ପାନିଙ୍କ ନିୟନ୍ତ୍ରଣରେ, ଯାହାଙ୍କୁ 'ବିଗ୍-ଟେକ୍' କୁହାଯାଉଛି।
ମେଟା କମ୍ପାନି ହାତରେ ରହିଛି ଫେସବୁକ, ଇନ୍ଷ୍ଟାଗ୍ରାମ, ହ୍ବାଟ୍ସଅାପ୍; ଆଲ୍ଫାବେଟ୍ ପାଖରେ ଗୁଗଲ୍ ଓ ୟୁଟ୍ୟୁବ୍; ଏକ୍ସ-ଏଆଇ ପାଖରେ ଏକ୍ସ (ଆଗରୁ ଟୁଇଟର୍)।
ଏମାନେ ପୂରା ପୃଥିବୀକୁ କବଳିତ କରି ନିୟୁତ ନିୟୁତ ଡଲାର ଆୟ କରୁଛନ୍ତି।
ସେମାନଙ୍କୁ କଟକଣାରେ ରଖି ହେଉନି।
ସ୍ଥିତିକୁ ବୁଝିବା ପାଇଁ ଆମେ ସିଗାରେଟ କମ୍ପାନିମାନଙ୍କ କଥା ମନେ ପକେଇବା।
୧୯୭୦ ଦଶକରୁ ଗବେଷକମାନେ ତଥ୍ୟ ପାଇଲେଣି ଯେ ସିଗାରେଟର କର୍କଟ ଓ ହୃଦ୍ରୋଗ ସାଥିରେ ସିଧାସଳଖ ସମ୍ପର୍କ ଅଛି।
କିନ୍ତୁ କମ୍ପାନିମାନେ ଯୁକ୍ତି ଦେଖାଇଲେ ଯେ, ସେମାନେ କାହାକୁ ସିଗାରେଟ ଟାଣିବାକୁ କହି ନାହାନ୍ତି।
ଲୋକେ ସ୍ୱାଧୀନ; ସ୍ବଇଚ୍ଛାରେ ସିଗାରେଟ ଟାଣି ଅସୁସ୍ଥ ହୋଇଛନ୍ତି।
ସେଥିପାଇଁ କମ୍ପାନିମାନେ ଦାୟୀ ନୁହନ୍ତି।
ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ।
କଟକଣା କରିବାକୁ ଲାଗିଲା ପଚିଶ ବର୍ଷରୁ ଅଧିକ କାଳ।
ଏବେ 'ବିଗ୍-ଟେକ୍' ସେହିଭଳି କହୁଛନ୍ତି।
ସେମାନେ କାହାକୁ ସମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ କହି ନାହାନ୍ତି; ଏହା ବ୍ୟକ୍ତି ସ୍ୱାଧୀନତାର ବିଷୟ।
ବାସ୍ତବ ସ୍ଥିତି ହେଲା, କମ୍ପାନିମାନେ କେବଳ ମୋଟା ଅଙ୍କର ମୁନାଫା ପଛରେ ପଡ଼ିଛନ୍ତି।
ଯିଏ ଯାହା ଚାହୁଁଛି, ତାକୁ ସେଇଆ ଦେଖାଉଛନ୍ତି।
ଯିଏ ମାଙ୍କଡ଼ ଦେଖିବ, ତାକୁ ମାଙ୍କଡ଼ ଦେଖେଇବେ।
ଯିଏ ଦିଅଁ ଦେଖିବ, ତାକୁ ଦିଅଁ ଦେଖେଇବେ।
ଲକ୍ଷ୍ୟ ନୁହେଁ ଲୋକଙ୍କୁ ଜ୍ଞାନୀ କରିବା; ପ୍ରକୃତ ଉଦ୍ଦେଶ୍ୟ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିବା ଓ ଘଣ୍ଟା ଘଣ୍ଟା ଧରି ଫୋନରେ ବାନ୍ଧି ରଖିବା।
ଲୋକଙ୍କୁ ଲାଗୁଛି ଫେସବୁକ, ଇନ୍ଷ୍ଟାଗ୍ରାମ, ହ୍ବାଟ୍ସଅାପ୍, ୟୁଟ୍ୟୁବ୍ ଇତ୍ୟାଦି ମାଗଣା ବ୍ୟବହାର କରୁଛନ୍ତି।
ବାସ୍ତବରେ, ସେମାନେ ଆମ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ବିଜ୍ଞାପନ ବଜାରରେ ସବୁ ମୁହୂର୍ତ୍ତରେ ଆମକୁ ପଣ୍ୟ ଭାବେ ନିଲାମ କରି ଅଜସ୍ର ଅର୍ଥ ଉପାର୍ଜନ କରୁଛନ୍ତି।
ଆମେ ଖୁସି ହେଲେ ମସ୍ତିଷ୍କରେ ଡୋପାମିନ୍ ପ୍ରବାହିତ ହୁଏ।
ସାଧାରଣ ମନୋରଞ୍ଜନ ଆଗକୁ ହେଲା ଜୁଆ ଖେଳର ନିଶା।
ସାମାଜିକ ଗଣମାଧ୍ୟମ ଜୁଆ ଭଳି ଉତ୍କଣ୍ଠା ସୃଷ୍ଟି କରେ ଓ ଜିତିଲା ଭଳି ଅନୁଭୂତି ଦିଏ।
ଏହା ଦୁଇଟି ପ୍ରଣାଳୀରେ କାମ କରେ।
ପ୍ରଥମ, କିଛି ନୂଆ, ଅଜବ ବା ଆମ ପସନ୍ଦର ତଥ୍ୟ ଆମକୁ ଆମୋଦିତ କରେ।
ଦ୍ବିତୀୟ, ଆମେ ପୋଷ୍ଟ କରି ଅପେକ୍ଷା କରୁ, ଅନ୍ୟମାନଙ୍କ ପ୍ରତିକ୍ରିୟା ପାଇଁ।
ଭଲ ପ୍ରତିକ୍ରିୟାଟିଏ ଆମ ମସ୍ତିଷ୍କରେ ପୁରସ୍କୃତ ହେବାର ଭ୍ରମ ସୃଷ୍ଟି କରେ।
ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମଗୁଡ଼ିକ ଆଲଗୋରିଦମ୍ ବ୍ୟବହାର କରନ୍ତି ଆମ ପସନ୍ଦର ଭିଡିଓ, ଫଟୋ ବା ପୋଷ୍ଟ ଦେଖେଇ ଅମୋଦିତ କରିବା ପାଇଁ ଏବଂ ଅଧିକ ଲୋକଙ୍କ ପାଖରେ ପୋଷ୍ଟକୁ ପହଞ୍ଚାଇ ସେମାନଙ୍କ ଠାରୁ ଲାଇକ୍, କମେଣ୍ଟ, ସେଆର ସାଉଣ୍ଟିବା ପାଇଁ।
ଫେସବୁକ ୨୦୦୯ ମସିହାରେ ଲାଇକ୍ ବଟନ୍, ୨୦୧୦ ମସିହାରେ କମେଣ୍ଟ, ୨୦୧୨ ମସିହାରେ ସେଆର, ୨୦୧୬ ମସିହାରେ ଇମୋଜିର ପ୍ରଚଳନ ଆରମ୍ଭ କଲା।
ଏସବୁ ନ ଥାଇ ମଧ୍ୟ ଲୋକେ ସମ୍ପର୍କରେ ରହିପାରିବେ, କିନ୍ତୁ ସେହି କମ୍ପାନିମାନଙ୍କ ଲକ୍ଷ୍ୟ ଲୋକଙ୍କୁ ନିଶା ଧରୁ।
ଲୋକେ ନିଜ ବିଷୟରେ ଅଧିକ ତଥ୍ୟ ଦିଅନ୍ତୁ।
ଯେତିକି ତଥ୍ୟ ମିଳିବ, ସେତିକି ଜାଣି ହେବ ଆମେ କ'ଣ ଦେଖିଲେ ଖୁସି ହେବା।
ଲୋକେ କେବଳ ପୋଷ୍ଟ କଲେନି, ତା' ପରେ ଅନ୍ୟମାନେ କ'ଣ ପ୍ରତିକ୍ରିୟା ଦେବେ ତାକୁ ଚାହିଁ ରହିଲେ।
ସମସ୍ତେ ଖୋଜିଲେ କ'ଣ ରିଲ୍ ବନେଇବେ, ଫଟୋ ପୋଷ୍ଟ କରିବେ।
ଯିଏ ଯେତେ ଲୋକଙ୍କୁ ଆକୃଷ୍ଟ କଲା, ସେତିକି ଖୁସି ହେଲା, ନିଜକୁ ସେତିକି ପାରିବାର ଭାବିଲା।
ଜୁଆ ଖେଳରେ ହାରିବା ଲୋକଙ୍କୁ ମଧ୍ୟ ସେତିକି ନିଶା ଧରେ, ଯେତିକି ଜିତିବା ଲୋକଙ୍କୁ।
ଏଭଳି ଭିଡିଓ, ଲେଖା, ରିଲ୍, ଫଟୋ ପୋଷ୍ଟ କରି ବହୁ ଲୋକଙ୍କୁ ଆକୃଷ୍ଟ କରିପାରୁଥିବା ଲୋକଙ୍କୁ କମ୍ପାନିମାନେ ପଇସା ଦେଲେ।
ଏହା ଉପାର୍ଜନର ଏକ ନୂଆ ମାଧ୍ୟମ ହେଲା।
ତେଣୁ ପିଲାମାନଙ୍କ ସ୍ୱାର୍ଥ ଏହି ନୂଆ ଅର୍ଥନୀତି ମଧ୍ୟରେ ହଜିଗଲା।
ପିଲାଙ୍କ ପାଇଁ ବିନା ପରିଶ୍ରମରେ ପ୍ରଚୁର ଡୋପାମିନ୍ ଓ ମନୋରଞ୍ଜନର ଉତ୍ସ ହେଲା ସ୍ମାର୍ଟଫୋନ।
ପ୍ରଥମ କରି ୨୦୨୬ ମସିହାରେ ଫେସବୁକ ଓ ଇନ୍ଷ୍ଟାଗ୍ରାମ ସେମାନଙ୍କ ଯୋଗୁଁ ପିଲାଙ୍କ ହେଉଥିବା ମାନସିକ କ୍ଷତି ବିରୋଧରେ କାର୍ଯ୍ୟ କରିବାକୁ ଆଗାମୀ ଦଶ ବର୍ଷରେ ସତର ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ଏକ ଲକ୍ଷ ଷାଠିଏ ହଜାର କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ କରିବା ପାଇଁ କାଲିଫର୍ଣ୍ଣିଆର ଗୋଟିଏ କୋର୍ଟରେ ରାଜି ହେଲେ।
ପୁଅ ଓ ଝିଅମାନଙ୍କ ଉପରେ ସାମାଜିକ ଗଣମାଧ୍ୟମର ଅଲଗା ଅଲଗା ପ୍ରଭାବ ପଡୁଛି।
ପୁଅମାନେ ପର୍ଣ୍ଣୋଗ୍ରାଫି (ଅଶ୍ଳୀଳ ଭିଡିଓ) ଓ ଗେମ୍ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।
ଝିଅମାନଙ୍କ ସମୟ ଫେସବୁକ ଓ ଇନ୍ଷ୍ଟାଗ୍ରାମରେ ଯାଉଛି।
ନିୟମ ଅନୁସାରେ ତେର ବର୍ଷ ପର୍ଯ୍ୟନ୍ତ କେହି ନିଜର ଆକାଉଣ୍ଟ ଖୋଲିପାରିବା କଥା ନୁହେଁ।
ସେହିଭଳି ପର୍ଣ୍ଣୋଗ୍ରାଫି ଦେଖିବା ପାଇଁ ସର୍ବନିମ୍ନ ବୟସ ଅଠର ବର୍ଷ ହେବା ଆବଶ୍ୟକ।
କିନ୍ତୁ, ବୟସର ପ୍ରମାଣ ନିଜକୁ ଦେବାକୁ ପଡ଼େ।
ପିଲା ଆଠ ବର୍ଷର ହେଇ ମଧ୍ୟ ନିଜକୁ ଅଠର ବର୍ଷ କହିପାରିବ।
ଅଶୀ ବର୍ଷର ବ୍ୟକ୍ତି ନିଜକୁ ଷୋହଳ ବର୍ଷର ଝିଅ ଭାବେ ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରିପାରିବ।
ପିଲାମାନେ କାହା ସାଙ୍ଗରେ ବନ୍ଧୁ ହେଉଛନ୍ତି ଏବଂ ଯାହା ଦେଖୁଛନ୍ତି ତାହା ସେମାନଙ୍କ ବୟସ ପାଇଁ ଉଦ୍ଦିଷ୍ଟ କି ନୁହେଁ ଜାଣିବା କଷ୍ଟ।
ଅଭିଭାବକ ପିଲାଙ୍କୁ ହିଂସ୍ର ପଶୁ ବସବାସ କରୁଥିବା ଘଞ୍ଚ ଜଙ୍ଗଲରେ ଏକୁଟିଆ ଛାଡ଼ିଦେବା ଯାହା, ହାତରେ ସ୍ମାର୍ଟଫୋନ ଦେଇ ଏକୁଟିଆ ଛାଡ଼ିଦେବା ସେଇଆ।
ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିବାକୁ ପଡ଼ିବ।
ପିଲାମାନେ ପୁଣି ଥରେ ଖେଳପଡ଼ିଆକୁ ଫେରନ୍ତୁ, ଗପ ବହି ପଢ଼ନ୍ତୁ।
ସବୁ ଘରେ ଏବେ ପିଲାଙ୍କ ସଂଖ୍ୟା କମ୍।
କିନ୍ତୁ ସ୍ମାର୍ଟଫୋନ ଏକୁଟିଆ ପିଲାଙ୍କ ପାଇଁ ଏକ ସମାଧାନ ନୁହେଁ।
ଯେତେବେଳେ ନୂଆ ନୂଆ ଘରୋଇ କମ୍ପ୍ୟୁଟର ଆସିଲା, ଚିନ୍ତା ଥିଲା ଘରେ କମ୍ପ୍ୟୁଟର ପାଇଁ ଯଥେଷ୍ଟ କାମ ଅଛି ତ?
ଏବେ ଆମ ସମସ୍ତଙ୍କୁ ସ୍ମାର୍ଟଫୋନ ସମସ୍ତ ଜାଗ୍ରତ ମୁହୂର୍ତ୍ତରେ ବ୍ୟସ୍ତ ରଖୁଛି।
ଅଭିଭାବକ ଯେତେବେଳେ ବହି ପଢ଼ିବେନି କି ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବେନି, ପିଲାଙ୍କୁ ଦୋଷ ଦେଇ ଲାଭ କ'ଣ?
ଡିଜିଟାଲ ଦୁନିଆରେ ଆମେ ଯେତିକି ଅଧିକ ଯୋଡ଼ି ହେଉଛେ, ସାମାଜିକ ଭାବେ ସେତିକି ଏକୁଟିଆ ହୋଇଯାଉଛେ। (ମତାମତ ଲେଖକଙ୍କ ନିଜସ୍ବ) Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।